ସମ୍ବଲପୁର, ମଧ୍ୟରାତ୍ରିର ବ୍ରହ୍ମମୁହୁର୍ତ୍ତରେ ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଅବସରରେ ଦେବଦେବ ମହାଦେବ ଏବଂ ଜଗତଜନନୀ ମାତା ପାର୍ବତୀଙ୍କ ମଧ୍ୟରେ ଅନନ୍ୟ ବିବାହୋତ୍ସବ ସମ୍ପୂର୍ଣ୍ଣ ଲୌକିକ ରୀତିନୀତିରେ ଅନୁଷ୍ଠିତ ହୋଇଯାଇଛି । ତେବେ ବର୍ତ୍ତମାନର କରୋନା କାଳରେ କୋଭିଡ୍ କଟକଣାକୁ ଅନୁପାଳନ କରି ବିଧିରକ୍ଷା ପୂର୍ବକ ନିରାଡ଼ମ୍ବର ଭାବେ ଏହି ମାଙ୍ଗଳିକ କାର୍ଯ୍ୟକ୍ରମ ଓ ସମସ୍ତ ନୀତିକାନ୍ତି ମନ୍ଦିର ପରିସରରେ ହିଁ ପାଳିତ ହୋଇଯାଇଛି । କେବଳ ବରପକ୍ଷ, କନ୍ୟାପକ୍ଷ, ପଣ୍ଡିତ, ପୂଜକ ତଥା ଯାତ୍ରା କମିଟର ସୀମିତ ସଂଖ୍ୟକ ସଦସ୍ୟଙ୍କ ଉପସ୍ଥିତରେ ଶୀତଳଷଷ୍ଠୀର ଏହି ମୁଖ୍ୟପର୍ବ ଦେବ ବିବାହ ଆୟୋଜିତ ହୋଇଥିଲା । ବିବାହ ପରେ ନବଦମ୍ପତ୍ତି ବିବାହ ବେଦିରେ ବିରାଜମାନ ହୋଇଛନ୍ତି । କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିବାହ ପାଇଁ ଦେବାଧିଦେବ ମହାଦେବଙ୍କ କନ୍ୟା ମାତାପିତାଙ୍କ ଗୃହକୁ ବରାନୁଗମନ ଶୋଭାଯାତ୍ରାକୁ ବାଦ୍ ଦିଆଯାଇ ସର୍ବତ୍ର ମନ୍ଦିର ପରିସରରେ ହିଁ ବିବାହ କାର୍ଯ୍ୟ ସମ୍ପାଦିତ ହୋଇଛି । ଅପରପକ୍ଷେ କନ୍ୟା ମାତାପିତାଙ୍କ ବାସଭବନରେ ବିବାହୋତ୍ସବ ଅନୁଷ୍ଠିତ ହୋଇନଥିବାରୁ ବିବାହ ମଣ୍ଡପ ନିର୍ମିତ ହୋଇନଥିଲା । କେବଳ ବିବାହ ସମୟରେ କନ୍ୟା ଜଗତଜନନୀ ମାତା ପାର୍ବତୀଙ୍କ ମାତାପିତାଙ୍କ ଭୂମିକାର ସମସ୍ତ ଔପଚାରିକତାକୁ ମନ୍ଦିର ପରିସରସ୍ଥ ବିବାହ ମଣ୍ଡପରେ ଉପସ୍ଥିତ ରହି ପୂରଣ କରିଥିଲେ କନ୍ୟା ମାତାପିତା । ବାଦ୍ୟ, ନୃତ୍ୟ ସଙ୍ଗୀତ ଆଦି ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ମଧ୍ୟରେ ବର୍ଣ୍ଣାଢ୍ୟ ବରଯାତ୍ରୀ ଶୋଭାଯାତ୍ରାକୁ ବାଦ୍ ଦିଆଯାଇ କେବଳ ପଣ୍ଡିତଙ୍କ ମନ୍ତ୍ରପାଠ, ଘଣ୍ଟ, ଶଙ୍ଖଧ୍ବନୀ ଓ ହୁଳହୁଳି ମଧ୍ୟରେ ଶିବ ମାତା ପାର୍ବତୀଙ୍କ ପାଣିଗ୍ରହଣ କରିଥିଲେ । ମାତ୍ର, ଔପଚାରିକତା ଦୃଷ୍ଟିରୁ ଶିବାଳୟରେ ଗଣ୍ଠିଆଳ ଫିଟା, ହଳଦି, ତୈଳାଭିଷେକ ଓ ହରିଦ୍ରାଭିଷେକ ପାଇଁ ମାତା ପାର୍ବତୀ ପିତ୍ରାଳୟ ଗମନ କରିଥିଲେ । ସମସ୍ତ ଔପଚାରିକ ପାରମ୍ପରିକ ବିଧି ପୂର୍ବକ ସମ୍ପନ୍ନ ହେବାପରେ ପାର୍ବତୀଙ୍କୁ ପୁନର୍ବାର ଶିବାଳୟକୁ ଫେରାଇ ନିଆ ଯାଇଥିଲା । ଏହି କାର୍ଯକ୍ରମ ମଧ୍ୟ ଅତ୍ୟନ୍ତ ନିରାଡ଼ମ୍ବର ଭାବେ ସମ୍ପାଦିତ ହୋଇଥିଲା । ମାତା ପାର୍ବତୀଙ୍କ ମନ୍ଦିର ଆଗମନ ପରେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ମହାଆଳତୀ ପରେ ବରବେଶରେ ସଜ୍ଜିତ ଦେବଧିଦେବ ମହାଦେବ ଓ କନ୍ୟା ବେଶରେ ସଜ୍ଜିତ ଜଗତଜନନୀ ମାତା ପାର୍ବତୀଙ୍କୁ ବିବାହବେଦୀକୁ ଅଣାଯାଇ ଥିଲା । ଏହାବାଦ୍ ମଧ୍ୟରାତ୍ରିର ବ୍ରହ୍ମମୁହୁର୍ତ୍ତରେ ଏହି ଦେବବିବାହ ଅନୁଷ୍ଠିତ ହୋଇଥିଲା । ପଣ୍ଡିତ ଶଶାଙ୍କ ଶେଖର ମିଶ୍ର ଓ ପୂଜକ ଲକ୍ଷପତି ମହାପାତ୍ରଙ୍କ ଦ୍ବାରା ନନ୍ଦପଡ଼ାସ୍ଥିତ ବମ୍ବରାଡ଼ ବାଲୁଙ୍କେଶ୍ୱରଙ୍କ ବାବା ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ବରପିତା ରାମଚରଣ ମିଶ୍ରଙ୍କ ଉପସ୍ଥିତିରେ କନ୍ୟା ମାତାପିତା ବୈଦ୍ୟନାଥ ଛକର ଗୋପାଳ ଚନ୍ଦ୍ର ସାହୁ ଓ ପ୍ରମିଳା ସାହୁ ନନ୍ଦପଡ଼ାର ବମ୍ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କୁ କନ୍ୟା ଦାନ ଦେଇଥିଲେ । ବରପିତା ଅମରନାଥ ସୂପକାରଙ୍କ ଉପସ୍ଥିତିରେ ଝାଡ଼ୁଆପଡ଼ାର ଲୋକନାଥ ବାବାଙ୍କୁ ସେହି ପଡ଼ାର ବାସୁଦେବ ଚିନ୍ଦ୍ରା ଓ ଜଜ୍ଞସେନୀ ଚିନ୍ଦ୍ରା କନ୍ୟା ଦାନ କରିଥିଲେ ଓ ପଣ୍ଡିତ ତଥା ପୂଜକ ଭାବେ ଯଥାକ୍ରମେ ମହେନ୍ଦ୍ର ପୂଜାରୀ ଓ ରାମନାଥ ମହାପାତ୍ର ବିବାହ କାର୍ଯ୍ୟକୁ ସମ୍ପାଦନ କରିଥିଲେ । ମୁଦିପଡ଼ାର ଜାଗେଶ୍ବର ବାବାଙ୍କୁ ଗୁରୁପଡ଼ାର ସୁମନ୍ତ ସ୍ବାଇଁ ଓ ବନ୍ଦିତା ସ୍ବାଇଁ କନ୍ୟାଦାନ କରିଥିବାବେଳେ ବରପିତାର ଭୂମିକା କରୁଥିବା ମଧୁସୂଦନ ନେଗୀଙ୍କ ଉପସ୍ଥିତିରେ ପଣ୍ଡିତ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଓ ପୂଜକ ଗୋବିନ୍ଦ ପଣ୍ଡାଙ୍କ ପୁନରାବୃତ୍ତି ମଧ୍ୟରେ ଦେବ ବିବାହ ସମ୍ପନ୍ନ ହୋଇଥିଲା ।
ସେହିପରି ବରପିତା ଗୋପୀନାଥ ନାୟକଙ୍କ ଉପସ୍ଥିତିରେ ବାଲିବନ୍ଧାର ସୋମନାଥ ବାବାଙ୍କୁ କନ୍ୟା ମାତାପିତା ଚେରୁଆପଡ଼ାର ପ୍ରସନ୍ନ ମହାପାତ୍ର ଓ ରାଜେଶ୍ବରୀ ଦାଶ କନ୍ୟାଦାନ କରିଥିଲେ । ଏହି ବିବାହକୁ ପଣ୍ଡିତ ମନବୋଧ ପାଢ଼ୀ ସମ୍ପାଦନ କରିଥିଲେ । ବରପିତା ସୁରେନ୍ଦ୍ର ମହାନ୍ତିଙ୍କ ଉପସ୍ଥିତିରେ ବଡ଼ବଜାରର ଶୀତଳେଶ୍ବର ବାବାଙ୍କୁ ଅମରୀପଡ଼ାର ଅଶୋକ ନାୟକ ଓ ସୁଚୀସ୍ମିତା ନାୟକ କନ୍ୟାଦାନ କରିଥିବାବେଳେ ଦେବ ବିବାହକୁ ଯୋଗେଶ୍ବର ନନ୍ଦ ଓ ପୂଜକ ସଞ୍ଜୟ ବଡ଼ମାଳୀ ସମ୍ପାଦନ କରିଥିଲେ । ମାନେଶ୍ବରର ଅଷ୍ଟଶମ୍ଭୁ ମାନ୍ଧାତା ବାବାଙ୍କୁ ମାନେଶ୍ବରର ବିହାରୀ ଦୀକ୍ଷିତ ଓ ସ୍ନେହଲତା ଦୀକ୍ଷିତଙ୍କ ବଦଳରେ କନ୍ୟା ପିତାମାତା ଭାବେ ତାଙ୍କ ନାତି ନାତୁଣି ଜ୍ବାଇଁ ଜଗନ୍ନାଥଙ୍କ କଲୋନୀର ସତ୍ୟପ୍ରିୟ ନାୟକ ଓ ସୁନୀତା ହୋତା କନ୍ୟାଦାନ କରିଛନ୍ତି । ଏଠାରେ ଦେବ ବିବାହକୁ ବର ପିତାମାତା ବିରଞ୍ଚି ପୂଜାରୀ ଓ ପଙ୍କଜିନୀ ପୂଜାରୀଙ୍କ ଉପସ୍ଥିତିରେ ପଣ୍ଡିତ ନିରଞ୍ଜନ ହୋତା ସମ୍ପାଦନ କରିଛନ୍ତି । ଦୁର୍ଗାପାଲିର ଗୁଡ଼େଶ୍ବର ବାବାଙ୍କୁ କ୍ଷେତରାଜପୁରର କୈଳାଶ ଅଗ୍ରୱାଲ ଓ ସୁଷମା ଅଗ୍ରୱଲ୍ କନ୍ୟାଦାନ କରିଛନ୍ତି । ବରପିତା ଭାବେ ହେମନ୍ତ କୁମାର ମହାପାତ୍ରଙ୍କ ଉପସ୍ଥିତିରେ ପଣ୍ଡିତ ସଚ୍ଚିଦାନନ୍ଦ ମିଶ୍ର ବିବାହ କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ । ଅନୁରୂପ ଭାବେ ଠାକୁରପଡ଼ାର ଗୁପ୍ତେଶ୍ବର ବାବାଙ୍କୁ ବରପିତା ଗିରିଶ ଚନ୍ଦ୍ର ବାରିକଙ୍କ ଉପସ୍ଥିତିରେ ପଣ୍ଡିତ ଆଶୁତୋଷ ପୁରୋହିତ ଓ ପୂଜକ ଲୋକନାଥ ମହାପାତ୍ରଙ୍କ ଦ୍ବାରା ସମ୍ପାଦିତ ବିବାହୋତ୍ସବରେ ଧନକଉଡ଼ାର ସୁରେନ୍ଦ୍ର କୁମାର ପୁରୋହିତ ଓ ମୀନତି ପୁରୋହିତ ଜଗତଜନନୀ ମାତା ପାର୍ବତୀଙ୍କ କନ୍ୟାଦାନ କରିଥିଲେ ।