
ପଟ୍ଟାମୁଣ୍ଡାଇ, କରୋନା ଚେନକୁ ବ୍ରେକ ଦେବା ପାଇଁ ରାଜ୍ୟରେ ଲକ୍ଡାଉନ୍ ଘୋଷଣା କରାଯାଇଥିଲେ ମଧ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ ଉପରେ ସାମାନ୍ୟ କୋହଳ କରାଯାଇଛି । ମାତ୍ର ଏହାର ଫାଇଦା ନେଇ କେତେକ କୋଭିଡ ଗାଇଡ୍ଲାଇନର ଉଲ୍ଲଂଘନ କରୁଛନ୍ତି । ପ୍ରତିଦିନ ପଟ୍ଟାମୁଣ୍ଡାଇ ସହରରେ ସକାଳ ୭ଟାରୁ ୧୧ଟା ମଧ୍ୟରେ ବଜାର ଭିତରେ ନାହିଁ ନ ଥିବା ଭିଡ ପରିଲକ୍ଷିତ ହେଉଛି । ପଟ୍ଟାମୁଣ୍ଡାଇ ବାଇପାଶ ଛକ ପାଖ ମାଛବଜାରରେ ଉଭୟ କ୍ରେତା ଓ ବିକ୍ରେତା କୋଭିଡ ନିୟମ ପାଳନ କରୁ ନ ଥିବା ଦେଖାଯାଉଛି । ସହର ଯିବାଆସିବା ରାସ୍ତାରେ ଥିବାରୁ ଏଠାକୁ ପ୍ରାୟ ସହରର ସବୁ ଅଞ୍ଚଳରୁ ଲୋକେ ମାଛ କିଣିବା ପାଇଁ ଆସି ଭିଡ କରୁଛନ୍ତି । ଏଥିଯୋଗୁଁ ଏଠାରେ ସଂକ୍ରମଣ ବଢ଼ିବା ଆଶଙ୍କା ପ୍ରକାଶ ପାଉଛି । ମ୍ୟୁନିସିପାଲିଟି, ପ୍ରଶାସନିକ ଅଧିକାରୀ ଓ ପୋଲିସ ଟିମ୍ ଏଠାକୁ କେହି ଆସୁ ନାହାଁନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି । ଗତ କିଛି ଦିନ ହେଲା କେନ୍ଦ୍ରାପଡା ଜିଲ୍ଲାରେ ପ୍ରତ୍ୟେହ ୩୦୦ ଉପରେ କରୋନା ଆକ୍ରାନ୍ତ ସଂଖ୍ୟା ଚିହ୍ନଟ ହେଉଥିବା ବେଳେ ପଟ୍ଟାମୁଣ୍ଡାଇ ୧୦୦ ଉପରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କରୋନା ପାଇଁ ପ୍ରଶାସନ ସପ୍ତାହାନ୍ତ ସଟଡାଉନ, ଲକଡାଉନ, ସାମାଜିକ ଦୂରତା ରକ୍ଷା କରିବା ସହ ଘରୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ହେଲେ ନିୟମକୁ ମାନୁଛି କିଏ, ସହର ଭିତରେ ଭିଡ ଜମାଇଛନ୍ତି ଲୋକେ । ଭିଡ ହେବା ପ୍ରଶାସନ ଜାଣିଥିଲେ ମଧ୍ୟ କୌଣସି ପ୍ରକାର ଟ୍ରାଫିକ ବ୍ୟବସ୍ଥା କରା ନଯାଇ ଖୋଲା ମେଲା ଛାଡି ଦିଆଯାଇଛି । ଯାହା ଫଳରେ ପଟ୍ଟାମୁଣ୍ଡାଇ ସହର ଭିତରେ ଘଣ୍ଟା ଘଣ୍ଟା ଧରି ଲୋକେ ଭିଡ ଜମାଉଛନ୍ତି । ଫଳରେ ସଂକ୍ରମଣ ଆହୁରି ବଢିବାର ଅ।ଶଙ୍କା ରହିଛି । ଜିଲ୍ଲା ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବାକୁ ବୁଦ୍ଧିଜିବୀ ମହଲରେ ଦାବି ହେଉଛି ।