
ଗଞ୍ଜାମ, ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ବୁଢ଼ୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା ଇତିମଧ୍ୟରେ ଉଦଯାପିତ ହୋଇଯାଇଛି । ଗତକାଲି ବିଳମ୍ବିତ ରାତିରେ ମା ବୁଢ଼ୀ ଠାକୁରାଣୀ ବାପା ଘରୁ ନିଜ ମନ୍ଦିରକୁ ପ୍ରତ୍ୟାବର୍ତନ କରିଛନ୍ତି । ପ୍ରଥମେ ମାଙ୍କ ଘଟ ଅସ୍ଥାୟୀ ମନ୍ଦିରରୁ ବାହାରି ଦେଶୀ ବେହେରା ସାହି ପରିକ୍ରମା କରି ମହୁରୀ ରାଜବାଟୀକୁ ଯାଇ ରାଜାଙ୍କୁ ଦର୍ଶନ ଦେବା ସହିତ ମେଲାଣି ମାଗିବା ପରେ ଶାଶୁଘର ଅଭିମୁଖେ ଯାତ୍ରା କରିଥିଲେ । ସେଠାରୁ ରାଜାସାହି ରାସ୍ତା, ବଡ଼ ବଜାର ମୁଖ୍ୟ ରାସ୍ତା, ସାନ ବଜାର ମୁଖ୍ୟ ରାସ୍ତା, ସାଆନ୍ତାଣୀ ସାହି, ମାର୍ଥାପେଟା ସାହି, କେଉଟ ସାହି, ଶଙ୍କରପୁର ସାହି, ଜେନା ସାହି, ବାଚୁବାରି ସାହି, କେଦାରଶ୍ୱର ମନ୍ଦିର ରାସ୍ତା, ଚନ୍ଦ୍ରମା ସାହି ରାସ୍ତା, ଖାସୁଆ ସାହି, ଜଉରା ସାହି ହୋଇ ମାଉସୀଘରେ ପହଂଚି ପୋଡ଼ ପିଠା ଖାଇ ପୁଣି ଖାସୁଆ ସାହି, ପୁଡିପେଦା ସାହି, ଖଡୁରା ସାହି ହୋଇ ନିଜର ସ୍ଥାୟୀ ମନ୍ଦିରକୁ ବିଜେ କରିଥିଲେ । ମାଙ୍କ ଘଟ ସହିତ ଏହି ଯାତ୍ରାରେ ଶତାଧିକ ମାନସିକ ଘଟଧାରୀ ମହିଳା ଏବଂ ପିତା ପି. ଦୂର୍ଗାପ୍ରସାଦ ମାଆ ଦେବକୀ ଏବଂ ମୋଚି ସାହିର ବୁଢ଼ୀ ମାଙ୍କ ଭାଇ ଏସ.ପ୍ରସାଦ ମାଙ୍କୁ ନେଇ ମନ୍ଦିରରେ ଛାଡି ଆସିଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସେଠାରେ ୧୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିଲେ ।