ଯେଉଁସବୁ ରାଜ୍ୟମାନଙ୍କରେ ବନ ଧନ ବିକାଶ ଯୋଜନା ଖୁବ୍ ଶୀଘ୍ର ଲୋକମାନଙ୍କ ନିକଟରେ ପହଞ୍ଚି ପାରୁଛି ତାହା ମଧ୍ୟରେ ଓଡ଼ିଶା ପ୍ରମୁଖ ରାଜ୍ୟ ରହିଛି । ଏବେସୁଦ୍ଧା ରାଜ୍ୟରେ ୬୬୦ଟି ବନ ଧନ ବିକାଶ କେନ୍ଦ୍ର ଯାହାକୁ ୨୨ଟି ବନ ଧନ ବିକାଶ କେନ୍ଦ୍ର କ୍ଲଷ୍ଟର ଭାବେ ବର୍ଗୀକୃତ କରାଯାଇଛି, ତାହା ମାଧ୍ୟମରେ ୬୩୦୦ରୁ ଅଧିକ ଆଦିବାସୀ ଲୋକ ସକାରାତ୍ମକ ଭାବେ ଉପକୃତ ହୋଇପାରିଛନ୍ତି ।
ଗତ କିଛି ମାସ ମଧ୍ୟରେ ଏହିସବୁ କ୍ଲଷ୍ଟରମାନଙ୍କରେ ପ୍ରକ୍ରିୟାକରଣ, ବ୍ରାଣ୍ଡିଂ ଏବଂ ପ୍ୟାକେଜିଂ ପାଇଁ ଆବଶ୍ୟକ ଯନ୍ତ୍ରପାତି ଆହରଣ କରାଯିବା ସହ ଲୋକମାନଙ୍କୁ ଆବଶ୍ୟକ ତାଲିମ ପ୍ରଦାନ କରାଯାଇଛି । ଏହିସବୁ କ୍ଲଷ୍ଟରଗୁଡ଼ିକ ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ା, ସୁନ୍ଦରଗଡ଼ ଏବଂ କୋରାପୁଟ ଭଳି ଜିଲ୍ଲାର ବିଭିନ୍ନ ସ୍ଥାନରେ ରହିଛି । ଆଦିବାସୀ ଲୋକମାନଙ୍କ ଦ୍ୱାରା ସେହିସବୁ କେନ୍ଦ୍ରମାନଙ୍କରେ ଚଳିତ ମାସ ପ୍ରାରମ୍ଭରେ ଆବଶ୍ୟକ କଞ୍ଚାମାଲ ଆହରଣ, ପ୍ରକ୍ରିୟାକରଣ ତଥା ଉତ୍ପାଦନ ଆରମ୍ଭ ହୋଇଛି ।
ମୟୂରଭଞ୍ଜ ଜିଲ୍ଲାରେ, ତିନୋଟି କ୍ଲଷ୍ଟର ମାଧ୍ୟମରେ ଆଦିବାସୀ ହିତାଧିକାରମାନେ ଉପକୃତ ହୋଇପାରୁଛନ୍ତି । ସେହିସବୁ କ୍ଲଷ୍ଟରଗୁଡ଼ିକ ହେଲା, ଲୁଗୁବୁରୁ ଭିଡିଭିକେସି, ମା’ ଧରିତ୍ରୀ ଭିଡ଼ିଭିକେସି ଏବଂ ଭୀମକୁଣ୍ଡ ଭିଡ଼ିଭିକେସି। ଏହିସବୁ କେନ୍ଦ୍ରମାନଙ୍କରେ ଶାଳପତ୍ର, ଶାଳ ମଞ୍ଜି, କୁସୁମ ମଞ୍ଜି ଏବଂ ଜଙ୍ଗଲରୁ ସଂଗୃହୀତ ମହୁକୁ ପ୍ରକ୍ରିୟାକରଣ କରାଯାଉଛି । ସେହିଭଳି ଶାଳପତ୍ରରୁ ଖାଇବା ଥାଳି, ଦନା ପ୍ରସ୍ତୁତ କରାଯିବା ସହିତ କୁସୁମ ତେଲ ଓ ମହୁକୁ ପ୍ରକ୍ରିୟାକରଣ କରାଯାଉଛି । କେନ୍ଦୁଝର ଜିଲ୍ଲାରେ ଆଦିବାସୀ ହିତାଧିକାରୀମାନେ ଆଞ୍ଚଳିକ ଖଣ୍ଡାଧାର ଭିଡ଼ିଭିକେସି ମାଧ୍ୟମରେ କଞ୍ଚା ଆମ୍ବ, ସୋରିଷ ଓ ହଳଦୀରୁ ଆମ୍ବ ପାମ୍ପଡ଼, ଆମ୍ବ ଆଚାର, ହଳଦୀ ଗୁଣ୍ଡ ଏବଂ ସୋରିଷ ତେଲ ପ୍ରସ୍ତୁତ କରୁଛନ୍ତି । ବନ ଦୁର୍ଗା ଭିଡ଼ିଭିକେସି କ୍ଲଷ୍ଟରରେ ଏମଏଫପିମାନେ ତେନ୍ତୁଳି, ଶାଳ ମଞ୍ଜି ଓ ଚାର ମଞ୍ଜକୁ ପ୍ରକ୍ରିୟାକୃତ ତଥା ମୂଲ୍ୟଯୁକ୍ତ କରୁଛନ୍ତି । ସେଠାରେ ହିତାଧିକାରୀମାନେ ତେନ୍ତୁଳିରୁ ମଞ୍ଜି ଛଡ଼ାଇବା, ତେନ୍ତୁଳି ଗୁଳା ପ୍ରସ୍ତୁତ କରିବ, ଶାଳ ସାମ୍ପୁ ପ୍ରସ୍ତୁତ କରିବା ସହ ଚାର ମଞ୍ଜି ପ୍ୟାକେଟ ଆଦି ପ୍ରସ୍ତୁତ କରୁଛନ୍ତି ।
କୋରାପୁଟ, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଭିଡ଼ିଭିକେ କ୍ଲଷ୍ଟରମାନଙ୍କରେ ସେହିଭଳି ଅନ୍ୟାନ୍ୟ ମୂଲ୍ୟଯୁକ୍ତ ସାମଗ୍ରୀ ଉତ୍ପାଦନ କରାଯାଉଛି । ସେଥି ମଧ୍ୟରେ ତେନ୍ତୁଳି ଗୁଳା, ମହୁଆ ତେଲ, ଜୈବ ଚାଉଳ ପ୍ୟାକେଟ୍, ମହୁଆ ତେଲ, ନିମ ତେଲ, ଚିରୋଞ୍ଜି ମଞ୍ଜିଛଡ଼ା ଓ ହଳଦୀ ଗୁଣ୍ଡ ଆଦି ସାମିଲ ।