ପୁରୀ,ଆସନ୍ତା କାଲି ଅନୁଷ୍ଠିତ ହେବାକୁ ଯାଉଛି ଶ୍ରୀଜୀଉଙ୍କ ପବିତ୍ର ସ୍ନାନ ଯାତ୍ରା । ଏହି ବିଶେଷ ତିଥିରେ ସ୍ନାନ ମଣ୍ଡପରେ ୧୦୮ ଗରା ଅଭିମନ୍ତ୍ରିତ ଅଧିବାସ ଜଳରେ ସ୍ନାନ କରିବେ ଶ୍ରୀଜୀଉମାନେ । ଏହା ପରେ ଚତୁର୍ଦ୍ଧାମୂର୍ତିଙ୍କ ଅଣସର ସେବା ଆରମ୍ଭ ହେବ । ସ୍ନାନ ଯାତ୍ରାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି । ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରୋନା କଟକଣା ମଧ୍ୟରେ ଅନୁଷ୍ଠିତ ହେବ ସ୍ନାନ ଯାତ୍ରା । କେବଳ ପାଳିଆ ସେବାୟତ ମାନେ ଏହି ନୀତିକାନ୍ତିରେ ସାମିଲ୍ ରହିବେ । ନୀତିକାନ୍ତିରେ ସାମିଲ୍ ହେବାକୁ ଥିବା ସେବାୟତ ମାନେ ଦୁଇଟି ଡୋଜ୍ କରୋନା ଟୀକା ନେଇଥିବେ । ଏବଂ ୪୮ ଘଂଟା ପୂର୍ବରୁ ସେମାନଙ୍କର ଆରଟି-ପିସିଆର ଟେଷ୍ଟ କରାଯାଇଥିବ । ଗତକାଲି ଠାରୁ ଦଇତାପତି ସେବକ ମାନେ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି । ସେମାନେ ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ଓ ଅଣସର ଗୁପ୍ତ ସେବା ଜାରୀ ରଖିଛନ୍ତି । ଆଜି ରାତି ୧ଟା ସମୟରେ ଶ୍ରୀଜୀଉଙ୍କ ମଙ୍ଗଳାର୍ପଣ ନୀତି ଅନୁଷ୍ଠିତ ହେବ । ରାତି ୧ଟାରୁ ଭୋର୍ ୪ଟା ମଧ୍ୟରେ ରତ୍ନବେଦିରୁ ସ୍ନାନବେଦିକୁ ପହଣ୍ଡି ବିଜେ କରିବେ ଶ୍ରୀଜୀଉମାନେ । ସକାଳ ୧୦ଟାରେ ନୂଆ ଲୁଗା ଲାଗି ବେଶ ଓ ପୂର୍ବାହ୍ନ ୧୦ଟା ୩୦ ରେ ଛେରା ପହଁରା ନୀତି ଅନୁଷ୍ଠିତ ହେବ । ଆସନ୍ତା କାଲି ପୂର୍ବାହ୍ନ ୧୧ ଟାରୁ ୧୨ଟା ମଧ୍ୟରେ ସ୍ନାନ ବେଦିରେ ଶ୍ରୀଜୀଉ ମାନଙ୍କ ହାତୀ ବେଶ ଅନୁଷ୍ଠିତ ହେବ ଏବଂ ଏହି ବେଶ ଅପରାହ୍ନ ୪ଟା ପର୍ଯ୍ୟନ୍ତ ରହିବ । ଅପରାହ୍ନ ୪ଟା ପରେ ହାତୀ ବେଶ ମଇଲମ କରାଯିବ । ସଂନ୍ଧ୍ୟା ୫ଟାରେ ଶ୍ରୀଜୀଉଙ୍କ ବାହୁଡ଼ା ପହଣ୍ଡି କାର୍ଯ୍ୟ ଅନୁଷ୍ଠିତ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂତ୍ରରୁ ଜଣାପଡିଛି ।ସେହିପରି ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଆଜି ରାତି ୧୦ ଟା ଠାରୁ ମନ୍ଦିରକୁ ସଂଯୋଗ କରୁଥିବା ବିଭିନ୍ନ ପ୍ରବେଶ ପଥରେ ୧୪୪ ଧାରା ଜାରୀ କରାଯିବ । ଏହି କଟକଣା ଆସନ୍ତା ୨୫ ତାରିଖ ଭୋର୍ ୨ଟା ପର୍ଯ୍ୟନ୍ତ ବଳବତର ରହିବ । ଏଥି ସହ ମନ୍ଦିର ଭିତରେ ଓ ବାହାରେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କୌଣସି ସାଧାରଣ ଭକ୍ତ ମହାପ୍ରଭୁଙ୍କୁ ସ୍ନାନ ବେଦିରେ ଦର୍ଶନ କରିପାରିବେ ନାହିଁ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତିକାନ୍ତି ଓ ବ୍ୟବସ୍ଥାବଳୀ ଅନୁଯାୟୀ ସେବାୟତ ମାନେ ସମସ୍ତ ସେବା କାର୍ଯ୍ୟ ଜାରୀ ରଖିଛନ୍ତି ।