
ବାରିପଦା, ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଦେଖାଦେଇଛି । ଓଡ଼ିଶାରେ ଜଟିଳ ହେବାରେ ଲାଗିଛି ସଂକ୍ରମଣର ସ୍ଥିତାବସ୍ଥା । ଏପ୍ରିଲ ୧୬ରେ ରାଜ୍ୟରୁ ୩ ହଜାର ଏକ ଶହ ୮ କରୋନା ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ ୧୧ଟି ଜିଲ୍ଲାରେ ସଂଖ୍ୟା ଶହେ ଉପରେ ଏବଂ ଖୋର୍ଦ୍ଧାରେ ସର୍ବାଧିକ ୫୩୪ ରହିଛି । ଏହି ସମୟରେ କରୋନା ମୁକାବିଲା ନିମନ୍ତେ ରାଜ୍ୟ ସରକାର ରାତ୍ରିକାଳୀନ କର୍ଫ୍ୟୁ ଘୋଷଣା କରିଛନ୍ତି । ବାରିପଦା ପୌରପରିଷଦରେ ଏପ୍ରିଲ ୧୭ ତାରିଖ ଅର୍ଥାତ୍ ଆଜି ରାତି ୯ଟାଠାରୁ ପରବର୍ତି ଦିନ ଅର୍ଥାତ୍ ଆସନ୍ତା କାଲି ଭୋର୍ ୫ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ଜାରି କରାଯାଇଛି । ଏହି ସମୟରେ ଜନସାଧାରଣଙ୍କୁ ନିଜ ନିଜ ଘରେ ସୁରକ୍ଷିତ ରହିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ଅତି ଜରୁରୀ କାର୍ଯ୍ୟ ନ ଥିଲେ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । କର୍ଫ୍ୟୁରୁ ଜରୁରୀ ଓ ଅତ୍ୟାବଶ୍ୟକ ସେବା ସହ ମାଲ୍ ପରିବହନ ଗାଡ଼ିକୁ ବାଦ୍ ଦିଆଯାଇଛି । ରାତ୍ରିକାଳିନ କର୍ଫ୍ୟୁ ପାଳନ ସମୟରେ ଅମାନିଆମାନଙ୍କୁ ସାବାଡ଼ କରିବା ନିମନ୍ତେ ପୁଲିସ ବିଭାଗ ପକ୍ଷରୁ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି । ପୂର୍ବରୁ ଯେମିତି କଟକଣା ଜାରି କରାଯାଇଥିଲା, ଠିକ୍ ସେହିପରି କଟକଣା ଓ ଚେକିଂ ଆରମ୍ଭ କରାଯିବ ବୋଲି ବାରିପଦା ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି ପ୍ରକାଶ କରିଛନ୍ତି ।