ତିନିରଥର ଦ୍ୱିତୀୟ ଭୁଇଁ ଏବଂ ତୃତୀୟ ଭୁଇଁ ରେ କଇଁଚି ଫିଟିଙ୍ଗ ହୋଇଅଛି | ଏହି କଇଁଚି ଦୋୟ ଭୁଇଁର ଚାରିକାଠର ଉଭୟ ପାର୍ଶ୍ୱରେ କ୍ରସ କରି ଭୁଇଁ କଣ୍ଟା ବାଡ଼ିଆଯାଇ ସେଟ ହୋଇଅଛି ।
ଏଥିସହ ଆଜି ତିନିରଥ ସମ୍ମୁଖ ଭାଗ ଏବଂ ପଛ ଭାଗରେ ଦୁଇଟି ଲେଖାଁଏ ‘କତରା’ ଫିଟିଙ୍ଗ କରାଯାଇଅଛି ।ଏହି କତରା ରଥ ଦଣ୍ଡା ଉପର ଗରଗରା ରେ ଠେସ ହୋଇ ଖଦି ଓରାରେ କାପ ପଡି ଅସୁଆରି,କୋଣଗୁଜ ସହ ସଂଲଗ୍ନ ହୋଇ ଚାରପରିଛ ଉପର ଦେଇ ହାତୀ ଶୁଣ୍ଢ ପରି ଅଢେ଼ଇ ଫୁଟ ବାହାରକୁ ବାହାରି ରହିଥାଏ । ଏହା ଭିରର ଅଂଶକୁ ବାନ୍ଧେଣି ସହ ରଥର ସୌନ୍ଦର୍ଯ୍ୟ ତଥା ସେବକ ମାନେ ସେବାପାଇଁ ରଥକୁ ଉଠିଲା ବେଳେ ସହାୟକ ହେଉଥାଏ ।ତିନିରଥର ପାରା ଭାଡ଼ି କୁ ମିଶାଇ ୧୩ ପରସ୍ତ ପୋଟଳ ନିର୍ମାଣ ଶେଷ ହୋଇଅଛି |ପାରା ଭାଡ଼ି ରଙ୍ଗ ସହ ପାରା ଚିତ୍ର ଅଙ୍କନ ପରେ ସମସ୍ତ ପୋଟଳ ରଥ ଉପରେ ଫିଟିଙ୍ଗ ହେବ |ତିନିରଥ ବେଦି ସମ୍ମୁଖ ଭାଗ ରେ ଆଜି ତାଗ ପଡିବା ସମ୍ପୁର୍ଣ୍ଣ ହୋଇଅଛି |
ତାଳଧ୍ଵଜ ରଥ ଏବଂ ଦେବଦଳନ ରଥର ସିଂହାସନ ରେ କୁମ୍ଭ ଡାଳି ଲତା ଖୋଦେଇ କାମ ଶେଷ କରି ରୂପକାର ସେବକ ମାନେ ନନ୍ଦିଘୋଷ ରଥର ସିଂହାସନ ରେ କୁମ୍ଭ ଡାଳିଲତା ଖୋଦେଇ ସହ ନାଟ ଗୋଡ଼ରେ ରାହୁରୂପ ଖୋଦେଇର ଶେଷ ସ୍ପର୍ଶ ଦେଉଛନ୍ତି ।ଆଜି ଚିତ୍ରକର ସେବକ ମାନେ ତିନିରଥର ତଳ ଭାଗ ଅଂଶ ଗୁଡିକ ରଙ୍ଗ ପାଇଁ ଧଳା ପ୍ରାଇମର ମାରିବା ଆରମ୍ଭ କରିଛନ୍ତି ।ଦୋଳବେଦୀ ସ୍ଥ ଅସ୍ଥାଇ କମାର ଶାଳ ରେ ଓଝା ସେବକ ମାନେ ଅନ୍ଧାରି ତାଗ କଣ୍ଟା, କତାରି କଣ୍ଟା,ତାଗ କଣ୍ଟା, ଉପର କଇଁଚି କଣ୍ଟା ନିର୍ମାଣ କରି ରଥ ମହାରଣା ଏବଂ ଭୋଇ ସେବକ ମାନଙ୍କୁ ଯୋଗାଇବା ସହ ତିନିରଥର ତେରପରସ୍ତ ପୋଟଳ କଣ୍ଟା ବା ଜଙ୍ଘ।କଣ୍ଟା ସାଢେ ଚାରି ଫୁଟର ଚାରୋଟି ଲେଖାଁଏ ୧୨ ଗୋଟି (ପୋଟଳକୁ ବାନ୍ଧି ରଖିବା ପାଇଁ ) ନିର୍ମାଣ କରୁଛନ୍ତି ।ଏଥି ସହ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟର ଉପର ପ୍ରକୋଷ୍ଠରେ ତିନି ରଥର ଦରଜି ସେବକ ମାନେ ମାଳ ମାହାରଦ ସହ ନଡ଼ିଆ ବାଡ଼ାଇ ଅନୁକୂଳ ପୂଜା ସହ ରଥର ଦୁଆର ବେଢା ପାଇଁ ରଥ କନା କଟିଙ୍ଗର ଶୁଭାରମ୍ଭ କରିଛନ୍ତି ।