ଗଞ୍ଜାମ, ଗଞ୍ଜାମ ଜିଲ୍ଲାର ୨୯୮ ହାଇସ୍କୁଲ ମଡ଼େଲ ହାଇସ୍କୁଲ ହେବ । ଜିଲ୍ଲାରେ ଥିବା ସମସ୍ତ ଉଚ୍ଚ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାର ବିକାଶ, ଶୈକ୍ଷିକ ବାତାବରଣ ସୃଷ୍ଟି ଓ ଭିତିଭୂମି ସଜାଡ଼ିବାକୁ ଜିଲ୍ଲା ପ୍ରଶାସନ ଅଂଟା ଭିଡ଼ିଛି । ଜିଲ୍ଲାର ସମୁଦାୟ ୬୩୪ ଟି ହାଇସ୍କୁଲ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୨୯୮ ଟି ହାଇସ୍କୁଲକୁ ମଡ଼େଲ ହାଇସ୍କୁଲରେ ପରିଣତ କରିବାକୁ ଜୋରସୋର ଉଦ୍ୟମ ଚାଲିଛି । ଜିଲ୍ଲାର ମୋଟ ୬୩୪ଟି ହାଇସ୍କୁଲ ମଧ୍ୟରୁ ୪୦୬ଟି ସରକାରୀ, ୨୧୪ଟି ସରକାରୀ ଅନୁଦାନ ପ୍ରାପ୍ତ, ଅନୁସୂଚିତ ଜାତି ଓ ଜନଜାତି ୧ଟି ଏବଂ ୧୩ଟି ସଂସ୍କୃତ ଟୋଲ୍ ହାଇସ୍କୁଲ ରହିଛି । ପ୍ରଥମ ପର୍ଯ୍ୟାୟରେ ୨୯୮ଟି ଅନୁଷ୍ଠାନର ରୂପରେଖ ପରିବର୍ତନ ତଥା ମଡ଼େଲ ହାଇସ୍କୁଲ ପାଇଁ ସମସ୍ତ କାର୍ଯ୍ୟ ଜାରୀ ରହିଛି । ଯେଉଁଠିକି ଇ- ପାଠାଗାର ସମେତ ସ୍ମାର୍ଟ କ୍ଲାସରୁମ, କ୍ରୀଡ଼ା, କମ୍ପ୍ୟୁଟର ରୁମ୍, ଅତ୍ୟାଧୁନିକ ବିଜ୍ଞାନାଗାର, ରିଡ଼ିଂ ରୁମ୍, ପାନୀୟ ଜଳ ଓ ସ୍ମାର୍ଟ ଶୌଚାଳୟ ସମେତ ଆଧୁନିକ ସୁବିଧା ଉପଲବ୍ଧ ହେବ । ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ଅଧିନରେ ଅନୁଷ୍ଠାନ ଗୁଡିକର ଆଧୁନିକିକରଣ ହେଉଛି । ଯାହାକି ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶ କ୍ଷେତ୍ରରେ ଗୁଣାତ୍ମକ ଶିକ୍ଷା ହାସଲ କରିପାରିବ । ଯୁଦ୍ଧକାଳୀନ ଭିତିରେ ଭିତିଭୂମି ବିକାଶ କାର୍ଯ୍ୟକ୍ରମ ଶେଷ କରିବାକୁ ପ୍ରୟାସ ଜାରୀ ରହିଛି ବୋଲି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସହକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ କୁମାର ବେହେରା ସୂଚନା ଦେଇଛନ୍ତି ।