

ହରିଚନ୍ଦନପୁର, କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଧୋରଡିଆମ୍ବ ଗ୍ରାମପଞ୍ଚାୟତର କରଡ଼ାପାଳ ଗ୍ରାମରେ ବିଷଧର ସାପ ଦଂଶନରେ ସ୍ବାମୀ ଓ ସ୍ତ୍ରୀ ଉଭୟଙ୍କ ମୃତ ଘଟିଥିବା ଜଣାପଡିଛି ।ମିଳିଥିବା ଖବର ଅନୁଯାୟୀ, ଗତକାଲି ଲଗାଣ ବର୍ଷା ଚାଲିଥିବା ବେଳେ ବିଳମ୍ବିତ ରାତିରେ ଘର ଭିତରେ ଶୋଇଥିବା ଅବସ୍ଥାରେ ବିଷଧର ସାପ ଦଂଶନର ଶିକାର ହୋଇ ନାଜିର୍ ମୁଣ୍ଡା (୫୦) ଓ ତାଙ୍କ ପତ୍ନୀ ଚମ୍ପା ମୁଣ୍ଡା (୪୮)ଙ୍କ ମୃତ୍ୟୁ ଘଟିଛି । ଗୁରୁବାର ସକାଳେ ପରିବାର ଲୋକେ ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଆରମ୍ଭ ପୂର୍ବରୁ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିବା ସ୍ବାସ୍ଥ୍ୟକେନ୍ଦ୍ର ସୂତ୍ରରୁ ସୂଚନା ମିଳିଛି । ସ୍ଥାନୀୟ ପୋଲିସ ଖବର ପାଇ ଉଭୟ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।