କଟକ, କଟକ ବଡ଼ ଡ଼ାକ୍ତରଖାନାରୁ ଫେରାର୍ ଗ୍ୟାଙ୍ଗଷ୍ଟର ହାଇଦର୍ ଗିରଫ ପରେ ଆଜି ଠାରୁ ମଙ୍ଗଳାବାଗ ପୋଲିସ ତାକୁ ୭ ଦିନିଆ ରିମାଣ୍ଡରେ ନେବାର ଥିଲା । ହେଲେ ଏଥି ପୂର୍ବରୁ ଗତକାଲି ବିଳମ୍ବିତ ରାତିରେ ହାଇଦରର ଆରଟି-ପିସିଆର ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡିଛି । ହାଇଦର କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାର ରିମାଣ୍ଡକୁ ସ୍ଥଗିତ ରଖାଯାଇଛି । ତାକୁ ଚୌଦ୍ୱାର ଜେଲ୍ ର ଆଇସୋଲେସନ ୱାର୍ଡ଼ରେ ରଖାଯାଇଥିବା ନେଇ କଟକ ଡ଼ିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି । ଏଥି ସହିତ ହାଇଦର ଲିଙ୍କ୍ ରେ ଧରାପଡିଥିବା ଦୁଇ ମହିଳା, ଜଣେ ଯୁବତୀଙ୍କ ସମେତ ୮ ସହଯୋଗୀଙ୍କୁ ମଧ୍ୟ ପୋଲିସ ଗତକାଲି ଜେରା କରିଥିଲା । ତେବେ ହାଇଦର ସୁସ୍ଥ ହେବା ପରେ ପୁଣି ତାକୁ ରିମାଣ୍ଡରେ ଅଣାଯିବ ବୋଲି ସୂଚନା ମିଳିଛି । ଅନ୍ୟପକ୍ଷରେ ହାଇଦର ସଂକ୍ରମିତ ଥିବାରୁ ତା ସଂସ୍ପର୍ଶରେ ଆସିଥିବା କେତେକ ପୋଲିସ କର୍ମଚାରୀଙ୍କୁ ମଧ୍ୟ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ହାଇଦରକୁ ହାଇଦ୍ରାବାଦରୁ ଆଣିବାକୁ ପୋଲିସର ଯେଉଁ ଟିମ୍ ସେଠାକୁ ଯାଇଥିଲା । ଏବଂ ଯେଉଁ ଟିମ୍ ସେଠାରେ ଥିଲା । ସମ୍ପୃକ୍ତ ପୋଲିସ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି । ଆବଶ୍ୟକ ସ୍ଥଳେ ଅନ୍ୟ ପୋଲିସ କର୍ମଚାରୀ ଯେଉଁମାନେ ଗତକାଲି ହାଇଦରକୁ ଜେରା କରିଥିଲେ, ସେମାନଙ୍କୁ ମଧ୍ୟ ଆଇସୋଲେସନରେ ରଖାଯାଇପାରେ ବୋଲି ସୂଚନା ମିଳିଛି । ପ୍ରକାଶ ଥାଉ କି, କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସାଧିନ ଥିବା ହାଇଦର ଗତ ୧୦ ତାରିଖରେ ଅପରାହ୍ନରେ କୌଶଳ କ୍ରମେ ସେଠାରୁ ଫେରାର୍ ହୋଇଯାଇଥିଲା । କମିଶନରେଟ ପୋଲିସର ସ୍ୱତନ୍ତ୍ର ଟିମ୍ ତେଲେଙ୍ଗାନା ପୋଲିସର ସହାୟତାରେ ଗତ ୧୫ ତାରିଖରେ ତେଲେଙ୍ଗାନାର ସଙ୍ଗାରେଡ୍ଡି ଜିଲ୍ଲାରୁ ଗ୍ୟାଙ୍ଗଷ୍ଟର ହାଇଦରକୁ ଗିରଫ କରିବାରେ ସଫଳ ହୋଇଥିଲା । ୧୨୦ ଘଂଟାର ଅପରେସନ ପରେ ପୋଲିସ ତାକୁ ଗିରଫ କରିବାରେ ସଫଳ ହୋଇଥିଲା । ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଗତକାଲି ତାକୁ ହାଇଦ୍ରାବାଦରୁ ଭୁବନେଶ୍ୱର ଅଣାଯାଇଥିଲା । ପରେ ତାକୁ କଟକ ସିଟି ଜେଏମଏଫସି କୋର୍ଟରେ ହାଜର କରାଯିବା ସହ ୧୦ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ମଙ୍ଗଳବାଗ ପୋଲିସ । ତେବେ କୋର୍ଟ ୭ ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କରିଥିଲେ ।
ପ୍ରକାଶ ଥାଉ କି, ଗ୍ୟାଙ୍ଗଷ୍ଟର ହାଇଦର ଫେରାର୍ ଘଟଣାରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପୂର୍ବରୁ ୬ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ସେହିପରି ହାଇଦରର ଜଣେ ସହଯୋଗୀ ୟାକୁବକୁ ମଧ୍ୟ ପୋଲିସ ଗିରଫ କରିଛି ।