ଗଞ୍ଜାମ, ସୁରତରୁ ଫେରୁଥିବା ବେଳେ ଟ୍ରେନ୍ ରେ ଜଣେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ତାଙ୍କ ନାମ ବିଶ୍ୱନାଥ ଜେନା ଏବଂ ଘର ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଖଣ୍ଡଦେଉଳି ଗ୍ରାମରେ । ସେ ଗତ କିଛି ଦିନ ହେଲା ସୁରତରେ ରହି ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । କରୋନା ଦ୍ୱିତୀୟ ଲହରର ଭୟବହତା ଯୋଗୁଁ ଆଗକୁ କଳକାରଖାନା ବନ୍ଦ ହୋଇଯିବା ଆଶଙ୍କା କରି ସେ ଅହମ୍ମଦାବାଦ-ପୁରୀ ଟ୍ରେନ୍ ନିଜର ଅନ୍ୟ ଦୁଇ ସାଙ୍ଗଙ୍କ ସହିତ ଫେରୁଥିଲେ । ବାଟରେ ସେ ଅସୁସ୍ଥ ହୋଇପଡିଥିଲେ । ଗତକାଲି ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତକ ବିଶ୍ୱନାଥଙ୍କ ଶବ ଆଜି ସକାଳେ ବ୍ରହ୍ମପୁର ରେଳ ଷ୍ଟେସନରେ ପହଂଚିବା ପରେ ତାଙ୍କ ବନ୍ଧୁମାନେ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ବ୍ରହ୍ମପୁର ଜିଆରପି ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଛି । ଜିଆରପି ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।