ଭୁବନେଶ୍ୱର, ଆସନ୍ତା ଜୁନ୍ ୧ ତାରିଖରୁ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଅନ୍ଲାଇନ୍ କ୍ଲାସ୍ ଆରମ୍ଭ ହେବ । ତେବେ ହଷ୍ଟେଲ ଗୁଡିକ ଏବେ ଖୋଲିବ ନାହିଁ । ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି ।ନିର୍ଦ୍ଦେଶନାମା ଅନୁଯାୟୀ, ଖରା ଛୁଟି ପରେ ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜ ଗୁଡ଼ିକରେ ଅନ୍ଲାଇନ୍ କ୍ଲାସ୍ ଆରମ୍ଭ ହେବ । ବର୍ତମାନ ଶ୍ରେଣୀ ଗୃହରେ ପାଠପଢ଼ା ସମ୍ଭବ ନୁହେଁ । ସେହିପରି ପରବର୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ହଷ୍ଟେଲ ଗୁଡ଼ିକ ବନ୍ଦ ରହିବ । ୟୁଜିସିର ନିଷ୍ପତି ସଂପର୍କରେ ସୂଚନା ପାଇବା ପରେ ପରୀକ୍ଷା ନେଇ ଛାତ୍ରଛାତ୍ରୀଙ୍କୁ ଜଣାଇ ଦିଆଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ସୂଚନା ଦେଇଛି ।ସୂଚନାଯୋଗ୍ୟ, ରାଜ୍ୟରେ କରୋନା ମହାମାରୀର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ମାମଲା ବୃଦ୍ଧି ପାଇବା ପରେ ରାଜ୍ୟ ସରକାର ଚଳିତ ମାସ ପ୍ରଥମ ସପ୍ତାହରେ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରିଦେଇଥିଲେ । ପରେ ମେ’ ୩୧ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଛୁଟି ଘୋଷଣା କରିଥିଲେ ।