ରାଉରକେଲା, ରାଉରକେଲାର ପୁରାତନ ସାମ୍ବାଦିକ ଅଦୈତ ପ୍ରସାଦ ବିଶ୍ୱାଳଙ୍କର ଆଜି ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ପାଖାପାଖି ୮୦ ବର୍ଷ ହୋଇଥିଲା । ସ୍ୱର୍ଗତ ବିଶ୍ୱାଳ ଏକାଧାରାରେ ଜଣେ ସାମ୍ବାଦିକ ସହ ଲେଖକ ଓ ଶ୍ରମିକ ସଂଗଠନର ନେତା ମଧ୍ୟ ଥିଲେ । ସେ କେନ୍ଦ୍ରାପଡା ଜିଲ୍ଲା ନିବାସୀ । ରାଉରକେଲାରେ ଦିର୍ଘ ବର୍ଷ ସାମ୍ବାଦିକତା କରିବା ସହ ସେ ଦେଶ ଓ ରାଜ୍ୟ ସ୍ତରରେ ଥିବା ସାମ୍ବାଦିକ ସଂଗଠନ ଗୁଡିକର ନେତୃତ୍ୱ ନେଇଥିଲେ । ସାମ୍ବାଦିକତାକୁ ନେଇ ସେ ଅନେକ ବହି ଲେଖିବା ସହ ନିଜ ସମ୍ପାଦନାରେ ଏକ ସାପ୍ତାହିକ ସମ୍ବାଦ ପତ୍ର ପ୍ରକାଶ କରୁଥିଲେ । ଏହାରି ଭିତରେ ସେ ରାଉରକେଲା ପ୍ରେସ୍ କ୍ଲବର ପ୍ରତିଷ୍ଠାତା ସଦସ୍ୟ ସାଙ୍ଗକୁ ସହରର ବିଭିନ୍ନ ସଂଗଠନ ସହ ସେ ସାମିଲ ଥିଲେ । ଶେଷ ଜୀବନ ବେଳକୁ ବହୁଦିନ ତଳୁ ଆରମ୍ଭ କରିଥିବା ତାଳଚେର ବିମଳାଗଡ ରେଳପଥ ଲାଗି ସେ ଆନ୍ଦୋଳନ ଚଳାଇଥିଲେ । ନିଜ ଜୀବନ ଜୀବିକା ଲାଗି ସେ ଏକ ପ୍ରିଟିଂ ପ୍ରେସ ଚଳାଇବା ସହ ପ୍ରତିଦିନର ଖବର ସହ ସେ ନିଜକୁ ସାମିଲ ରଖୁଥିଲେ । ତେବେ ତାଙ୍କ ଜୀବନ କାଳରେ ସମ୍ବାଦିକତାକୁ ନେଇ ସେ ଅନେକ ଚର୍ଚ୍ଚିତ ମଧ୍ୟ ହୋଇଛନ୍ତି । ଗତ ଏକ ସପ୍ତାହ ତଳେ ସେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତି ହୋଇଥିଲେ । ଆଜି ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି ।
ରାଉରକେଲା ପ୍ରେସ୍ କ୍ଲବର ସମ୍ପାଦକ ଅରବିନ୍ଦ ଦାସ କହିଛନ୍ତି ଯେ, ଏଭଳି ଖବର ନିଶ୍ଚୟ ସାମ୍ବାଦିକ ସମାଜ ଲାଗି ବଡ ଧରଣର କ୍ଷତି । ତାଙ୍କ ଭଳି ଶିକ୍ଷଣିୟ ବ୍ୟକ୍ତିତ୍ୱ ଆଜି କାଲି ବହୁତ କମ୍ ଦେଖିବାକୁ ମିଳନ୍ତି । ମୃତ୍ୟୁବେଳକୁ ତାଙ୍କ ପୁଅ ଓ ପରିବାର ଲୋକେ ଭାଇ ମାନେ ଥିବା ଖବର ମିଳିଛି । ଏହି ଖବର ପାଇ ସହରର ବହୁ ବୁଦ୍ଧିଜୀବି ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।