କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ସାବିତ୍ରୀ ଅମାବାସ୍ୟା ଅବସରରେ ଭକ୍ତମାନଙ୍କୁ ସୁଲଭ ମୂଲ୍ୟରେ ଏବଂ କରୋନା କଟକଣା ପାଳନ ପୂର୍ବକ ସୁବିଧାରେ ଅଭଡ଼ା ଯୋଗାଇ ଦେବାପାଇଁ ପ୍ରଶାସନ ତରଫରୁ ନିଷ୍ପତ୍ତି ନିଆଯାଇଥିଲା |ହେଲେ ବାସ୍ତବରେ ତାହା ସମ୍ଭବ ହୋଇପାରିଲା ନାହିଁ |ଆଜି କରୋନା କଟକଣାକୁ ଖୋଲାଖୋଲି ଉଲ୍ଲଙ୍ଘନ କରି ଭକ୍ତମାନେ ଅଭଡ଼ା ପାଇଁ ଟୋକାନ ପାଇବା ପରେ ମଧ୍ୟ ଘଣ୍ଟା ଘଣ୍ଟା ଧରି ଶ୍ରୀମନ୍ଦିରର ଉତ୍ତର ଦ୍ୱାର ଓ ଦକ୍ଷିଣ ଦ୍ୱାର ସମ୍ମୁଖରେ ଭିଡ଼ ଲଗାଇଥିଲେ |ସୂଚନା ଅନୁସାରେ ଆନନ୍ଦ ବଜାରରେ ଅଭଡ଼ା ଆବଶ୍ୟକ ପରିମାଣ ଠାରୁ କମ ଥିଲା | ପ୍ରଶାସନ ତରଫରୁ ୱେଟିଙ୍ଗ ସ୍ଥଳ,ଟୋକାନ ବିତରଣ ଓ ଅଭଡ଼ା ସଂଗ୍ରହ ପାଇଁ ସ୍ୱତନ୍ତ୍ର କାଉଣ୍ଟର କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ |
ଶ୍ରୀମନ୍ଦିର ଉତ୍ତର ଦ୍ୱାର ଓ ଦକ୍ଷିଣ ଦ୍ୱାର ସମ୍ମୁଖରେ ଭକ୍ତ ମାନଙ୍କ ଭିଡ଼ ହୋଇଥିଲେ ମଧ୍ୟ ସେମାନଙ୍କୁ ବ୍ୟବସ୍ଥିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ତରଫରୁ କୌଣସି ଆଗ୍ରହ ଦେଖିବାକୁ ମିଳିନଥିଲା ଯାହା ଫଳରେ ଶହ ଶହ ସଂଖ୍ୟାରେ ମହାପ୍ରସାଦ ପାଇବା ପାଇଁ ଜନତା ଅପେକ୍ଷା କରିଥିଲେ |ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଭିଡକୁ ନିୟନ୍ତ୍ରଣ କରିବା ପାଇଁ କୌଣସି ଆଖିଦୃଷ୍ଟିଆ ପଦକ୍ଷେପ ନେଇନଥିଲେ ଯାହା ଫଳରେ ସାଧାରଣରେ ଏଭଳି ବ୍ୟବସ୍ଥାକୁ ନିନ୍ଦା କରାଯାଇଛି |