-
ବାରିପଦାକୁ ସ୍ବଚ୍ଛ ଓ ସୁନ୍ଦର କରିବାରେ ଅବଦାନ ରଖିବେ
-
ରୋଜଗାରକ୍ଷମ ହେବାକୁ ନଗର ଉନ୍ନୟନ ବିଭାଗର ଯୋଜନା
-
ଗଠନ ହୋଇଛି କିନ୍ନର ସ୍ବୟଂସହାୟିକା ଗୋଷ୍ଠୀ

ବାରିପଦା, ବାରିପଦା ପୌରପାଳିକାରେ ପ୍ରଥମ ଥର ପାଇଁ କିନ୍ନର ଓ ମହିଳା ବ୍ୟାଟେରୀ ଚାଳିତ ତିନିଚକିଆ ଗାଡ଼ି ଚଲେଇବେ।ପୌରପାଳିକା ପକ୍ଷରୁ ଘରକୁ ଘର ବୁଲି ଏହି ଗାଡ଼ି ସାହାଯ୍ୟରେ ବର୍ୟ୍ୟ ସଂଗ୍ରହ କରିବା ସହିତ ସ୍ବଚ୍ଛତା କ୍ଷେତ୍ରରେ ଅବଦାନ ରଖିବେ। କିନ୍ନର ଓ ମହିଳାଙ୍କୁ ରୋଜଗାର ଯୋଗାଇଦେବା ଉଦ୍ଦେଶ୍ୟରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ହୋଇଥିବା ଯୋଜନାର ଅଂଶ ସ୍ବରୂପ ବାରିପଦାରେ ପ୍ରଥମ ଦଫାରେ ୧୦ଟି ବ୍ୟାଟେରୀ ଚାଳିତ ତିନି ଚକିଆ ଗାଡ଼ି ଅଣାଯାଇଛି। ମହିଳା ସ୍ବୟଂସହାୟିକା ଗୋଷ୍ଠୀ ଏବଂ କିନ୍ନର ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ହିଁ ଏହି ଗାଡ଼ି ଚଲେଇପାରିବେ। ଏନେଇ କିନ୍ନରମାନଙ୍କୁ ନେଇ ଏକ ସ୍ବୟଂ ସହାୟିକା ଗୋଷ୍ଠୀ ମଧ୍ୟ ଗଠନ କରାଯାଇଛି। ଚଳିତ ୨୩ ରେ ଜିଲ୍ଲାପାଳ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିବାର କାର୍ୟ୍ୟକ୍ରମ ସ୍ଥିର ହୋଇଛି। ଏନେଇ ୫ଜଣ ମହିଳା ଓ ୫ ଜଣ କିନ୍ନରଙ୍କୁ ଗତ ସପ୍ତାହେ ହେବ ତାଲିମ ପ୍ରଦାନ କରାଯାଉଛି। ତାଲିମ ନେଉଥିବା ସମସ୍ତ ସଦସ୍ୟାଙ୍କ ନିକଟରେ ଦୁଇଚକିଆ ଗାଡ଼ି ଚଲେଇିବାର ଅଭିଜ୍ଞତା ରହିଛି। ମାତ୍ର ତିନିଚକିଆ ଗାଡ଼ି ଚଲେଇବା ନିମନ୍ତେ ସେମାନଙ୍କୁ ତାଲିମ ଦିଆଯାଉଥିବା ବାରିପଦା ଉପଜିଲ୍ଲାପାଳ ତଥା ପୌରପାଳିକା ନିର୍ବାହୀ ଅଧିକାରୀ ଅନ୍ବେଷା ରେଡ୍ଡୀ ସୂଚନା ଦେଇଛନ୍ତି। ଉପରୋକ୍ତ ସଦସ୍ୟାମାନେ ବ୍ୟାଟେରୀଚାଳିତ ତିନି ଚକିଆ ଗାଡ଼ି ସହାୟତାରେ ବାରିପଦା ସହରର ଗଳିକୁ ଗଳି ବୁଲି କଠିନ ବର୍ୟ୍ୟ ସଂଗ୍ରହ କରିବେ। ନଗର ଉନ୍ନୟନ ବିଭାଗର ଗାଇଡ୍ଲାଇନ ଅନୁଯାୟୀ ସେମାନଙ୍କୁ ଦରମା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ବାରିପଦା ପୌରପାଳିକାରେ ସ୍ବଚ୍ଛତା କ୍ଷେତ୍ରରେ ମହିଳା ସ୍ବୟଂସହାୟିକା ଗୋଷ୍ଠୀଗୁଡ଼ିକୁ ପୂର୍ବରୁ ମଧ୍ୟ ନିୟୋଜିତ କରାଯାଇଛି। ଏବେ ତିନି ଚକିଆ ଗାଡ଼ି ଚଲେଇ ମହିଳା ଓ କିନ୍ନରମାନେ ସଶକ୍ତ ତଥା ରୋଜଗାରକ୍ଷମ ହେବାର ଉଦାହରଣ ସୃଷ୍ଟି କରିବେବୋଲି ଶ୍ରୀମତୀ ରେଡ୍ଡୀ ପ୍ରକାଶ କରିଛନ୍ତି। ଏନେଇ ତିନିଚକିଆ ଗାଡ଼ି ଚଲା ତାଲିମ ନେଉଥିବା ସ୍ଥାନୀୟ ଭଞ୍ଜପୁରର ସବିତା ନାୟକ ବେଶ ଉତ୍ସାହିତ ଥିବା ପ୍ରକାଶ କରିଛନ୍ତି। ପୂର୍ବରୁ ଦୁଇ ଚକିଆ ଗାଡ଼ି ଚଲେଇବାର ଅଭିଜ୍ଞତା ରହିଛି। ପ୍ରଥମ କରି ଏହି ତିନିଚକିଆ ଗାଡ଼ି ଚଲେଇ ବାରିପଦାକୁ ପରିଷ୍କାର ରଖିବାରେ କିଛି ଯୋଗଦାନ କରିପାରିବି। ସେହିପରି ରୋଜଗାରକ୍ଷମ ହୋଇ ଆତ୍ମନିର୍ଭର ହୋଇପାରିବି ବୋଲି ସବିତା ପ୍ରକାଶ କରିଛନ୍ତି। ସେହିପରି ଶିବାନୀ ହାଁସଦା, ମନୋରଂଜନ ସାହୁଙ୍କ ଭଳି କିନ୍ନର ମଧ୍ୟ ଏହି ଗାଡ଼ି ଚଲେଇବା ତାଲିମ ନେଉଛନ୍ତି। ଏପରି ତିନିଚକିଆ ଗାଡ଼ି ଚଲେଇ ମହିଳା ଓ କିନ୍ନରମାନେ ରୋଜଗାରକ୍ଷମ ହୋଇ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିବେ ବୋଲି ମତପ୍ରକାଶ ପାଇଛି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO