କନ୍ଧମାଳ, କନ୍ଧମାଳ ଜିଲ୍ଲା ରାଇକିଆ ତହସିଲଦାର ଚକ୍ରଧର ପାଢ଼ୀ ଜଣେ ଟ୍ରାକ୍ଟର ମାଲିକ ସେନାପତି ପ୍ରଧାନଙ୍କ ଠାରୁ ଟ୍ରାକ୍ଟର ରିଲିଜ୍ କରିବା ପାଇଁ ୪୦ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସୂଚନା ଅନୁଯାୟୀ, ରାଇକିଆର ମନ୍ଦାକିଆ ଅଂଚଳର ସେନାପତି ପ୍ରଧାନଙ୍କ ବେଆଇନ ଭାବେ ଚାଲାଣ ହେଉଥିବା ପଥର ବୋଝେଇ ଟ୍ରାକ୍ଟରକୁ ଗତ କିଛି ମାସ ତଳେ ଜବତ କରିଥିଲେ ତହସିଲଦାର । ଟ୍ରାକ୍ଟରକୁ ରିଲିଜ୍ କରିବା ପାଇଁ ସେନାପତି ତହସିଲଦାରଙ୍କୁ ନିବେଦନ କରିବାରେ ସେଥିପାଇଁ ସେ ୫୦ ହଜାର ଟଙ୍କା ଲାଂଚ ଦାବି କରିଥିଲେ । ତେବେ ସେନାପତି ଏତେ ଟଙ୍କା ଦେବାକୁ ନିଜର ଅକ୍ଷମତା ପ୍ରକାଶ କରିବାରୁ ତହସିଲଦାର ତାଙ୍କ ଗୁହାରି ଶୁଣି ନଥିଲେ । ଫଳରେ ସେନାପତି ଏନେଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଭିଜିଲାନ୍ସ ବିଭାଗ ତାଙ୍କ ଅଭିଯୋଗ ମୁତାବକ ୯/୨୧ ରେ ଏକ ମାମଲା ରୁଜ୍ଜୁ କରି ଏ ବାବଦରେ ଏକ ଯୋଜନା ପ୍ରସ୍ତୁତ କରିଥିଲେ । ଏହି ଯୋଜନା ମୁତାବକ ସେନାପତି ଆଜି ୪୦ ହଜାର ଟଙ୍କା ତହସିଲଦାର ଚକ୍ରଧରଙ୍କୁ ତାଙ୍କ କାର୍ଯ୍ୟାଳୟରେ ଦେବା ସମୟରେ ନିକଟରେ ଛପି ରହିଥିବା ଭିଜିଲାନ୍ସ ଅଧିକାରୀ ମାନେ ତାଙ୍କୁ କାବୁ କରି ନେଇଥିଲେ । ଭିଜିଲାନ୍ସ ପକ୍ଷରୁ ତହସିଲଦାରଙ୍କ କାର୍ଯ୍ୟାଳୟ, ତାଙ୍କ ସରକାରୀ ବାସଭବନ ଓ ତାଙ୍କ ପୈତୃକ ଘରେ ଚଢ଼ଉ ଜାରୀ ରହିଛି । ଘଟଣାରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ।