ନୂଆପଡା- କଳା ଓ କଳାକାର ମାନଙ୍କ ଉନ୍ନତି ସକାଶେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଧଶ କ୍ରମେ ରାଜ୍ୟର ୩୦ ଗୋଟି ଜିଲ୍ଲାରେ ଜିଲ୍ଲା କଳା ଓ ସଂସ୍କୃତି ସଂଘ ଓ ବ୍ଲକରେ ବ୍ଲକ କଳା ଓ ସଂସ୍କୃତି ସଂଘ ଗଠନ କରାଯାଇଅଛି । ଏହି ସଂଘ ଗଠନ ଦ୍ୱାରା ଅବଲୁପ୍ତ କଳା କଳାକାର ମାନଙ୍କ ପୁର୍ନଜିବନ ପ୍ରାପ୍ତ ହେବା ସହ ଅନ୍ୟାନ୍ୟ ଲୋକ କଳା ଓ ଲୋକ କଳାକାର ମାନଙ୍କ ଜୀବନ ଓ ଜୀବିକାର ଉନ୍ନତି ହୋଇଅଛି । ଏନେଇ କଳାକାର ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଏପରି ଉଦ୍ୟମକୁ ପ୍ରଶଂସା କରାଯାଇଛି । କିନ୍ତୁ ଜିଲ୍ଲା କଳା ଓ ସଂସ୍କୃତି ସଂଘ ଓ ବ୍ଲକ କଳା ଓ ସଂସ୍କୃତି ସଂଘର କାର୍ଯ୍ୟକାଳ ୨ ବର୍ଷ ଥିବା ସତ୍ୱେ ଆଜକୁ ପ୍ରାୟ ୯ ବର୍ଷ ଅତିକ୍ରମ ହୋଇଯାଇଥିଲେ ମଧ୍ୟ ରାଜ୍ୟର କୌଣସି ଜିଲ୍ଲାରେ କିମ୍ବା ବ୍ଲକରେ ଏହି ସଂଘର ନୂଆ କମିଟି ଗଠନ ହୋଇପାରିନାହିଁ । ଏଥିପାଇଁ ସରକାର କିମ୍ବା ପ୍ରଶାସନିକ ଅଧିକାରୀଙ୍କ ଅବହେଳା ତାହା କଳାକାର ମାନେ ବୁଝି ପାରୁନଥିବା ଅଭିଯୋଗ କରିଛନ୍ତି । ସରକାର ଏହି ଯୋଜନା ତିଆରି କରି କଳା ଓ କଳାକାର ମାନଙ୍କ ଉନ୍ନତିର ମାର୍ଗ ପ୍ରଶସ୍ତ କରିଛନ୍ତି । ମାତ୍ର ନିୟମ ତିଆରି କରି ସରକାର ନିୟମକୁ ନିଜେ ପାଳନ କରୁନଥିବା ନେଇ କଳାକାର ମାନେ ଅଭିଯୋଗ କରି କ୍ଷୋଭପ୍ରକାଶ କରିଛନ୍ତି । ପ୍ରତ୍ୟେକ ଜିଲ୍ଲାରେ ଥିବା ଲାଇନ ଡିପାର୍ଟମେଣ୍ଟ ମାନେ ତାଙ୍କର ସଚେତନତା ସମ୍ବନ୍ଧୀୟ ଅର୍ଥ ଜିଲ୍ଲା କଳା ଓ କଳାକାର ସଂଘ ଫଣ୍ଡରେ ଜମା ଦେବା କଥା । ମାତ୍ର ବିଭାଗ ତରଫରୁ ତାହା ନକରି ଲାଇନ ଡିପାର୍ଟମେଣ୍ଟ ନିଜ ମନମୁତାବକ କାମ କରୁଛନ୍ତି । ଏହି ଜିଲ୍ଲା କଳା ଓ ସଂସ୍କୃତି ସଂଘରେ ଜିଲ୍ଲାପାଳ ସଭାପତି ରହିଥିବା ବେଳେ ତାଙ୍କ ଆଦେଶକୁ ମଧ୍ୟ ବିଭାଗୀୟ କର୍ମଚାରୀ ମାନେ ମାନୁ ନଥିବା କଳାକାର ମାନେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ସଚେତନତା କାର୍ଯ୍ୟକ୍ରମରେ କଳାକାର ମାନେ ବିଭିନ୍ନ କାର୍ଯ୍ୟକ୍ରମ କରି୯/୧୦ ମାସ ଧରି ମଧ୍ୟ କଳାକାର ମାନଙ୍କ ପାଉଣା ଦିଆଯାଉନଥିବାର ମଧ୍ୟ ଅଭିଯୋଗ ଆସିଛି । କଳାକାର ମାନେ ସରକାରଙ୍କ କାର୍ଯ୍ୟକାରୀ କରିଥିବା କାଳିଆ ଯୋଜନା ଓ ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ପାଳା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା କରିଛନ୍ତି । କିନ୍ତୁ ବର୍ତମାନ ସୁଦ୍ଧା କଳାକାର ମାନଙ୍କୁ ପାଉଣା ପ୍ରଦାନ କରାଯାଇନାହିଁ । ଯାହାଫଳରେ କଳାକାର ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଅନ୍ୟପକ୍ଷରେ ଜିଲ୍ଲା କଳା ଓ ସଂସ୍କୃତି ସଂଘ ଓ ବ୍ଲକ କଳା ଓ ସଂସ୍କୃତି ସଂଘର ତୁରନ୍ତ ପୁନର୍ଗଠନ କରି କଳାକାର ମାନଙ୍କ ନ୍ୟାର୍ଯ୍ୟ ଦାବୀ ଗୁଡିକୁ ସମାଧାନ କରିବା ପାଇଁ କଳାକାର ଡୋଲାମଣି ଦଣ୍ଡସେନା, ଜଗତରାମ ନାଗ, ଖଗେଶ୍ୱର ତାଣ୍ଡି, ଅମର ସିଂ ପଟେଲ ପ୍ରମୁଖ ଦାବୀ କରିଛନ୍ତି ।
Related Stories
November 24, 2024
November 24, 2024