
କେନ୍ଦ୍ରାପଡ଼ା – କେନ୍ଦ୍ରାପଡା ସହରରେ ଧୁମ୍ଧାମ୍ରେ ଗଣେଶ ଭସାଣୀ ଉତ୍ସବ ପାଳନ କରାଯାଇଛି । ଏହି ଭସାଣୀରେ ୨୨ଟି ମେଢ ସାମିଲ୍ ହୋଇଛନ୍ତି । ଗତ ୨ ତାରିଖରେ ପୂଜା ଆରମ୍ଭ କରାଯାଇ ୫ଦିନ ମଣ୍ଡପରେ ରହିବା ପରେ ଗତକାଲି ରାତିରେ ବିସର୍ଜନ କରାଯାଇଥିଲା । ଆଜି ସକାଳୁ ସକାଳୁ ଭସାଣୀ ପାଇଁ ପ୍ରସ୍ତୃତି କାର୍ଯ୍ୟ ଆରମ୍ଭ ହୋଇଛି । ପୂର୍ବାହ୍ନ ୯ଟାରୁ ୧୦ଟା ମଧ୍ୟରେ ଶ୍ରୀ ଗଣେଶ ମଣ୍ଡପ ଛାଡିଥିଲେ । ପ୍ରଥମେ ଖଡିଅଙ୍ଗ ଥାନପତି ମଣ୍ଡପ ଛାଡିବା ପରେ ଅନ୍ୟ ମଣ୍ଡପର ଗଣେଶ ଭସାଣୀରେ ସାମିଲ୍ ହୋଇଥିଲେ । ପୁରୁଣା ମଟରଷ୍ଟାଣ୍ଡଠାରେ ସମସ୍ତ ଗଣେଶ ମେଢ ପ୍ରବେଶ କରି ଭୋଗ ଖାଇବା ପରେ ବିସର୍ଜନ ଘାଟ ଅଭିମୁଖେ ଯାତ୍ରା କରିଥିଲେ । କେତେକ ମେଢ ନୂଆ ବସଷ୍ଟାଣ୍ଡଠାରେ ଗୋବରୀ ନଦୀରେ ବିସର୍ଜିତ ହୋଇଥିବାବେଳେ ଆଉ କେତେକ ମେଢ ଗୋବରୀ କେନାଲ୍ ଏବଂ ଅନ୍ୟାନ୍ୟ ପୁଷ୍କରିଣୀ ବିସର୍ଜିତ ହୋଇଛନ୍ତି । ସମସ୍ତ ମେଢ ରାତି ୧୦ଟା ମଧ୍ୟରେ ବାଜା ବଜାଇ ବିସର୍ଜିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ଦେଇଥିବାବେଳେ କେତେକ ମେଢ ରାତି ୧୦ଟା ପରେ ବିନା ବୈଦୁତିକ ବାଜାରେ ବିସର୍ଜିତ ହୋଇଥିଲେ । ଆରକ୍ଷୀ ଅଧିକ୍ଷକ ନୀତିଶେଖରଙ୍କ ନେତୃତ୍ୱରେ କେନ୍ଦ୍ରାପଡା ଏସ୍ଡିପିଓ ରାଜୀବ ଲୋଚନ ପଣ୍ଡା, ଟାଉନ୍ ଥାନା ଆଇଆଇସି ଜ୍ୟୋତି ସାମନ୍ତରାୟ, କେନ୍ଦ୍ରାପଡା ସଦରଥାନା ଆଇଆଇସି ମହେଶ୍ୱର ସେଠୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ୫୦ ରୁ ଅଧିକ ପୋଲିସ ଅଧିକାରୀ ଏବଂ ୧୦ ପ୍ଲାଟୁନ୍ ଫୋର୍ସଙ୍କ ସହାୟତାରେ ମେଢ ଗୁଡିକୁ ଶୃଙ୍ଖଳିତଭାବେ ବିସର୍ଜନ ଘାଟ ଅଭିମୁଖେ ଶୋଭାଯାତ୍ରାରେ ନିଆଯାଇଥିଲା ।