● ଦୁର୍ନୀତିର ମୂଳପୋଛ ପାଇଁ ପ୍ରତିବାଦର ନିଆରା ତରିକା
● ବାଲେଶ୍ଵର ଏସପିଙ୍କ ଅଫିସ୍ ଫାଟକ ସାମ୍ନାରେ ବସିଲେ ଧାରଣାରେ
ବାଲେଶ୍ଵର, କୃଷ୍ଣ କୁମାର ମହାନ୍ତି ଙ୍କ ଠାରୁ – ବର୍ଦ୍ଦି ଚାଲିଯିବା ପରେ ସହଯୋଗ ପାଇନାହାଁନ୍ତି ଉଜ୍ଜ୍ବଳ। ଜଣେ ପୋଲିସ ବିଭାଗରେ ଚାକିରି କରି ଅବସର ନେଇଥିବା ପଦାଧିକାରୀ ଯଦି ନ୍ୟାୟ ପାଉନାହାନ୍ତି ତେବେ ଭାବନ୍ତୁ ଥରେ ସାଧାରଣ ଲୋକ କଥା।ପୋଲିସ ବିଭାଗରୁ ନ୍ୟାୟୋଚିତ ସେବା ପାଇନଥିବାର ଅଭିଯୋଗର ବହୁତ ପୁରୁଣା। କିନ୍ତୁ ଅବାକ୍ ହେବାକୁ ପଡେ ଉଜ୍ଜ୍ଵଳଙ୍କ ଘଟଣାରେ। ୩୬ ବର୍ଷର ଚାକିରି ଜୀବନ। ପୁଲିସ ବିଭାଗର ପୁଣି ଦୁର୍ନୀତି ନିବାରଣ ଏସପି। ଦେହରେ ବର୍ଦ୍ଦି ଥିବାବେଳେ ନିଜ କାମ ନିର୍ମଳ ଭାବେ କରି ଲୋକଙ୍କୁ ଦେଇଛନ୍ତି ସେ ପ୍ରକୃତ ସେବା। ବଦଳରେ କେବେ କାହା ଠୁ ପାଇବାର ରଖିନାହାନ୍ତି ଆଶା। ମାତ୍ର ଏପରି ଜଣେ ପୁଲିସ ଅଧିକାରୀ ବି ପୁଲିସ ଠୁ ଉପଯୁକ୍ତ ସେବା ପାଇବାରୁ ଆଜି ବଞ୍ଚିତ। ଦେହରୁ ପୋଲିସ ପରିଧାନ ଯିବା ପରେ ସେ ପୁଲିସ ବିଭାଗରୁ ହିଁ ପାଉଛନ୍ତି ଓଲଟା ବ୍ୟବହର। ନିଜ ଘରର ଚୋରି ଘଟଣା ହେଉ କି ଜମିଜମା ବିବାଦ, ଏହିପରି ୪ଟି କେସ୍ରେ ସେ କୌଣସି ପ୍ରକାର ସହଯୋଗ ପାଇନାହାଁନ୍ତି। ଶେଷରେ ଏଇ ବର୍ଷ ପୁଣି ଏସ୍ପିଙ୍କୁ ଭେଟି ନିଜର କେସ୍ ସମ୍ପର୍କରେ ବୁଝିଥିଲେ ହେଁ
କୌଣସି ପ୍ରକାର ଫଳପ୍ରଦ ନାହିଁ। ନିଜେ ପୁଲିସ ଚାକିରି କରି ଯଦି ତାଙ୍କୁ ଏପରି ଭୋଗିବାକୁ ପଡ଼ୁଛି ତେବେ ଜଣେ ସାଧାରଣ ଲୋକଙ୍କୁ କିପରି ଏମାନେ ସହଯୋଗ କରିବେ, ଏହା ଚିନ୍ତାରେ ପକାଇଛି ଉଜ୍ଜ୍ଵଳଙ୍କୁ। ତେଣୁ ଜିଲ୍ଲା ପ୍ରଶାସନର ପ୍ରତିଟି ବିଭାଗ କିପରି ଦୁର୍ନୀତିମୁକ୍ତ ହେବ ଏବଂ ସାଧାରଣ
ଲୋକ ପୁଲିସର ସେବା ନିରନ୍ତର ସୁବିଧାଜନକ ଭାବେ ପାଇପାରିବେ ସେ ନେଇ ଏକ ଅଭିନବ ଧରଣର ଧାରଣାରେ ବସିଛନ୍ତି ଉଜ୍ଜ୍ବଳ କୁମାର ବ୍ରହ୍ମା। ପୁଲିସ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣିବା ସହିତ ଦେଶକୁ ଦୁର୍ନୀତିମୁକ୍ତ
କରିବା ପାଇଁ ଜଣେ ପୂର୍ବତନ ଭିଜିଲାନ୍ସ୍ ଏପ୍ସିଙ୍କ ଏ ପ୍ରୟାସ। ଗାନ୍ଧି ଜୟନ୍ତୀ ଠୁ ଆରମ୍ଭ କରିଛନ୍ତି ଏଇ ଅଭିନବ ଧାରଣା। ଅନେକ ସମୟରେ ସାଧାରଣ ଲୋକ ପୁଲିସ ସେବାରେ ବଞ୍ଚିତ ହୋଇଛନ୍ତି। ବାଲେଶ୍ବର ସହଦେବଖୁଣ୍ଟା ଅଞ୍ଚଳରେ ରହୁଥିବା ଉଜ୍ଜ୍ବଳ କୁମାର ଏବେ ପୁଲିସ ବିଭାଗ ସମେତ ପ୍ରତିଟି ବିଭାଗକୁ ଦୁର୍ନୀତିମୁକ୍ତ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଉଜ୍ଜ୍ବଳ ୧୯୭୫ ମସିହାରେ ସୁନ୍ଦରଗଡ଼ ଜିଲ୍ଲାରେ ସବ୍ଇନ୍ସପେକ୍ଟର ଭାବେ ନିଯୁକ୍ତି ପାଇ ପୁଲିସ ବିଭାଗରେ ପ୍ରବେଶ କରିଥିଲେ।
ପରେ ଭୁବନେଶ୍ବର ଡିଭିଜନରେ ଭିଜିଲାନ୍ସ୍ ଏସ୍ପି ଭାବେ କାମ କରି ୫୮ ବର୍ଷ ବୟସରେ ନେଇଥିଲେ। ଅବସର ନେବାର ୧୦ ବର୍ଷ ପୂରିବ। ୩୬ ବର୍ଷ ପୁଲିସ ବିଭାଗରେ ରହି କାମ କରିବା ପରେ ଏବେ ସେ ପୁଲିସ ବିଭାଗରେ ଦୁର୍ନୀତି ଥିବା
ଲକ୍ଷ୍ୟ କରିଛନ୍ତି। ସେଥିପାଇଁ ଏକ ଅଭିନବ ଉପାୟ ଅର୍ଥାତ ଦୁର୍ନୀତି କରୁଥିବା ପ୍ରତିଟି ବିଭାଗ ସମ୍ମୁଖରେ ମାଗଣାରେ ଜୋତା ପଲିଶ୍ କରିବାକୁ ସ୍ଥିର କରିଛନ୍ତି।
ପ୍ରଥମେ ଅକ୍ଟୋବର ୨ ଗାନ୍ଧି ଜୟନ୍ତୀରେ ସହଦେବଖୁଣ୍ଟା ଥାନା ସମ୍ମୁଖରେ ମାଗଣାରେ ଜୋତା ପଲିଶ୍ ଆରମ୍ଭ କରିଥିଲେ। ତାପରେ ୩ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ
ଧାରଣାରେ ବସି ସାଧାରଣ ଲୋକଙ୍କ ଜୋତା ସଫା କରିଥିଲେ। ଆଜି ବାଲେଶ୍ବର ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ଜୋତା ପଲିଶ୍ କରୁଥିବା ଦେଖିବାକୁ ମିଳିଛି।
“ଯେକୌଣସି ବିଭାଗ ହେଉ କି ଶିକ୍ଷାନୁଷ୍ଠାନ ଦୁର୍ନୀତି ହେଉଥିବା
ଜାଣିଲେ ହିଁ ସେଠାରେ ମୁଁ ଧାରଣାରେ ବସି ଜନସାଧାରଣଙ୍କ ଜୋତା ପଲିଶ୍ କରିବା ସହିତ ସାଧାରଣଲୋକଙ୍କୁ
ସଚେତନ କରିବି” ବୋଲି ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି। ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଦୁର୍ନୀତି ହେଉଥିବା ଜାଣି ଆଜି ଦିନ ତମାମ୍ ଧାରଣାରେ ବସିଥିଲେ ଉଜ୍ଜ୍ବଳ କୁମାର ବ୍ରହ୍ମା। ତାଙ୍କର ଏପରି କାର୍ଯ୍ୟକୁ ଅନେକ ସମର୍ଥନ ମଧ୍ୟ କରୁଛନ୍ତି। ଜଣେ ଅବସରପ୍ରାପ୍ତ ପୁଲି ଅଫିସର୍ ଯଦି ପୁଲିସ ନ୍ୟାୟ
ପାଇ ପାରୁନାହାଁନ୍ତି ତେବେ ସାଧାରଣ ଲୋକ କେମିତି ପାଇବେ ବୋଲି ସମସ୍ତଙ୍କ ମନରେ ଉଠୁଛି ପ୍ରଶ୍ନ। “ମୁଁ ପୁଲିସରେ ଥିଲି, ଲୋକଙ୍କୁ କେମିତି ସେବା ଦିଆଯାଏ ଜାଣିଛି। ଆଜିକାଲି
ପୁଲିସମାନେ ଏସି ଭିତରେ ବସି ନିଷ୍କ୍ରିୟ ହୋଇଗଲେଣି।
ମୁଁ ଚାହେଁ ଯେ ମୋ ବିଭାଗକୁ ସମସ୍ତେ ଭଲ କୁହନ୍ତୁ। କେହି
ଯେମତି ପୁଲିସ ନାଁରେ ଏମିତି ନକୁହନ୍ତୁ ଯେ ଏ ହେଉଛି ଲାଞ୍ଚୁଆ ପୁଲିସ। ତେଣୁ ଏଥିରେ ସୁଧାର ଆଣିବା ପାଇଁ ମୋର ଏ ପ୍ରୟାସ ଜାରି ରହିବ” ବୋଲି ଶ୍ରୀ ବ୍ରହ୍ମା କହିଛନ୍ତି।