
ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଦିନ ଜାତୀୟ ଛୁଟି ଘୋଷଣା କରିବାକୁ ଦାବି କରିଛି ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ବାହିନୀ । ଏ ସମ୍ପର୍କରେ ସଂଗଠନ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ସଂଗଠନ ଦର୍ଶାଇଛି ଯେ ସବୁ ଧର୍ମ ଭିତରେ ହିନ୍ଦୁ ଧର୍ମ ଅନନ୍ୟା ହିନ୍ଦୁଧର୍ମ ଭଳି ମୁସଲିମ, ଖ୍ରୀଷ୍ଟିୟାନ ଧର୍ମକୁ ବି ଆମେ ସମ୍ମାନ ଦେଉଛୁ। କିନ୍ତୁ ମୁସଲିମ ଓ ଖ୍ରୀଷ୍ଟିୟାନମାନଙ୍କ ସ୍ବତନ୍ତ୍ର ଦିନକୁ ଜାତୀୟ ଛୁଟି ଘୋଷଣା କରାଯାଇଛି। ଖ୍ରୀଷ୍ଟମାସ ଡେ, ଇଦ୍ ଆଦି ଜାତୀୟ ଛୁଟିର ମାନ୍ୟତା ପାଇଛି।ହିନ୍ଦୁ ଧର୍ମରେ ରଥଯାତ୍ରା ବିଶ୍ବପ୍ରସିଦ୍ଧ ଯାତ୍ରା। ଦେଶବିଦେଶରୁ ଲକ୍ଷ ଲକ୍ଷ ଭକ୍ତ ରଥଯାତ୍ରା ଦେଖିବାକୁ ଭିଡ଼ ଲଗାନ୍ତି। କୋଭିତ୍ ମହମାରୀକୁ ଦୃଷ୍ଟିରେ
ରଖି ରଥଯାତ୍ରାରେ ରାଜ୍ୟ ସରକାର ପୁରୀ ସହରରେ କର୍ଫୁ ଲାଗୁ
କରିଛନ୍ତି । ରଥଯାତ୍ରାକୁ ଆସି ନ ପାରିଲେ ବି ଭକ୍ତମାନେ ଟେଲିଭିଜନ୍ ପରଦାରେ ଏହାର ସିଧାପ୍ରସାରଣ ଦେଖିବାର ବ୍ୟବସ୍ଥା କରାଯାଇଛି। ଏଣୁ ଏହି ଦିନକୁ ଜାତୀୟ ଛୁଟି ଘୋଷଣା କଲେ ଦେଶର କୋଣ ଅନୁକୋଣର ଭକ୍ତମାନେ ଏହି ବିଶ୍ବପ୍ରସିଦ୍ଧ ରଥଯାତ୍ରାକୁ ଟେଲିଭିଜନ୍ରେ ଦେଖି ପାରନ୍ତେ ବୋଲି ସଂଗଠନ ମତ ରଖିଛି। ଏ ସମ୍ପର୍କରେ ସଂଗଠନ ପକ୍ଷରୁ ଆବାହକ ଉମାକାନ୍ତ ବେହେରା, ସାଧାରଣ ସଂପାଦକ ସବ୍ୟସାଚୀ ରଥ, ସଦସ୍ୟ ଜୟରାମ ପୃଷ୍ଟି ପ୍ରମୁଖ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।