
ହରିଚନ୍ଦନପୁର,କେନ୍ଦୁଝର ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ହରିଚନ୍ଦନପୁର ବ୍ଲକର ଦୈତାରୀ ମାଇନ୍ସ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ଲୋକମାନେ ଆଜି ପର୍ଯ୍ୟନ୍ତ ସବୁ ବିକାଶ ଯୋଜନାରୁ ଅପହଞ୍ଚ ହୋଇରହିଥିବା ଅଭିଯୋଗ ହୋଇଛି । ଯାହାକି ଦେଖିବାକୁ ମିଳିଛି ଦୈତାରୀ ମାଇନ୍ସକୁ ଲାଗିରହିଥିବା ଦଲକି ସାହିର ୩୫ ଘର, ଗୋପିସାଗର ୧୦ ଘର, ଡାଇ ସାହିର ୫ ଘରର ଲୋକେ ସ୍ବାଧିନତାର ୭୩ ବର୍ଷ ପରେବି ବିକାଶରୁ ବହୁ ଦୂରରେ ରହିଛନ୍ତି । ଯାହାକି ଆଜକୁ ୧୦ବର୍ଷ ପୂର୍ବରୁ ଓଏମସି କମ୍ପାନୀ ପକ୍ଷରୁ ଏହି ୩ଟି ସାହିରେ ୭ଟି ସୋଲାର ଲାଇଟ୍ ଲଗାଯାଇଥିଲା, ହେଲେ କିଛି ଦିନ ପରେ ସେଗୁଡ଼ିକ ଅଚଳ ହୋଇପଡିଛି । ଦୀର୍ଘ ଦିନ ଧରି ସେଗୁଡ଼ିକ ଅଚଳ ହୋଇଥିବା ସତ୍ତ୍ଵେ ସେଗୁଡ଼ିକର ଆଜି ପର୍ଯ୍ୟନ୍ତ ମରାମତି କରାଯାଇନଥିବା ବେଳେ ଅନ୍ୟ କୌଣସି ସୁବିଧା ମାଇନ୍ସ ପକ୍ଷରୁ ସେମାନଙ୍କୁ ଯୋଗାଇ ଦିଆଯାଇନାହିଁ । ଦୈତାରୀ ମାଇନ୍ସର ଡ୍ୟାମକୁ ଲାଗି ରହିଥିବା ତଥା ମାଇନ୍ସରେ କବଳିତ ଏହି ଗ୍ରାମ ଗୁଡ଼ିକର ଅବସ୍ଥା ଏହିଭଳି ରହିଥିବା ବେଳେ ଅନ୍ୟ ନିକଟବର୍ତ୍ତୀ ଗ୍ରାମ ଗୁଡ଼ିକ ଅବସ୍ଥା କ’ଣ ରହିଥିବ ତାହା ଏହି ଗ୍ରାମ ବା ସାହି ଗୁଡ଼ିକୁ ଦେଖିଲେ ଅନୁମାନ କରାଯାଇପାରିବ । ବିକାଶର ଅନେକ ଦୂର ବା ବିକାଶର ଚିହ୍ନବର୍ଣ୍ଣ ଏଠାରେ ଦେଖିବାକୁ ମିଳେନାହିଁ । ଏଠାକାର ଲୋକମାନେ ବରେଇଗୋଡା ପଞ୍ଚାୟତକୁ ରାସନ୍ ସାମଗ୍ରୀ କିମ୍ବା କୌଣସି କାର୍ଯ୍ୟରେ ଯିବାକୁ ହେଲେ ପାହାଡ଼ି ପଥୁରିଆ ପାଦଚଲା ରାସ୍ତାରେ ଯିବାକୁ ପଡେ । ଅନ୍ୟପଟେ ସ୍ୱାସ୍ଥ୍ୟ ସେବା କଥା ନକହିବା ଭଲ । ଗାଁକୁ ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସ କ’ଣ ଏଠାକାର ଲୋକେ ଆଜି ପର୍ଯ୍ୟନ୍ତ ଦେଖିନାହାନ୍ତି । କୈାଣସି ରୋଗୀ କିମ୍ବା ଗର୍ଭବତୀ ମହିଳାଙ୍କୁ ଖଟିଆରେ କିଛି ବାଟ ବା ଦୈତାରୀ ଡ଼୍ୟାମ ପର୍ଯ୍ୟନ୍ତ ବୋହି ନେବାପରେ ବିଭିନ୍ନ ଭଡ଼ା ଗାଡ଼ି ଯୋଗେ ଦୈତାରୀ କିମ୍ବା ହରିଚନ୍ଦନପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥାଏ । ଏଥିସହ ଓଏମସି ମାଇନ୍ସ ପକ୍ଷରୁ ଦୈତାରୀ ଠାରେ ମେଡିକାଲ ରହିଛି ସତ, ହେଲେ ସେଠାରେ ଏହି ଆଦିବାସୀ ଲୋକଙ୍କୁ ଚିକିତ୍ସା ସୁବିଧା ଦିଆଯାଉନଥିବା ଅଭିଯୋଗ ହୋଇଛି । ପୂର୍ବରୁ ଅନେକଥର ଗ୍ରାମକୁ ଆମ୍ବୁଲାନ୍ସ ନଆସି ପାରିବା କାରଣରୁ ଉପଯୁକ୍ତ ସମୟରେ ଚିକିତ୍ସା ସେବା ନପାଇ ଖଟିଆ ଉପରେ ରୋଗୀଙ୍କ ଜୀବନ ଯାଇଥିବା ନଜିର ରହିଛି । 
ସେପଟେ ଦୈତାରୀ ଖଣି ସଂପ୍ରସାରଣ ପାଇଁ ପଲ୍ଲୀସଭା ଆୟୋଜନ କରି ଖଣି ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ବିଭିନ୍ନ ପ୍ରତିଶ୍ରୁତି ଉପରେ ପ୍ରତିଶ୍ରୁତି ଦେଇ ଚଞ୍ଚକତାରେ ଆଦିବାସୀଙ୍କ ଭିଟାମାଟି ଛଡ଼ାଇ ନେଇ ନିଜର କାୟା ବିସ୍ତାର କରିବା ସହ ଲାଭବାନ ହେଉଛି । ହେଲେ ଆଜି ପର୍ଯ୍ୟନ୍ତ ମାଇନ୍ସ ପ୍ରଭାବିତ ଅଞ୍ଚଳ ଗୁଡିକରେ ସେଭଳି କିଛି ଆଖିଦୃଶିଆ କାର୍ଯ୍ୟ କିମ୍ବା ବିକାଶ କରାଯାଇନାହିଁ । ଦୀପ ତଳ ଅନ୍ଧାର ଭଳି ଗ୍ରାମକୁ ଲାଗିରହିଥିବା ମାଇନ୍ସର ଡ୍ୟାମରେ ବିଦ୍ୟୁତ ରହିଛି, ହେଲେ ବର୍ତ୍ତମାନ ସୁଦ୍ଧା ଗ୍ରାମକୁ ବିଦ୍ୟୁତ୍ ସଂଯୋଗ କରାଯାଇନାହିଁ । ସରକାରଙ୍କ ସୌଭାଗ୍ୟଜ୍ୟୋତି ଯୋଜନା ରହିଛି, ହେଲେ ଏମାନଙ୍କ ପାଇଁ ତାହା ଅପହଞ୍ଚ ହୋଇରହିଛି । ପାହାଡ଼ ଘେରା ଜଙ୍ଗଲ ମଧ୍ୟରେ ଏହି ଗ୍ରାମଟି ରହିଥିବା ସହ ବିଦ୍ୟୁତ ଆଲୋକ ନଥିବା କାରଣରୁ ସଂନ୍ଧ୍ୟା ହେବା ପୂର୍ବରୁ ଗ୍ରାମଟି ଜନଶୂନ୍ୟ ହୋଇଯାଇଥାଏ ।
ସେହିପରି ସ୍ବଚ୍ଛ ପାନୀୟ ଜଳ କଥା ନ କହିବା ଭଲ, କାରଣ ଅନେକ ଦୈାଡିବା ଦ୍ଵାରା ଗ୍ରାମରେ ଖଣ୍ଡିଏ ନଳକୂପ ହୋଇଛି । ସେଠାରୁ ଆଇରନ୍ ମିଶ୍ରିତ ନାଲି ପାଣି ବାହାରେ, ଯାହାକି ପିଇବା ଉପଯୋଗୀ ନୁହେଁ, ତେଣୁ ଝରଣାରୁ ଚୂଆ ଖୋଳି ସେଠାରୁ ଆବଶ୍ୟକୀୟ ପାଣି ଗ୍ରାମବାସୀ ସଂଗ୍ରହ କରିଥାନ୍ତି । ବର୍ଷ ବର୍ଷ ଧରି ଚୂଆ ପାଣି ପିଇବା ଦ୍ବାରା ଏଠାକାର ଲୋକେ ବିଭିନ୍ନ ସମୟରେ ବିଭିନ୍ନ ରୋଗର ଶୀକାର ହେଉଥିବା ଦେଖିବାକୁ ମିଳେ । ଶିକ୍ଷା କହିଲେ ଗାଁରେ ଅଙ୍ଗନୱାଡି ଓ ପ୍ରାଥମିକ ବିଦ୍ୟାଳୟଟିଏ ଅଛି, ହେଲେ ସେଠାରୁ ଉତ୍ତୀର୍ଣ୍ଣ ହେଲେ ଗମନାଗମନ ଅସୁବିଧା ଯୋଗୁ ଆଉ ଆଗକୁ ନଯାଇ ବସ୍ତାନିରେ ଡୋରୀ ବାନ୍ଧି ପାଠ ଛାଡ଼ିବା ପାଇଁ ବାଧ୍ୟ ହେଉଛନ୍ତି । ସବୁଠାରୁ ମୁଖ୍ୟ କଥା ଏଠାକାର ଲୋକେ ମରିବାକୁ ବସିଛନ୍ତି ହେଲେ ଏମାନେ ସରକାରୀ ପେନସନ ଯୋଜନାରେ ସାମିଲ୍ ହୋଇପାରିନାହାନ୍ତି । ଅନେକ ଆଦିବାସୀ ମହିଳାଙ୍କ ସ୍ବାମୀ ମରିବା ପରେ ଅନେକ ବର୍ଷ ପେନସନ ଯୋଜନାକୁ ଚାହିଁ ଚାହିଁ ନିଜେ ପ୍ରାଣ ହରାଇଥିବା ନଜରକୁ ଆସିଛି । ଏମାନଙ୍କ ମଧ୍ୟରୁ କେତେ ଜଣ ସରକାରଙ୍କ ଜଙ୍ଗଲ ଜମି ପଟ୍ଟା ପାଇଛନ୍ତି, ହେଲେ ସରକାରୀ ଆବାସ ଯୋଜନାରୁ ପକ୍କାଘର ଖଣ୍ଡେ ପାଇବାରୁ ବଞ୍ଚିତ ରହିଛନ୍ତି । ତେଣୁ ଏଥିପ୍ରତି ପ୍ରଶାସନ ଓ ଓଏମସିର ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ମାଇନ୍ସ ପ୍ରଭାବିତ ଗ୍ରାମ ଗୁଡ଼ିକରେ ସମସ୍ତ ମୌଳିକ ସୁବିଧା ଯୋଗାଇ ଦେବାକୁ ଜନସାଧାରଣ ଦାବି ହୋଇଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO