ବାରିପଦା, ଓଡ଼ିଶାରୁ ଚିହ୍ନଟ ହୋଇଥିବା ୪,୮୫୧ କରୋନା ପଜିଟିଭ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରୁ ୭୮ ଜଣ କରୋନା ଆକ୍ରାନ୍ତ ରହିଛନ୍ତି ଏବଂ ଜିଲ୍ଲାରେ ସଂକ୍ରମିତମାନଙ୍କ ସଂଖ୍ୟା ବୃଦ୍ଧି ପାଇ ୧୫,୩୬୨ରେ ପହଁଞ୍ଚିଛି । ସେହିପରି ଏପ୍ରିଲ ୨୦ ପର୍ଯ୍ୟନ୍ତ ଜିଲ୍ଲାରୁ ୧୪,୬୩୧ ଜଣ ସୁସ୍ଥ ହୋଇ ଫେରିଥିବା ସମୟରେ ଆଜି ସୁଦ୍ଧା ୬୩୮ ଜଣ ସକ୍ରିୟ ଥାଇ ହୋମ ଆଇସୋଲେସନ, ବାରିପଦା ପିଆରଏମ ମେଡ଼ିକାଲ ସ୍ଥିତ ସ୍ୱତନ୍ତ୍ର ୱାର୍ଡ଼ ଓ କଟକ-ଭୂବନେଶ୍ୱରରେ ଚିକିତ୍ସା ହେଉଛନ୍ତି । ଏଥି ସହିତ ଜିଲ୍ଲାରୁ ଚଳିତ ଏପ୍ରିଲ ମାସରେ ୯୩୭ ପଜିଟିଭ କେଶ ସମ୍ମୁଖକୁ ଆସିଥିବା ବେଳେ ଗତ ଫେବୃଆରୀ ୧୮ରେ ଜଣେ ୫୦ ବର୍ଷର ପୁରୁଷଙ୍କ ମୃତ୍ୟୁ ପରେ ଆଜି ଚିକିତ୍ସାଧୀନ ଅବସ୍ଥାରେ ଜଣେ ୫୫ ବର୍ଷ ପୁରୁଷଙ୍କ ମୃତ୍ୟୁ ହୋଇଥିବାର ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ଜଣାପଡ଼ିଛି ଏବଂ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ମୋଟ ୯୩କୁ ବୃଦ୍ଧି ପାଇଛି ।ତେବେ ଜନସାଧାରଣଙ୍କ ଅବଗତି ନିମନ୍ତେ ଓଡ଼ିଶାର ଗଞ୍ଜାମ, ବାଲେଶ୍ୱର ଆଦି ବିଭିନ୍ନ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ଼-୧୯ ସଂକ୍ରମିତମାନଙ୍କ ସୂଚନା ସହ କୋଭିଡ଼-୧୯ ପରୀକ୍ଷା ଆଦିର ସୂଚନା ପ୍ରଦାନ କରାଯାଉଥିବା ବେଳେ ଏଦିଗରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ନୀରବତାକୁ ନେଇ ଅସନ୍ତୋଷ ଦେଖାଦେଇଛି ।