ମାଲକାନଗିରି – ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ତେଲରାଇ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ବିଧବା ମାଆ ନିଜର ଜନ୍ମିତ ଦୁଇ ପୁଅଙ୍କୁ ବିଷ ଦେବା ସହିତ ନିଜେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ତେବେ ଘଟଣାରେ ମାଆ ଓ ସାନପୁଅର ମୃତ୍ୟୁ ଘଟିଥିବା ବେଳେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତିଛି ବଡ ପୁଅ । ତା’ର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହଛି । ସମ୍ପ୍ରତି ସେ ଚିକିତ୍ସାଧିନ ଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ମୁକେ ପଡିଆମୀଙ୍କ ସ୍ୱାମୀ ସିଙ୍ଗା ପଡିଆମୀ ଗତ ତିନି ବର୍ଷ ତଳେ ଟିବି ରୋଗରେ ପୀଡ଼ିତ ହୋଇ ପ୍ରାଣ ହରାଇଥିଲେ । ଏହାପରେ ଶାଶୁ, ଶ୍ୱଶୁରଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ମୁକେଙ୍କ ପ୍ରତି ଶାରିରୀକ ଓ ମାନସିକ ନିର୍ଯାତନା । ଏପରିକି ସେମାନେ ଅନେକ ସମୟରେ ତାଙ୍କ ସହିତ ଝଗଡ଼ା ମଧ୍ୟ କରୁଥିଲେ । ଯାହାକୁ ନେଇ ସେ ସର୍ବଦା ମାନସିକ ଅଶାନ୍ତି ମଧ୍ୟରେ ରହୁଥିଲେ । ସବୁଦିନ ପରି ଗତକାଲି ରାତିରେ ଶାଶୁ ଶ୍ୱଶୁର ମୁକେଙ୍କ ସହିତ ଝଗଡ଼ା କରିଥିଲେ । ଯାହାକୁ ନେଇ ସେ ମାନସିକ ଭାରସାମ୍ୟ ହରାଇ ନିଜର ଦୁଇ ପୁଅ ୬ ବର୍ଷର ପୁଅ ମୁନା ଓ ୮ ବର୍ଷିୟ ପୁଅ ଦେବେନ୍ଦ୍ରକୁ ଆଜି ପୂର୍ବାହ୍ନରେ ମୃଦୁ ପାନୀୟରେ ବିଷ ମିଶାଇ ପିଇବାକୁ ଦେବା ସହ ନିଜେ ମଧ୍ୟ ତାହାକୁ ପିଇ ଦେଇଥିଲେ । ସାହି ପଡ଼ିଶା ଲୋକେ ଏ ସମ୍ପର୍କରେ ଜାଣିବା ପରେ ତୁରନ୍ତ ଘଟଣାସ୍ଥଳରେ ପହଂଚି ଥିଲେ । ତେବେ ସେତେବେଳକୁ ମାଆ ଓ ସାନ ପୁଅ ମୁନାଙ୍କ ମୃତ୍ୟୁ ଘଟି ସାରିଥିଲା । ବଡ ପୁଅ ଦେବେନ୍ଦ୍ରକୁ ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର କରାଯାଇ କାଲିମେଳା ମେଡିକାଲରେ ଭର୍ତି କରାଯାଇଛି । ତା’ର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି । ଅନ୍ୟପକ୍ଷରେ କାଲିମେଳା ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ମାଆ ପୁଅଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏ ସଂକ୍ରାନ୍ତରେ ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।
ପ୍ରକାଶ ଥାଉ କି, ଅନୁରୂପ ଘଟଣା କ୍ରମେ ଗତ ୨ ମାସ ତଳେ ମାଲକାନଗିରି ସଦର ମହକୁମାର ଗୌଡ଼ଗୁଡ଼ା ପଚାଂୟତ ଅନ୍ତର୍ଗତ ଗରେଇଗୁଡ଼ା ଗ୍ରାମରେ ଆର୍ଥକ ଅନାଟନ ଓ ଦାରିଦ୍ର୍ୟର ତାଡ଼ନା ସହିନପାରି ମାଆ ନିଜର ଦୁଇ ସନ୍ତାନଙ୍କୁ ବିଷ ଖାଇବାକୁ ଦେଇ ନିଜେ ମଧ୍ୟ ବିଷ ପିଇ ଦେଇଥିଲା । ଏହି ଘଟଣାରେ ମାଆ ଓ ଶିଶୁ କନ୍ୟାର ମୃତ୍ୟୁ ଘଟିଥିଲା । ପୁଅ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତି ଯାଇଥିଲା ।