
ବ୍ରହ୍ମପୁର,ଦିନକୁ ଦିନ ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସହରରେ କୋଭିଡ୍ ସଂକ୍ରମିତଙ୍କ ଚିକିତ୍ସା ପାଇଁ ସ୍ଥାନୀୟ ଆଇଟିଆଇ ଛାତ୍ରୀ ନିବାସରେ ୧୫୦ ଶଯ୍ୟା ବିଶିଷ୍ଟ ହେଲ୍ଥ ସେଣ୍ଟର ଆଜି ଶୁଭାରମ୍ଭ ହୋଇଛି । ଏହି ସମସ୍ତ ବେଡ୍ ରେ ଅକ୍ସିଜେନର ବ୍ୟବସ୍ଥା ରହିଥିବା ଜିଲ୍ଲାପାଳ କହିଛନ୍ତି । ତେବେ ବେଡ଼ ସଂଖ୍ୟା ବୃଦ୍ଧି କରାଯିବା ସହ ସଂକ୍ରମିତଙ୍କ କ୍ଷେତ୍ରରେ ଅକ୍ସିଜେନ କମ୍ ଥିଲେ ସିଧାସଳଖ ବିଏମ୍ସି ସହ ଯୋଗାଯୋଗ କରି ଏହି କୋଭିଡ୍ ହେଲ୍ଥ ସେଣ୍ଟରେ ଭର୍ତ୍ତି ହୋଇ ଚିକିତ୍ସା ପାଇପାରିବେ ବୋଲି କହିଛନ୍ତି ଜିଲ୍ଲାପାଳ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ନିଗମ କମିଶନରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ନିଗମ ଅଧିକାରୀ ଓ କର୍ମଚାରୀ ମାନେ ଖୁବ୍ କମ୍ ଦିନ ମଧ୍ୟରେ ସହରରେ ସଂକ୍ରମିତଙ୍କ ପାଇଁ ଏହି କୋଭିଡ୍ ହେଲ୍ଥ ସେଣ୍ଟର୍ ବ୍ୟବସ୍ଥା କରିଥିବାରୁ ଜିଲ୍ଲାପାଳ ପ୍ରଶଂସା କରିଛନ୍ତି ।
ସମସ୍ତ କେନ୍ଦ୍ର ଗୁଡିକରେ ସ୍ବାସ୍ଥ୍ୟ ସୁବିଧା ସାଙ୍ଗକୁ ୨୪ ଘଣ୍ଟିଆ ଡାକ୍ତରୀ ଟିମ୍ ରହି ଉତ୍ତମ ସ୍ବାସ୍ଥ୍ୟସେବା ପ୍ରତି ଗୁରୁତ୍ବ ଦିଆଯିବ ବୋଲି ନିଗମ ପକ୍ଷରୁ କୁହାଯାଇଛି । କୋଭିଡ ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ ନବୀନ ସରକାର ପରିସ୍ଥିତି କୁ ଅନୁଧ୍ୟାନ କରି ହସ୍ପିଟାଲ ଏବଂ ବେଡ଼ ସଂଖ୍ୟା ବୃଦ୍ଧି କୁ ଗୁରୁତ୍ୱ ଦେଉଛି ଜିଲ୍ଲା ପ୍ରଶାସନ । ବ୍ରହ୍ମପୁର ବାସୀଙ୍କ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା । ଆଜି କୋଭିଡ ସେଣ୍ଟର ଉଦଘାଟନ ବେଳେ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ, କମିଶନର ସିଦ୍ଧେଶ୍ୱର ବଳୀରାମ ବୋନ୍ଦର ,ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ସମେତ ବହୁ ମେଡିକାଲ ଡାକ୍ତର ଏବଂ କର୍ମଚାରୀ ଉପସ୍ଥିତ ଥିଲେ ।