![](https://indokalingtimes.com/wp-content/uploads/2021/06/339dd4456c26b0fdc61462748e20cea816505e6bc243e4029b186b31e8bc141b.jpg)
-
ତୈଳ ଓ ଗ୍ୟାସ ବିତରଣ କରୁଥିବା କୋଭିଡ୍ ଯୋଦ୍ଧାଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ – ଧର୍ମେନ୍ଦ୍ର ପ୍ରଧାନ
![](https://indokalingtimes.com/wp-content/uploads/2021/06/339dd4456c26b0fdc61462748e20cea816505e6bc243e4029b186b31e8bc141b-300x200.jpg)
ଶ୍ରୀ ପ୍ରଧାନ କହିଛନ୍ତି ଯେ ଇଣ୍ଡିଆନ ଅଏଲର ଚନ୍ଦ୍ରଶେଖରପୁର ସ୍ଥିତ ରାଜ୍ୟ କାର୍ଯ୍ୟାଳୟ ଠାରେ କୋଭିଡ୍ ଯୋଦ୍ଧାମାନଙ୍କ ପାଇଁ ଇଣ୍ଡିଆନ ଅଏଲ ଦ୍ୱାରା ଏହି ମେଗା ଭ୍ୟାକ୍ସିନେସନ ଡ୍ରାଇଭ ଆରମ୍ଭ ହୋଇଛି । ଇଣ୍ଡିଆନ୍
ଅଏଲ୍ ଏଠାରେ ଟିକାକରଣର ବ୍ୟବସ୍ଥା କରିଥିବା ବେଳେ କନଫେଡ଼ରେସନ ଅଫ୍ ଇଣ୍ଡିଆନ ଇଣ୍ଡଷ୍ଟ୍ରି(ସିଆଇଆଇ) ସମନ୍ୱୟରେ ଟିକା ଲଗାଇବା ପାଇଁ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ୍ ବିବେଚିତ ହୋଇଛି । ଏହି କମ୍ପାନୀର ପେଟ୍ରୋଲ ପମ୍ପ ଗ୍ରାହକ ଆଟେଣ୍ଡାଂଟ୍, ଏଲପିଜି ଏବଂ ପେଟ୍ରୋଲ ବିତରକ, ତୈଳ ଟ୍ୟାଙ୍କର ପରିବହନ କରୁଥିବା ଚାଳକ ଭାଇ, ଅନ୍ୟାନ୍ୟ କର୍ମଚାରୀ ତଥା ସେମାନଙ୍କ ପରିବାର ସଦସ୍ୟଙ୍କୁ ମାଗଣାରେ ଟିକା ଲଗାଯିବ । ଏହି ଟିକାକରଣ ଶିବିର ୨ ଜୁନରୁ ୮ ଜୁନ୍ ପର୍ଯ୍ୟନ୍ତ ଚାଲିବ । ପ୍ରତିଦିନ ୨୦୦ ଡୋଜ୍ ଟିକା ଦେବା ପାଇଁ ଯୋଜନା କରାଯାଇଛି ।
ଇଣ୍ଡିଆନ ଅଏଲ ନିଜସ୍ୱ ଖର୍ଚ୍ଚରେ ଟିକାକରଣ ବ୍ୟବସ୍ଥା କରିଥିବା ବେଳେ ଆନୁଷଙ୍ଗିକ ସହଯୋଗ ଦେଇଥିବାରୁ ସିଆଇଆଇ ଏବଂ ଆପୋଲୋ ହସ୍ପିଟାଲକୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ କରୋନାର ଦ୍ୱିତୀୟ ଲହରରେ ଉପଭୋକ୍ତା ମାନଙ୍କୁ ନିରନ୍ତର ସେବା ଯୋଗାଇଥିବା ସମସ୍ତ ତୈଳ ଓ ଗ୍ୟାସ କମ୍ପାନୀର କୋଭିଡ୍ ଯୋଦ୍ଧା ମାନଙ୍କ କାର୍ଯ୍ୟ ଓ ସାହାସ ପ୍ରଂଶସନୀୟ । କେନ୍ଦ୍ରୀୟ ରାଷ୍ଟ୍ରାୟତ କମ୍ପାନୀ ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ(ବିପିସିଏଲ), ହିନ୍ଦୁସ୍ଥାନ ପେଟ୍ରୋଲିୟମ(ଏଚପିସିଏଲ) ଖୁବ ଶୀଘ୍ର ସେମାନଙ୍କ କର୍ମଚାରୀ ଏବଂ ପରିବାର ଲୋକଙ୍କୁ ଟିକା ଦେବେ । ଏହାଦ୍ୱାରା ସେମାନଙ୍କର ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ସୁନିଶ୍ଚିତ କରାଯାଇପାରିବ ।
ଭାରତ ସରକାର ରାଜ୍ୟ ଗୁଡ଼ିକୁ ମାଗଣାରେ ୫୦ ପ୍ରତିଶତ ଟିକା ଯୋଗାଇ ଦେଉଥିବା ବେଳେ ରାଜ୍ୟମାନେ
ମଧ୍ୟ ୨୫ ପ୍ରତିଶତ ଏବଂ ର୍ପୋରେଟ୍ ଅନୁଷ୍ଠାନ ଗୁଡ଼ିକ ମଧ୍ୟ ବଜାର ଦରରେ ୨୫ ପ୍ରତିଶତ ଟିକା କିଣି ସେମାନଙ୍କ କର୍ମଚାରୀ, ସେମାନଙ୍କ ପରିବାର ଓ ସଂସ୍ଥା ସହ ଜଡ଼ିତ ଲୋକଙ୍କୁ ଲଗାଇବାର ନିଷ୍ପତି ନିଆଯାଇଛି । ଓଡ଼ିଶାରେ ସରକାରୀ ଏବଂ ବେସରକାରୀ ସ୍ତରରେ ବଡ ବଡ କର୍ପୋରେଟ କମ୍ପାନୀ ଅଛନ୍ତି । ଇଣ୍ଡିଆନ ଅଏଲ, ବିପିସିଏଲ, ଏଚପିସିଏଲ, ସେଲ, ଏମସିଏଲ, ନାଲକୋ, ଏନଟିପିସି, ରେଲୱେ,ପାରାଦୀପ ପୋର୍ଟ, ବିଏସଏନଏଲ, ଏପ୍ରକାର ଅନେକ ଅନେକ ସରକାରୀ ପିଏସୟୁ ଉଦ୍ୟୋଗ ଅଛନ୍ତି । ତତସହ ଏଠାରେ ଟାଟା, ଜିନ୍ଦଲ, ଆର୍ସେଲର ମିତଲ ଭଳି ମଧ୍ୟ ଅଗ୍ରଣୀ କମ୍ପାନୀ ଓଡିଶାରେ କାମ କରୁଛନ୍ତି । ଏହି ସବୁ କର୍ପୋରେଟ୍ ଅନୁଷ୍ଠାନ ଗୁଡ଼ିକ ନିଜ ବ୍ୟବସ୍ଥାରେ କମ୍ପାନୀକୁ ଟିକା କିଣି ନିଜ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ଟିକା ଲଗାଇ ଓଡ଼ିଶାର ନାଗରିକ ମାନଙ୍କୁ ଦିଆଯାଉଥିବା ଟିକା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି ।