ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ବୈଜ୍ଞାନିକମାନେ ଯେଉଁ ମାତ୍ରାରେ ଏବଂ ଯେତିକି ବ୍ୟଗ୍ରତାର ସହିତ ମାତ୍ର ଏକ ବର୍ଷରୁ କମ୍ ସମୟ ଭିତରେ କୋଭିଡ଼ ୧୯ ମହାମାରୀର ପ୍ରତିଷେଧକ ଟିକା ଉଦ୍ଭାବନ କରିପାରିଲେ ଏବଂ ଏହି ମହାମାରୀ କବଳରୁ ମାନବ ସମାଜକୁ ରକ୍ଷା କରିପାରିଲେ ତାହା ଅତୀବ ପ୍ରଶଂସନୀୟ । ସେ କହିଲେ ଯେ ପ୍ରଥମ ଥର ପାଇଁ ମାନବ ଇତିହାସରେ ଏଭଳି ଏକ ବିରାଟ ସଂକଟ ଦେଖାଦେଇଛି । ବିଗତ ଶତାବ୍ଦୀରେ ଅନ୍ୟ ରାଷ୍ଟ୍ରମାନଙ୍କରେ ବିଭିନ୍ନ ପ୍ରକାର ଉଦ୍ଭାବନ ହେଉଥିଲା ଏବଂ ଭାରତକୁ ଏହାର ସୁଫଳ ପାଇବା ଲାଗି ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡ଼ୁଥିଲା । କିନ୍ତୁ ଆଜି ଆମ ଦେଶର ବୈଜ୍ଞାନିକମାନେ ଅନ୍ୟ ରାଷ୍ଟ୍ରର ବିଜ୍ଞାନୀମାନଙ୍କ ପରି ସମାନ ମାତ୍ରାରେ ଏବଂ ସମାନ ବେଗରେ କାର୍ଯ୍ୟ କରିପାରୁଛନ୍ତି । କୋଭିଡ଼ ୧୯ ଟିକା ଆବଶ୍ୟକତା ପୂରଣ ନିମନ୍ତେ ଦେଶକୁ ଆତ୍ମ ନିର୍ଭରଶୀଳ କରାଇପାରିଥିବାରୁ ସେ ଦେଶର ବୈଜ୍ଞାନିକ ସମାଜକୁ ଭୂୟସୀ ପ୍ରଶଂସା କରିଥିଲେ । କେବଳ ଟିକା ନୁହେଁ, ଟେଷ୍ଟିଂ କିଟ୍, ଅନ୍ୟାନ୍ୟ ଆବଶ୍ୟକ ଉପକରଣ ଏବଂ ନୂତନ ତଥା ସକ୍ରିୟ ଔଷଧ ଯାହାକି କରୋନା ବିରୋଧରେ ଲଢ଼ିବା ସକାଶେ ଏକାନ୍ତ ଆବଶ୍ୟକ ତାହା ମଧ୍ୟ ସେମାନେ ପର୍ଯ୍ୟାପ୍ତ ପରିମାଣରେ ଯୋଗାଇ ପାରିଛନ୍ତି । ପ୍ରଧାନମନ୍ତ୍ରୀ କହିଲେ ଯେ ବିଜ୍ଞାନ ଓ ପ୍ରଯୁକ୍ତିକୁ ସମାନ ଗତିରେ ବିକଶିତ ରାଷ୍ଟ୍ରମାନେ ଆଣିପାରିଛନ୍ତି ଯାହାକି ସେମାନଙ୍କର ଶିଳ୍ପସଂସ୍ଥା ଏବଂ ବଜାର ପାଇଁ ବେଶ୍ ଉପକାରୀ ।
ପ୍ରଧାନମନ୍ତ୍ରୀ କହିଲେ ଯେ ଆମ ଦେଶରେ, ସିଏସଆଇଆର ଏକ ଆନୁଷ୍ଠାନିକ ବ୍ୟବସ୍ଥା ମଧ୍ୟରେ ବିଜ୍ଞାନ, ସମାଜ ଏବଂ ଶିଳ୍ପକୁ ଏକା କ୍ଷେତ୍ରରେ ସମନ୍ୱିତ କରି କାର୍ଯ୍ୟ କରୁଛି । ଆମର ଏହି ଅନୁଷ୍ଠାନ ଅନେକ ପ୍ରତିଭାଧର ଏବଂ ବୈଜ୍ଞାନିକଙ୍କୁ ଦେଶକୁ ଉପହାର ଦେଇଛି । ସେମାନଙ୍କ ମଧ୍ୟରୁ ଶାନ୍ତିସ୍ୱରୂପ ଭଟ୍ଟନାଗର ଅନ୍ୟତମ ଯିଏ ଏହି ଅନୁଷ୍ଠାନକୁ ହିଁ ନେତୃତ୍ୱ ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ସିଏସଆଇଆର ଗବେଷଣା ଏବଂ ପାଟେଣ୍ଟ ବାତାବରଣ ସୃଷ୍ଟିର ଏକ ଶକ୍ତିଶାଳୀ ପ୍ଲାଟଫର୍ମ । ସିଏସଆଇଆର ଦେଶ ସମ୍ମୁଖୀନ ହେଉଥିବା ଅନେକ ସମସ୍ୟାର ସମାଧାନ ନିମନ୍ତେ ଏକା ସମୟରେ କାର୍ଯ୍ୟ କରୁଛି ବୋଲି ପ୍ରଧାନମନ୍ତ୍ରୀ ସୂଚାଇଥିଲେ ।
ପ୍ରଧାନମନ୍ତ୍ରୀ କହିଲେ ଯେ ବର୍ତ୍ତମାନ ଦେଶର ଲକ୍ଷ୍ୟ ଓ ଦେଶବାସୀଙ୍କ ସ୍ୱପ୍ନ ଓ ଏକବିଂଶ ଶତାବ୍ଦୀ ଭିତ୍ତିଭୂମି ଉପରେ ଆଧାରିତ । ତେଣୁ ଏହି ଅନୁଷ୍ଠାନର ଲକ୍ଷ୍ୟ ମଧ୍ୟ ସେହିଭଳି ଅନନ୍ୟ ହେବା ଆବଶ୍ୟକ । ଆଜି ଭାରତ ପ୍ରତ୍ୟେକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାକୁ ପ୍ରୟାସ କରୁଛି । ପ୍ରତ୍ୟେକ କ୍ଷେତ୍ରରେ ସଶକ୍ତ ହେବାକୁ ଚାହୁଁଛି । ତାହା ବାୟୋଟେକ୍ନୋଲୋଜି ଠାରୁ ଆରମ୍ଭ କରି ବ୍ୟାଟେରୀ ଟେକ୍ନୋଲୋଜି ପର୍ଯ୍ୟନ୍ତ, କୃଷି ଠାରୁ ନେଇ ନକ୍ଷତ୍ରବିଜ୍ଞାନ ପର୍ଯ୍ୟନ୍ତ, ବିପର୍ଯ୍ୟୟ ପରିଚାଳନା ଠାରୁ ଆରମ୍ଭ କରି ପ୍ରତିରକ୍ଷା ପ୍ରଯୁକ୍ତି ପର୍ଯ୍ୟନ୍ତ , ପ୍ରତିଷେଧକ ଟିକା ଠାରୁ ନେଇ ଭଚୁଆଲ୍ ରିଅଲିଟି ପର୍ଯ୍ୟନ୍ତ ବ୍ୟାପ୍ତ । ପ୍ରଧାନମନ୍ତ୍ରୀ କହିଲେ ଯେ ଆଜି ଭାରତ ସାରା ବିଶ୍ୱକୁ ପୋଷଣୀୟ ବିକରାଶ ଏବଂ ସ୍ୱଚ୍ଛ ଇନ୍ଧନ କ୍ଷେତ୍ରରେ ପଥ ପ୍ରଦର୍ଶନ କରୁଛି । ଆଜି ସଫ୍ଟୱେର ଠାରୁ ନେଇ ସାଟେଲାଇଟ୍ ଯାଏ ଭାରତ ଅନ୍ୟ ରାଷ୍ଟ୍ରମାନଙ୍କ ତୁଳନାରେ ନିଜର ପ୍ରଗତିକୁ ପ୍ରଖରିତ କରିଛି । ଏହିସବୁ କ୍ଷେତ୍ରରେ ଭାରତ ବିଶ୍ୱର ବିକାଶ ପାଇଁ ଏକ ପ୍ରମୁଖ ଇଞ୍ଜିନରେ ପରିଣତ ହୋଇଛି । ତେଣୁ, ସେ କହିଲେ ଯେ ଭାରତର ଲକ୍ଷ୍ୟ ଏହି ଦଶନ୍ଧି ଅନୁସାରେ ତଥା ପରବର୍ତ୍ତୀ ଦଶନ୍ଧିର ଆବଶ୍ୟକତା ପୂରଣ ଅନୁସାରେ ହେବା ଉଚିତ ।