ଯାଜପୁର, ମଦ କାରବାରକୁ ବିରୋଧ କରିବାରୁ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ବିରିପଟା ପଚାଂୟତର ବରେଇ ଗାଁରେ । ମୃତ ମହିଳାଙ୍କ ନାମ ଲକ୍ଷ୍ମୀ ଜେନା । ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଗାଁରେ ବିଜୟ ଜେନା ମଦ କାରବାର କରୁଥିଲେ । ଏହାକୁ ବାରମ୍ବାର ବିରୋଧ କରି ଆସୁଥିଲେ ଲକ୍ଷ୍ମୀ । ଏହା ପରେ ପୋଲିସ ମଦ ବ୍ୟବସାୟୀ ବିଜୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଫଳରେ ତାଙ୍କ ମଦ କାରବାର ବନ୍ଦ ହୋଇଯାଇଥିଲା । ଏଥିରେ ସେ ଉତକ୍ଷିପ୍ତ ହୋଇ ଗତକାଲି ଲକ୍ଷ୍ମୀଙ୍କ ଉପରକୁ ଢ଼େଲା, ପଥର ମାଡ କରିଥିଲେ । ଫଳରେ ଲକ୍ଷ୍ମୀ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ ଯାଜପୁର ମେଡିକାଲ ଏବଂ ପରେ ଅଧିକ ଚିକିତ୍ସା ନିମନ୍ତେ କଟକ ସ୍ଥାନାନ୍ତରିତ କରାଯାଇଥିଲା । କିନ୍ତୁ, ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଖବର ପ୍ରଚାରିତ ହେବା ପରେ ଗ୍ରାମରେ ଉତେଜନା ପ୍ରକାଶ ପାଇଥିଲା । ଲକ୍ଷ୍ମୀଙ୍କ ପରିବାର ଲୋକେ ଥାନାରେ ଏନେଇ ଏତଲା କରିଥିଲେ । ଏତଲାକୁ ଭିତି କରି ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରିବା ସହ ଅଭିଯୁକ୍ତ ବିଜୟଙ୍କୁ ଗିରଫ କରିଛି । ତେବେ ମାମଲାରେ ଜଡ଼ିତ ଥିବା ବିଜୟର ସହଯୋଗୀ ମାନଙ୍କୁ ମଧ୍ୟ ପୋଲିସ ଗିରଫ କରୁ ବୋଲି ଦାବି କରିଛନ୍ତି ଗ୍ରାମବାସୀ ।