ପାରାଦ୍ୱୀପ – କେନ୍ଦ୍ର ଜାହାଜ ଚଳାଚଳ ଓ ସାର ରସାୟନ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଶ୍ରୀଯୁକ୍ତ ମନସୁଖଲାଲ୍ ମଣ୍ଡଭିଏ ଦିନିକିଆ ପାରାଦ୍ୱୀପ ବନ୍ଦର ଗସ୍ତରେ ଆସିଛନ୍ତି । ମନ୍ତ୍ରୀ ଗତକାଲି ରାତ୍ରୀରେ ଆସି ନେହେରୁବଙ୍ଗଳା ସ୍ଥିତ ବନ୍ଦର ଅତିଥି ଭବନରେ ରାତ୍ରୀଯାପନ କରିଥିଲେ । ଆଜି ସକାଳ ୮ ଟା ସମୟରେ ଶିଳ୍ପ ନିରାପତା ବାହିନୀ ଜବାନ୍ ଙ୍କ ପକ୍ଷରୁ ମନ୍ତ୍ରୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା । ପରେ ମନ୍ତ୍ରୀ ବନ୍ଦର ନିଷିଦ୍ଧାଚଂଳରେ ଥିବା ୱେଟ୍ ବେସିନ୍ ଓ ବନ୍ଦର ହାରବର୍ ପରିଦର୍ଶନ କରିବାପରେ ମାଉସି ମାଆ ଛକ ନିକଟ କଲ୍ୟାଣ ମଣ୍ଡପକୁ ଉଦଘାଟନ କରିଥିଲେ । ଏହି ଅବସରରେ ମନ୍ତ୍ରୀ କଲ୍ୟାଣ ମଣ୍ଡପ ପରିସରରେ ବୃକ୍ଷରୋପଣ କରିବା ସହ ସ୍ୱଚ୍ଛତା ହିଁ ସେବା ଏବଂ ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମରେ ଭାଗନେଇ ସାଇକେଲ ଯୋଗେ ବନ୍ଦର ପ୍ରଶାସନିକ ଭବନକୁ ଯାତ୍ରା କରିଥିଲେ । ସେଠାରେ ବନ୍ଦର ଉଚ୍ଚପଦସ୍ଥ ଅଧିକାରୀ ଓ ବନ୍ଦର ବ୍ୟବହାରକାରୀଙ୍କ ସହିତ ପୃଥକ୍ ପୃଥକ୍ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମ ଓ ପରିବେଶ ସୁରକ୍ଷା ବାସ୍ତବିକ ଏକ ବଡ ଆହ୍ୱାନ । ତେଣୁ ସାଇକେଲ ଚାଳନା ଫଳରେ ନିଜେ ଫିଟ୍ ରହିବାସହ ଇନ୍ଧନ ଓ ପ୍ରଦୁଷଣ ସମସ୍ୟା ଦୂର ହୋଇପାରିବ । ସେଥିପାଇଁ ସବୁ ସମୟରେ ସେ ନିଜେ ଓ ତାଙ୍କ ସହ ଅନ୍ୟ କିଛି ସାଂସଦ ସାଇକେଲ ଯୋଗେ ସଂସଦ ଭବନକୁ ଯାଆନ୍ତି ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ । ଏହାସହ ପାରାଦୀପ ବନ୍ଦର ଭବିଷ୍ୟତରେ ଅଧିକ ଆଗକୁ ବଢିବ ବୋଲି ମଧ୍ୟ ସେ ଆଶାବ୍ୟକ୍ତ କରିଥିଲେ । ମନ୍ତ୍ରୀ ଶ୍ରୀଯୁକ୍ତ ମଣ୍ଡଭିଏ ସମସ୍ତ କାର୍ଯ୍ୟକ୍ରମ ଶେଷକରି ଅପରାହ୍ନରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲେ ।
Related Stories
November 10, 2024
November 10, 2024
November 10, 2024