ଭୁବନେଶ୍ୱର – ଦେଶର ୨୦ରୁ ଊଦ୍ଧ୍ୱର୍ ଟୁର୍ ଅପରେଟର୍ ଶନିବାର ସକାଳେ ପୁରୁଣା ଭୁବନେଶ୍ୱରରେ ଏକ ଐତିହ୍ୟ ପଦଯାତ୍ରାରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ଟ୍ରାଭେଲ୍ ବଜାରର ୩ୟ ସଂସ୍କରଣରେ ଯୋଗଦେବାକୁ ଆସିଥିବା ଦେଶର ବିଭିନ୍ନ ସ୍ଥାନର ଏହି ଟୁର୍ ଅପରେଟର୍ମାନେ ପଦଯାତ୍ରାରେ ମନ୍ଦିରମାଳିନୀ ଭୁବନେଶ୍ୱରର ଐତିହ୍ୟ କୀର୍ତିରାଜିକୁ ଦେଖି ଅଭିଭୂତ ହୋଇଥିଲେ । ପ୍ରାଚୀନ ମନ୍ଦିର ପର୍ଶୁରାମେଶ୍ୱର ପୀଠରୁ ସେମାନେ ଆରମ୍ଭ କରି ପବିତ୍ର ବିନ୍ଦୁସାଗର ସମୀପବର୍ତୀ ଔଷଧୀୟ ଉଦ୍ୟାନରେ ଯାତ୍ରା ଶେଷ କରିଥିଲେ । କ୍ରମାନ୍ୱୟରେ ୭ଟି ଐତିହ୍ୟ କୀର୍ତି ସେମାନେ ପରିଦର୍ଶନ କରିଥିଲେ । ଜାତୀୟ ପୁରସ୍କାରପ୍ରାପ୍ତ ପର୍ଯ୍ୟଟନ ଗାଇଡ୍ ତପନ କୁମାର ମିଶ୍ର ଟୁର୍ ଅପରେଟର୍ମାନଙ୍କୁ ଓଡ଼ିଶାର ମନ୍ଦିର ନିର୍ମାଣ ଶୈଳୀ ଏବଂ ସ୍ଥାପତ୍ୟର ବିଶେଷତ୍ୱ ସଂପର୍କରେ ବୁଝାଇଥିଲେ ।
ଓଡ଼ିଶାକୁ ଆସିଥିବା ଏହି ଟୁର୍ ଅପରେଟର୍ମାନେ ବିଭିନ୍ନ ଐତିହ୍ୟ ସ୍ଥାନଗୁଡ଼ିକ ଦେଇ ଅତ୍ୟନ୍ତ ଆନନ୍ଦିତ ହୋଇଥିଲେ ଏବଂ ଓଡ଼ିଶା ପର୍ଯ୍ୟଟନର ବ୍ୟାପକ ପ୍ରସାର ତଥା ବିପଣନ ଦିଗରେ ପ୍ରଯତ୍ନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ଓଡ଼ିଶା ଟ୍ରାଭେଲ୍ ବଜାର ରାଜ୍ୟ ପର୍ଯ୍ୟଟନ ଓ ଭାରତୀୟ ବାଣିଜ୍ୟ ମହାସଂଘ (ଫିକି)ର ମିଳିତ ଆୟୋଜକ
ଭାବରେ ଓଡ଼ିଶାର ଐତିହ୍ୟ, ବୌଦ୍ଧ, ସାଂସ୍କୃତିକ ଓ ଜନଜାତି ପର୍ଯ୍ୟଟନ ଇତ୍ୟାଦି କ୍ଷେତ୍ରରେ ବ୍ୟାପକ ବିକ୍ରୟ ଏବଂ ବିପଣନ ଆଭିମୁଖ୍ୟରେ ଆୟୋଜନ କରାଯାଇଛି ।