ପୁରୀ, ଆଜି ଦ୍ୱିତୀୟ ଦିନରେ ଭକ୍ତ ମାନେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିପାରିନାହାଁନ୍ତି । କରୋନା କଟକଣା ଯୋଗୁଁ ଶନିବାର ଓ ରବିବାର ଦୁଇ ଦିନ ପାଇଁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିଛି । କେବଳ ପାଳିଆ ସେବାୟତ ମାନେ ମହାପ୍ରଭୁଙ୍କ ନୀତିକାନ୍ତି ସମାପନ କରୁଛନ୍ତି । ବରାଦି ଅବଢ଼ା ରନ୍ଧା ମଧ୍ୟ ବନ୍ଦ ରହିଛି । କେବଳ କୋଠ ଭୋଗ ମହାପ୍ରଭୁଙ୍କୁ ଲାଗି ହୋଇଛି । ମନ୍ଦିର ଚର୍ତୁପାଶ୍ୱର୍ ଶୂନଶାନ୍ ରହିଥିବା ବେଳେ ନିସ୍ତବ୍ଧତାର ବାତାବରଣ ସୃଷ୍ଟି ହୋଇଛି । ଅଧରାତି ପର୍ଯ୍ୟନ୍ତ ଭକ୍ତଙ୍କ ଗହଳି ଚହଳି ହୋଇପଡୁଥିବା ଶ୍ରୀମନ୍ଦିର ଚର୍ତୁଦ୍ୱାର ଭକ୍ତ ଶୂନ୍ୟ ହୋଇପଡିଛି ।
ସେହିପରି ପୁରୀ ସହରରେ ସପ୍ତାହନ୍ତ ସଟ୍ ଡାଉନ୍ ର ଦ୍ୱିତୀୟ ଦିନରେ ଆଜି ବଡ଼ଦାଣ୍ଡ ସମ୍ପୂର୍ଣ୍ଣ ଜନଶୂନ୍ୟ ହୋଇପଡିଛି । ପୁରୀକୁ ୧୦ଟି ଜୋନ୍ ରେ ବିଭକ୍ତ କରି ପୋଲିସ ପଇଁତରା ମାରୁଛି । ଦୋକାନ ବଜାର ବନ୍ଦ ରହିଛି । ରେଳ ଷ୍ଟେସନ, ବସଷ୍ଟାଣ୍ଡ ଯାତ୍ରୀ ଶୂନ୍ୟ ହୋଇପଡିଛି । ସଟ୍ ଡାଉନ୍ ଯୋଗୁଁ ସମୁଦ୍ର କୂଳ ପର୍ଯ୍ୟଟକ ଶୂନ୍ୟ ହୋଇପଡିଛି । ସ୍ୱର୍ଗଦ୍ୱାରରେ କାଁ ଭାଁ ଶବ ସତ୍କାର ହେଉଛି । ମଙ୍ଗଳା ଘାଟ, ଅଠରନଳା, ହରେକୃଷ୍ଣପୁର, ନୂଆନଈ ନିକଟରେ ପୋଲିସର ନାକାବନ୍ଦୀ ଲାଗିଛି । ଆସନ୍ତା କାଲି ସୋମବାର ସକାଳ ୫ଟା ପରେ ଜନସାଧାରଣ ବଜାର, ହାଟରୁ ସେମାନଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିପାରିବେ ବୋଲି ସୂଚନା ମିଳିଛି ।