
ଟାଙ୍ଗି, ୧୬ ନମ୍ବର ଜାତୀୟ ରାଜପଥର ଖୋର୍ଦ୍ଧା ଜିଲ୍ଲା ନାଭାଲ ପୋଲିସ ଫାଣ୍ଡି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାଲୁଗାଁ ପୋଲିସ ଥାନାର ଗୃହରକ୍ଷୀଙ୍କ ମୃତ୍ୟୁ ଘଟିଛି l ଘଟଣାରୁ ପ୍ରକାଶ, ଆଜି ସକାଳ ସାଢ଼େ 9ଟା ସମୟରେ ବାଲୁଗାଁ ପୋଲିସ ଥାନାରେ କାର୍ଯ୍ୟରତ ଗୃହରକ୍ଷୀ ଜଗତ ଜୀବନ ସେଠି (୪୩) । ନିଜର ବ୍ୟକ୍ତିଗତ କାର୍ଯ୍ୟରେ ଗଞ୍ଜାମ ଯାଇଥିଲେ । ସେଠାରୁ ମୋଟର ସାଇକେଲରେ ନିଜ ଘର ଚିଲିକା ବ୍ଲକ୍ ସ୍ଥିତ ନିଜ ଗାଁ ରାହାଣବିଲିକୁ ଫେରୁଥିବା ବେଳେ ନାଭଲ ପୋଲିସ ଫାଣ୍ଡି ଠାରୁ କେଇ ମିଟର ଦୂରରେ ରାସ୍ତା କଡରେ ଠିଆ ହୋଇଥିବା ଏକ ଟ୍ରକକୁ କୌଣସି କାରଣରୁ ମୋଟର ସାଇକେଲଟି ଭାରସାମ୍ୟ ହରାଇ ଧକ୍କା ଦେଇଥିଲା l ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ତୁରନ୍ତ ବାଲୁଗାଁ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଁଚି ଗୁରୁତର ଜଗତଙ୍କୁ ସେଠାରୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ l କିନ୍ତୁ, ଡାକ୍ତରଖାନାରେ ଡାକ୍ତର ଗୃହରକ୍ଷୀ ଜଗତଜୀବନଙ୍କୁ ମୃତ ଘୋଷଣା କରିଥିଲେ । ବାଲୁଗାଁ ମେଡିକାଲରେ ନାଭାଲ ଫାଣ୍ଡି ଅଧିକାରୀ ଏବଂ ବାଲୁଗାଁ ଆଇଆଇସି ପହଁଚି ଉକ୍ତ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି l