ଗଞ୍ଜାମ,କରୋନାର ଦ୍ୱିତୀୟ ଲହରରେ ଗଞ୍ଜାମ ଜିଲ୍ଲାରେ ସଂକ୍ରମଣର ସ୍ଥିତି ସଙ୍ଗିନ ହେବାକୁ ବସିଥିବା ବେଳେ ପ୍ରବାସୀ ମାନେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଫେରୁଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ କଟକଣାକୁ କଡ଼ାକଡ଼ି କରାଯାଇଛି । ପୂର୍ବଥର ଜିଲ୍ଲାକୁ ସବୁଠାରୁ ଅଧିକ ପ୍ରବାସୀ ଫେରିଥିଲେ । ସଂକ୍ରମିତ ରାଜ୍ୟରୁ ପ୍ରବାସୀ ଫେରିବା ଫଳରେ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିଲା । ବର୍ତମାନ ମଧ୍ୟ ଗଞ୍ଜାମ ଜିଲ୍ଲାରେ ସ୍ଥିତି ଅଣାୟାତ ହେବାକୁ ଯାଉଛି । ପୂର୍ବ ତୁଳନାରେ ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ହାର କମ୍ ରହିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଏଥର ଆଗୁଆ ସଚେତନ ହୋଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି । ପ୍ରଶାସନ ପକ୍ଷରୁ ପୁଣି ଥରେ ଦୁଇ ଦିନ ହେଲା ବ୍ରହ୍ମପୁର ସହରାଚଂଳରେ ଘରକୁ ଘର ବୁଲି ଟେଷ୍ଟିଂ ଓ ସ୍କ୍ରିନିଂ ଆରମ୍ଭ ହୋଇଛି । ଏଥିପାଇଁ ଜିଲ୍ଲାରେ ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତି କରାଯାଇଛି । ବ୍ରହ୍ମପୁର ସହରରେ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ଯାଂଚ୍ ପ୍ରକ୍ରିୟା ପାଇଁ ଅଙ୍ଗନବାଡ଼ି କର୍ମୀ ଓ ଆଶା କର୍ମୀଙ୍କୁ ନେଇ ୧୧୨ଟି ଟିମ୍ ଗଠନ କରାଯାଇଛି । ଏହି ଟିମ୍ ସହରରେ ଘରକୁ ଘର ବୁଲି ଥର୍ମାଲ୍ ସ୍କ୍ରିନିଂ, ଅକ୍ସିଜେନ୍ ଯାଂଚ୍ ଆଦି କରିବା ସହ କରୋନା ଲକ୍ଷଣ ନେଇ ଲୋକଙ୍କୁ ସଚେତନ କରୁଛନ୍ତି । ଗତକାଲି ୩୮ ନଂ ୱାର୍ଡ଼ରେ ଅଙ୍ଗନବାଡ଼ି କର୍ମୀ ଓ ଆଶା ଦିଦି ମାନେ ଘରକୁ ଘର ବୁଲି ସ୍କ୍ରିନିଂ କରୁଥିବା ବେଳେ ୧୨ ନଂ ୱାର୍ଡ଼ରେ ଥର୍ମାଲ ସ୍କ୍ରିନିଂ ଓ ଅକ୍ସିଜେନ ଯାଂଚ୍ କାର୍ଯ୍ୟକ୍ରମକୁ ତଦାରଖ କରୁଛନ୍ତି । ବ୍ରହ୍ମପୁର ମହାନଗର ନିଗମ କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦାର ଅଙ୍ଗନବାଡ଼ି କର୍ମୀ ଓ ଆଶା ଦିଦି ମାନେ କିପରି ହେଲଥ ସ୍କ୍ରିନିଂ କରୁଛନ୍ତି ତାହାର ପ୍ରତ୍ୟେକ୍ଷ ଅନୁଧ୍ୟାନ କରୁଛନ୍ତି । ଏହି ପ୍ରକ୍ରିୟା ୭ ଦିନ ଧରି ଚାଲିବ ।