ଭୁବନେଶ୍ୱର, ଘୋଡ଼ା ଓ ଯୋଦ୍ଧା ମୂର୍ତ୍ତିକୁ ସ୍ଥାନାନ୍ତରଣ ନକରି ମାଷ୍ଟରକ୍ୟାଂଟିନର ସୌନ୍ଦର୍ଯ୍ୟକରଣ ପାଇଁ ବିଚାର କରିବାକୁ ରାଜ୍ୟ ସରକାରଙ୍କୁ ଅପିଲ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଟ୍ୱିଟ କରି ଏହି ଅପିଲ କରିଛନ୍ତି । ଶ୍ରୀ ପ୍ରଧାନ ଟ୍ୱିଟ କରି କହିଛନ୍ତି ଯେ – ଓଡ଼ିଶାର ସମୃଦ୍ଧ ଐତିହ୍ୟ ଓ କୀର୍ତିରାଜିର ପ୍ରତୀକ ଭୁବନେଶ୍ୱରର ମାଷ୍ଟରକ୍ୟାଂଟିନ ଛକରେ ଥିବା ଘୋଡ଼ା ଓ ଯୋଦ୍ଧା ମୂର୍ତିକୁ ସ୍ଥାନାନ୍ତର କରିବା ନିଷ୍ପତିକୁ ସବୁ ମହଲରୁ ନାପସନ୍ଦ କରାଯାଉଛି । ୧୯୬୪ ମସିହାରେ କୋଣାର୍କ ଘୋଡା ଓ ଯୋଦ୍ଧାକୁ ଓଡ଼ିଶା ଶାସନର ପ୍ରତୀକ ରୁପେ ଗ୍ରହଣ କରାଯାଇଥିଲା ।
ସେ କହିଛନ୍ତି ଯେ – ପରବର୍ତୀ ପର୍ଯ୍ୟାୟରେ ୧୯୮୮ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ୱାରା ଓଡ଼ିଶାର ପ୍ରଖ୍ୟାତ ସ୍ଥପତି ପଦ୍ମବିଭୂଷଣ ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ଅନନ୍ୟ ସୃଷ୍ଟି ଘୋଡ଼ା ଓ ଯୋଦ୍ଧା ମୂର୍ତିକୁ ମାଷ୍ଟରକ୍ୟାଂଟିନ ଛକରେ ସ୍ଥାପିତ କରାଯାଇଥିଲା ।ରାଜ୍ୟର ବିଶିଷ୍ଟ ବ୍ୟକ୍ତି ବିଶେଷ ମାନଙ୍କୁ ଏହି କୀର୍ତିରାଜିର ସ୍ଥାନାନ୍ତରଣ ବ୍ୟଥିତ କରିଛି । ଏହି କୀର୍ତ୍ତିରାଜି ଆମ ଐତିହ୍ୟର ପରିଚୟ । ସମସ୍ତ ଓଡ଼ିଶାବାସୀଙ୍କ ଭାବାବେଗକୁ ସମ୍ମାନ ଦେଇ ରାଜ୍ୟ ସରକାର ଏହାକୁ ସୁରକ୍ଷିତ ରଖିବା ସହ ସ୍ଥାନାନ୍ତରଣ ନକରି ମାଷ୍ଟରକ୍ୟାଂଟିନର ସୌନ୍ଦର୍ଯ୍ୟକରଣ ପାଇଁ ବିଚାର କରନ୍ତୁ ବୋଲି ସେ କହିଛନ୍ତି ।