
କନ୍ଧମାଳ, କନ୍ଧମାଳ ଜିଲ୍ଲାରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି । ଏଥିପାଇଁ ଲୋକେ କିଛି ମାତ୍ରାରେ ବେପରୁଆ ହୋଇଥିବା ଦେଖିବାକୁ ମିଳିଛି । ତେବେ ଜିଲ୍ଲାରେ କରୋନା ସଂକ୍ରମଣରେ ହେଉଥିବା ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇଛି ଏହା ସଚେତନ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ଜିଲାରେ ଆଉ ୨୩ ଜଣ ନୂଆ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏହି ରୋଗରେ ଆକ୍ରାନ୍ତ ହୋଇ ଆଉ ଜଣକର ମୃତ୍ୟୁ ହୋଇଛି । ଆଜିର ଚିହ୍ନଟ ଆକ୍ରାନ୍ତ ମାନଙ୍କୁ ମିଶାଇ ଜିଲ୍ଲାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୦,୮୫୬ ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୧୦,୫୬୫ ଜଣ ସୁସ୍ଥ ହୋଇଛନ୍ତି । ଆଜି ଘୋଷଣା କରାଯାଇଥିବା ମୃତକଙ୍କ ସମେତ ଜିଲ୍ଲାର କରୋନାଜନିତ ମୃତ୍ୟୁ ସଂଖ୍ୟା ଦୁଇ ଦିନ ହେଲା ଅର୍ଦ୍ଧଶତକ ଟପି ୫୨ ରେ ପହଞ୍ଚିଛି । ଆଉ ୨୩୯ ଜଣ ସଂକ୍ରମିତ କୋଭିଡ୍ ହସପିଟାଲରେ ଏବଂ ପୃଥକ୍ ବାସରେ ରହି ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି ।
ଆଜିର ଚିହ୍ନଟ ମାନଙ୍କ ମଧ୍ୟରୁ ଫୁଲବାଣୀର ଜଣେ ରହିଥିବା ବେଳେ ଜିଲ୍ଲାର ଦାରିଙ୍ଗବାଡ଼ିରେ ଆଜି ସର୍ବାଧିକ ୧୨ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି କ. ନୂଆଗାଁର ୨ ଜଣ, କୋଟଗଡର ୩, ଫିରିଙ୍ଗିଆର ୨ ଜଣ ଏବଂ ଘୁ. ଉଦୟଗିରି, ଟିକାବାଲି ଓ ତୁମୁଡ଼ିବନ୍ଧ ଅଂଚଳରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।