କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ପୁରୀ ଡାକ ମଣ୍ଡଳ ତରଫରୁ ସପ୍ତମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପୁରୀ ପ୍ରଧାନ ଡାକଘର ଓ ପୁରୀ ଡାକମଣ୍ଡଳ ଅନ୍ତର୍ଗତ ପୁରୀ ଜିଲ୍ଲାର ପ୍ରମୁଖ ଡାକଘର ମାନଙ୍କରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଡା଼କ କର୍ମଚାରୀମାନେ ବହୁ ସଂଖ୍ୟାରେ କେନ୍ଦ୍ର ସରକାରଙ୍କର AYUSH ମନ୍ତ୍ରାଳୟ ୱେକ୍ସାଇଟ ଜରିଆରେ ଯୋଗ ସମ୍ବନ୍ଧିତ ଶପଥ ପାଠରେ ଅଂଶ ଗ୍ରହଣ କରିଥିଲେ । ପୁରୀ ପ୍ରଧାନ ଡାକଘର ପ୍ରାଙ୍ଗଣରେ ପୋଷ୍ଟମାନ ମାନଙ୍କ ଅଂଶ
ଗ୍ରହଣରେ ତା ୧୯.୦୬.୨୦୨୧ ରିଖରେ ଯୋଗ ସମ୍ବନ୍ଧୀୟ ଏକ କର୍ମଶାଳା ଆୟୋଜିତ ହୋଇଥିଲା ଏବଂ ତା୨୧.୦୬.୨୦୨୧ ରିଖରେ ପ୍ରାତଃ ସମୟରେ କର୍ମଚାରୀ ମାନଙ୍କୁ ନେଇ ଏକ ଯୋଗାଭ୍ୟସ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ପ୍ରଧାନ ଡାକଘର ପରିସରରେ ଔଷଧୀୟ ବୃକ୍ଷ ଚାରା ରୋପଣ କରାଯାଇଥିଲା । ଏହା ଛଡ଼ା ସପ୍ତମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସକୁ ସ୍ମରଣୀୟ କରିବା ପାଇଁ ଏକ ସ୍ବତନ୍ତ୍ର ଡାକ ମୋହର ଉନ୍ମୋଚନ କରାଯାଇଥିଲା । ଯୋଗକୁ ଅଧିକ ଲୋକପ୍ରିୟ କରିବା ପାଇଁ ବିତରଣ ପାଇଁ ଆସିଥିବା ଏବଂ ବୁକିଂ ହୋଇଥିବା ସମସ୍ତ ଚିଠିରେ “ଯୋଗ ସହିତ ରୁହନ୍ତୁ ଓ ଘରେ ରୁହନ୍ତୁ” ଶୀର୍ଷକ ବାର୍ତ୍ତା ମୋହର ଜରିଆରେ ଛପା ଯାଇଥିଲା । ଏ ସମସ୍ତ କାର୍ଯ୍ୟକ୍ରମ କରୋନା ଭୁତାଣୁ ସମ୍ପର୍କିତ ସତର୍କତା ଅନୁପାଳନ ସହ ସମ୍ପାଦିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ବରିଷ୍ଠ ଡାକମଣ୍ଡଳ ଅଧୀକ୍ଷକ ଶ୍ରୀ ବିପିନ ବିହାରୀ ମହାନ୍ତିଙ୍କ ତତ୍ତ୍ଵାବଧାନରେ ସମ୍ପାଦିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପୁରୀ ପ୍ରଧାନ ଡାକଘରର ଡାକପାଳ ଶ୍ରୀମତୀ ମମତା ପଣ୍ଡା, ଡ଼ାକମଣ୍ଡଳର ସହକାରୀ ଅଧୀକ୍ଷକ ଶ୍ରୀ ଭଗବାନ ନାୟକ, ଲୋକସମ୍ପର୍କ ନିରୀକ୍ଷକ ଶ୍ରୀ ସୁଧୀଶୁ ଶେଖର ଦାଶ, କର୍ମଚାରୀ ପ୍ରତିନିଧି ଶ୍ରୀ ମନୋଜ କୁମାର ପାଣିଗ୍ରାହୀ ଓ ଶ୍ରୀ ସରୋଜକାନ୍ତି ଦେ ପ୍ରମୁଖ ଅନ୍ୟାନ୍ୟ କର୍ମଚାରୀ ଏବଂ ଜିଲ୍ଲାର ପ୍ରମୁଖ ଡାକଘର ମାନଙ୍କର କର୍ମଚାରୀ ଓ ଉପମଣ୍ଡଳୀୟ ଅଧିକାରୀଗଣ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଂଶ ଗ୍ରହଣ କରିଥିଲେ ।