ଜ୍ୱରପୀଡ଼ା ଲାଘବ ପାଇଁ ପଞ୍ଚମୀ ତିଥିରେ ଦାରୁବ୍ରହ୍ମଙ୍କୁ ଲାଗି କରାଯାଇଛି ଫୁଲୁରି ତେଲ। ଓଡ଼ିଆ ମଠ ଯୋଗାଇଥିବା ଚେରମୂଳଯୁକ୍ତ ରାଶିତେଲକୁ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ମାଲିସ୍ କରିଛନ୍ତି ଦଇତାପତି ।ଘଣାପେଢା ଶୁଦ୍ଧ ରାଶିତେଲରେ ଧାନ, ସୁବାସିତ ଚାଉଳ, ମେଥି,ବେଣାଚେର, ସାତ ପ୍ରକାର ଚେରମୂଳି, ମଲ୍ଲୀ,ଚମ୍ପା, କିଆଫୁଲ, ବଉଳଫୁଲ ,କସ୍ତୁରୀ, କର୍ପୂର, ଚୁଆ ଏବଂ କେଶର ପକାଯାଇ ଫୁଲୁରୀ ତେଲ ପ୍ରସ୍ତୁତ କରାଯାଇଛି । ମଙ୍ଗଳବାର ପଟିଦିଅ ମଧାହ୍ନଧୂପ ଶେଷହେବା ପରେ ଜୟବିଜୟ ଦ୍ଵାର ବନ୍ଦ କରାଯାଇଥିଲା । ଅଣସର ତାଟି ଖୋଲି ଦଇତାପତି ସେବକ ଅଣସର ଘରେ ପ୍ରବେଶ କରିଲେ ।
ଓଡ଼ିଆ ମଠ ମହନ୍ତ ଅଧିକାରୀ ବଂଶୀଧର ଦାସ ଦୁଇଟି ମାଟିପାତ୍ରରେ ପଠାଇଥିବା ଫୁଲୁରି ତେଲ ଅଣସରଘକୁ ନିଆଯାଇଥିଲା। ପରମ୍ପରା ଅନୁଯାୟୀ ପତି ମହାପାତ୍ର ତାହାକୁ ସଂସ୍କାର କରିଥିଲେ। ଦଇତାପତିମାନେ ଚତୁର୍ଦ୍ଧାମୂର୍ତିଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲାଗି କରିଲେ। ମହାପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କ ସପ୍ତାବରଣ ଓ ଶ୍ରୀଅଙ୍ଗଫିଟା ପରେ ପୂର୍ଣ୍ଣିମା ତିଥିରେ ଫୁଲୁରି ତେଲ ଲାଗି କରାଯିବା ବିଧି ରହିଛି ।ଏହି ଵିଧି ଓ ଗୁପ୍ତ ସେବା ଦର୍ଶନରୁ ଭକ୍ତମାନେ ବଞ୍ଚିତ ରୁହନ୍ତି | ଏହି ସେବାକୁ କଳ୍ପନା କରିଵା ସହିତ ଭକ୍ତ ମାନଙ୍କ ଉଦେଶ୍ୟରେ ଶିଳ୍ପୀ ସୂର୍ଯ୍ୟକାନ୍ତ ଦାସ ଡିଜିଟାଲ ଚିତ୍ର ମାଧ୍ୟମରେ ପରିପ୍ରକାଶ କରିଛନ୍ତି |