ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ୨୦୧୮-୧୯ରେ ୫ ଥର ଆବାସ ସଫ୍ଟର ଉଇଣ୍ଡୋ ଓପନ ହୋଇଥିଲା । ୦୬ ଜୁଲାଇ ୨୦୧୭ ରୁ ୩୧ ମାର୍ଚ୍ଚ ୨୦୧୮ ପର୍ଯ୍ୟନ୍ତ ଆବାସ ସଫ୍ଟର ଉଇଣ୍ଡୋ ଖୋଲା ଥିଲା । ପ୍ରଥମଥର ପାଇଁ ୩୧ ମାର୍ଚ୍ଚ ୨୦୧୮ରୁ ୩୦ ଜୁନ୍ ୨୦୧୮ ପର୍ଯ୍ୟନ୍ତ ସମୟସୀମା ବୃଦ୍ଧି କରାଗଲା । ପୁଣିଥରେ ୩୦ ଜୁନ୍ ୨୦୧୮ରୁ ୩୦ ସେପ୍ଟେମ୍ବର ୨୦୧୮ ପର୍ଯ୍ୟନ୍ତ ଉଇଣ୍ଡୋ ଓପନ କରାଗଲା । ୩୦ ସେପ୍ଟମ୍ବର ୨୦୧୮ରୁ ୩୦ ନଭେମ୍ବର ୨୦୧୮ ପର୍ଯ୍ୟନ୍ତ ଉଇଣ୍ଡୋ ଓପନ କରାଗଲା । ଶେଷରେ ୭ ମାର୍ଚ୍ଚ ୨୦୧୯ ପର୍ଯ୍ୟନ୍ତ ଉଇଣ୍ଡୋ ଓପନ କରାଯାଇଥିଲା । ରାଜ୍ୟ ସରକାର ଏହି ପର୍ଯ୍ୟାପ୍ତ ସମୟ ଭିତରେ ମାତ୍ର ୪୫,୯୦୩ଟି ନାଁ ଅପଲୋଡ୍ କରିଛନ୍ତି ।
ଫନି ବାତ୍ୟା ସମୟରେ ୩.୮୯ ଲକ୍ଷ ପ୍ରଭାବିତ ଲୋକଙ୍କୁ ଘର ଦେବାର ଆବଶ୍ୟକତା ରହିଛି ବୋଲି ଦର୍ଶାଇ ଉଇଣ୍ଡୋ ଓପନ କରିବାକୁ ରାଜ୍ୟ ସରକାର ଚିଠି ଲେଖିଥିଲେ । ଏହାକୁ ଆଧାର କରି ୨୭ ଅଗଷ୍ଟରୁ ୧୦ ସେପ୍ଟମ୍ବର ପର୍ଯ୍ୟନ୍ତ ଉଇଣ୍ଡୋ ଓପନ କରାଯାଇଥିଲା । ତଥାପି ରାଜ୍ୟ ସରକାର ହିତାଧିକାରୀଙ୍କ ନାଁ ଯୋଡି ପାରିଲେ ନାହିଁ ।
ଆବାସ ଯୋଜନାରେ ଆସିଥିବା ୮,୧୭,୦୦୦ ପକ୍କା ଘର ବଂଟନରୁ ଫନି ପ୍ରଭାବିତ ନହୋଇ ଥିବା ୧୬ ଟି ଜିଲ୍ଲାରେ ରାଜ୍ୟ ସରକାର ଗୋଟିଏ ବି ଘର ତାଲିକାଭୃକ୍ତ କରିନାହାଁନ୍ତି । ସେହି ଜିଲ୍ଲାଗୁଡିକରେ ଅନେକ ଯୋଗ୍ୟ ହିତାଧିକାରୀ ଘର ପାଇବା ପାଇଁ ଅପେକ୍ଷା କରି ରହିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବରଗଡ, ବଲାଙ୍ଗିର, ବୌଦ୍ଧ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ରାୟଗଡା, ସମ୍ବଲପୁର ଓ ସୁନ୍ଦରଗଡ ଆଦି ଜିଲ୍ଲାକୁ ଘର ଆବଂଟନ ଶୂନ ରହିଥିବାବେଳେ କେବଳ ଝାରସୁଗୁଡା ଜିଲ୍ଲାକୁ ଏହି ଯୋଜନାରେ ମାତ୍ର ୪ଟି ଘର ଆବଂଟନ କରାଯାଇଛି । ରାଜ୍ୟ ସରକାର ଏଦିଗରେ ଏପର୍ଯ୍ୟନ୍ତ କାହିଁକି ମୁହଁ ଖୋଲୁ ନାହଁନ୍ତି ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି । ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହେବା ପାଇଁ ଗ୍ରାମ ସଭାରେ ନିଷ୍ପତି ହେବା ଦରକାର । ପ୍ରତିପଂଚାୟତରେ ଜନନିରୀକ୍ଷଣ ସମିତି କରାଯାଉ ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ତାଲିକା ଭୃକ୍ତ କରାଯାଉ । ଏହା ସହ ସାନି ସର୍ଭେ କରି ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇ ଦିଆଯାଉ । ଅଯୋଗ୍ୟ ହିତାଧିକାରୀକୁ ପକ୍କାଘର ବାଂଟିଲେ ରାଜ୍ୟ ସରକାର ଅସୁବିଧାରେ ପଡିବେ ବୋଲି ଶ୍ରୀ ହରିଚନ୍ଦନ ଚେତାବନୀ ଦେଇଛନ୍ତି । ଆଗାମୀ ୪୮ ଘଂଟାରେ ରାଜ୍ୟ ସରକାର ପକ୍କା ଘର ବଂଟନ ମହା ଦୁର୍ନୀତି ଉପରେ ବିଜେପି ପକ୍ଷରୁ ପଚରାଯାଇଥିବା ପ୍ରଶ୍ନର ଉତର ରଖିବାକୁ ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି ।