
ପୁରୀ,ଜ୍ୱରରେ ପୀଡ଼ିତ ହୋଇ ଅଣସର ପିଣ୍ଡିରେ ଅବସ୍ଥାନ କରୁଥିବା ଶ୍ରୀଜୀଉମାନେ ଆଜି ଦଶମୂଳ ଲାଗି ପରେ ସୁସ୍ଥ ହେବେ । ଆଜି ଏକାଦଶୀ ଅବସରରେ ଶ୍ରୀଜୀଉଙ୍କ ନିକଟରେ ଦଶମୂଳ ମୋଦକ ସମର୍ପଣର ପରମ୍ପରା ରହିଛି । ଶ୍ରୀମନ୍ଦିରର ରାଜବୈଦ୍ୟ ସେବକ ମାନେ ପୁରୁଷାନୁକ୍ରମେ ମହାପ୍ରଭୁଙ୍କ ଏହି ସେବା କରିଥାନ୍ତି । ଏହି ମହୌଷଧି ପ୍ରସ୍ତୁତି ନିମନ୍ତେ ଶାଳପନ୍ନି, ଗମ୍ଭାରୀ, ଫଣଫଣା, କୃଷ୍ଣ ପନ୍ନି, ଅଗବଥୁ, ବେଲ, ଅଙ୍କରାନ୍ତି, ଗୋଖରା, ଲବିଂ କୋଳି, ନବାଙ୍କୁରୀକୁ ପ୍ରଥମେ ଶୁଖାଯାଇଥାଏ । ପରେ ଏହାକୁ କୁଟାଯାଇ ଗୁଣ୍ଡ କରାଯାଇଥାଏ । ଏହି ଗୁଣ୍ଡକୁ ଗାମୁଛାରେ ଛାଣି ନୂତନ କାଠ ଚୁଲାରେ କଡ଼େଇ ବସାଯାଇ ଖୁଆ, ଶର୍କରା, ସର, ମହୁ, ଘିଅ, ଭାଙ୍ଗ ଆଦି ପକାଯାଇ ଏହାକୁ ପାଗ କରାଯାଏ । ପାଗ ପରେ ଏହାକୁ କଦଳୀ ପତ୍ର ଉପରେ ରଖାଯାଇ ଥଣ୍ଡା କରାଯାଇଥାଏ । ଥଣ୍ଡା ହେଲା ପରେ ଏହାକୁ ଗୋଲାକାର ମୋଦକ କରି ତିନୋଟି କୁଡ଼ୁଆରେ ରଖାଯାଇଥାଏ । ଏହା ଉପରେ କର୍ପୂର ଦେଇ ତାଳପତ୍ର ଭୋଗେଇରେ ରଖି ଶ୍ରୀମନ୍ଦିର ଗାରଦରେ ଦାଖଲ କରାଯାଇଥାଏ । ଆଜି ପବିତ୍ର ଏକାଦଶୀ ତିଥିରେ ଶ୍ରୀମନ୍ଦିର ବୈଦ୍ୟଙ୍କ ପରାମର୍ଶ କ୍ରମେ ପତି ମହାପାତ୍ର ସେବକ ଶ୍ରୀଜୀଉଙ୍କୁ ଦଶମୂଳ ମୋଦକ ଲାଗି କରିବାର ପରମ୍ପରା ରହିଛି ।
ଦଇତାପତି ସେବକ ମାନେ ଶ୍ରୀଜୀଉଙ୍କୁ ସୁସ୍ଥ କରିବା ପାଇଁ ଦେଉଳ ବୈଦ୍ୟଙ୍କ ପରାମର୍ଶ କ୍ରମେ ଆର୍ୟୁବେଦିକ ଉପଚାରରେ ଚିକିତ୍ସା ସେବା ଜାରୀ ରଖିଛନ୍ତି । ଦେଉଳ ବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ଦଶମୂଳ ମୋଦକ ଆଜି ଶ୍ରୀଜୀଉଙ୍କୁ ଲାଗି କରାଯିବ । ଶ୍ରୀଜୀଉଙ୍କ ଶୁକ୍ଳ ବସ୍ତ୍ରକୁ ଓଲାଗି କରାଯିବ । ରଙ୍ଗବେରଙ୍ଗର ଫୁଲ ସହ ତୁଳସୀ ମାଳରେ ସୁସଜ୍ଜିତ ହେବେ ମହାପ୍ରଭୁ । ଏହା ପୂର୍ବରୁ ଓଡ଼ିଆ ମଠରୁ ଆୟୁର୍ବେଦିକ ଚେରମୂଳି ମିଶ୍ରିତ ଫୁଲୁରୀ ତେଲ ଆସି ଶ୍ରୀଜୀଉଙ୍କ ଶ୍ରୀ ଅଙ୍ଗରେ ଲାଗି ହୋଇଥିଲା । ସ୍ନାନ ପୂର୍ଣ୍ଣିମା ଠାରୁ ନବଯୌବନ ଦର୍ଶନ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଏହି ଗୁପ୍ତ ନୀତି ଓ ଅଣସର ବିଧି ୧୫ ଦିନ ଧରି ପାଳିତ ହୋଇଥାଏ । ଓଦା ବସ୍ତ୍ର ଫିଟା, ଶ୍ରୀଅଙ୍ଗ ଫିଟା, ଫୁଲୁରୀ ତେଲ ଲାଗି, ଓଷ ଲାଗି, ଖଳି ଲାଗି, ଚକା ଅପସର, ଖଡ଼ି ଲାଗି ଆଦି ନୀତି ଅନୁଷ୍ଠିତ ହୋଇଥାଏ ।