ଭୁବନେଶ୍ୱର, ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ କରୋନାରେ ୪୨ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହ ରାଜ୍ୟରେ କରୋନା କାରଣରୁ ମୃତ୍ୟୁ ସଂଖ୍ୟା ବଢି ୩୫୫୦ ହୋଇ ଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସେହିପରି ଆଜି ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହି ଜିଲ୍ଲାରୁ ୬ ଜଣ ଆକ୍ରାନ୍ତ ଆଖି ବୁଜିଥିବାବେଳେ କଟକ, ଝାରସୁଗୁଡ଼ା, ପୁରୀ ଓ ସୁନ୍ଦରଗଡ ଜିଲ୍ଲାରୁ ୪ ଜଣ ଲେଖାଏଁ, ବରଗଡ଼, କେନ୍ଦ୍ରାପଡା ଓ କୋରାପୁଟ ୩ ଲେଖାଏଁ, ଅନୁଗୁଳ, ମାଲକାନଗିରି, ମୟୁରଭଂଜ, ନୂଆପଡା ଜିଲ୍ଲାରୁ ୨ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ସେହିପରି କଳାହାଣ୍ଡି, ରାୟଗଡା ଓ ସୋନପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ନେଇ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।