ଭୁବନେଶ୍ୱର, ରାଜ୍ୟରେ ବର୍ତମାନ ସୁଦ୍ଧା ୫୫ ଲକ୍ଷ ୫୦ ହଜାର ୩୮୦ ଡୋଜ ଟିକା ଦିଆଯାଇସାରିଥିବା ନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଅଗ୍ରାଧିକାର ଭିତିରେ ପଶ୍ଚିମ ଓଡ଼ିଶାକୁ କରୋନା ଟିକା ଦିଆଯାଉଥିବା ସେ କହିଛନ୍ତି । ସେ କହିଛନ୍ତି ଯେ, ସଟଡାଉନ ଯୋଗୁଁ ଶନିବାର ଓ ରବିବାର ଟିକାକରଣ ବନ୍ଦ ରହିଛି । ଟିକାକରଣ କେନ୍ଦ୍ରକୁ ଏହି ସମୟରେ ସାନିଟାଇଜ କରାଯିବା ସହ ସୋମବାରରୁ ଶୁକ୍ରବାର ଅନବରତ ଭାବେ ଟିକାକରଣ ଚାଲିବ । ଉଭୟ ଟିକା ନିରାପଦ ଓ ଫଳପ୍ରଦ ବୋଲି କହିବା ସହ ସମସ୍ତେ ଟିକା ନେବା ଉଚିତ । ଦୁଇଟି ଡୋଜ ନେବା ପରେ ହିଁ ସଂକ୍ରମଣରୁ ରକ୍ଷା ମିଳିପାରିବ । ପ୍ରଥମ ଡୋଜ ଏତେ ଫଳପ୍ରଦ ନୁହେଁ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ ବର୍ତମାନ ୧ଲକ୍ଷ କୋଭିସିଲ୍ଡ ଟିକା ମହଜୁଦ ଥିବା ବେଳେ ଆଜି ୧ ଲକ୍ଷ ଡୋଜ ଆସିବ । ତେବେ ଟିକା ଅଭାବରୁ ଅଧିକାଂଶ ଟିକାକରଣ କେନ୍ଦ୍ର ବନ୍ଦ ରହିଥିବା କଥା ମଧ୍ୟ କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ । ଟିକାର ଅଭାବ ରହିଥିବାରୁ ଟିକାକରଣ କେନ୍ଦ୍ରକୁ ବନ୍ଦ କରାଯାଇଛି । ଅଧିକ ଟିକା ଆସିଲେ ବନ୍ଦ ରହିଥିବା ଟିକାକରଣ କେନ୍ଦ୍ରରେ ପୁଣି ଥରେ ଟିକାକରଣ ଆରମ୍ଭ ହେବ ବୋଲି ସେ କହିଛନ୍ତି ।