ଭୁବନେଶ୍ୱର, କରୋନା ଟିକା ସରକାରୀ ଯୋଗାଣ ଶୃଙ୍ଖଳ ବାହାରେ, ଅର୍ଥାତ୍ ଖୋଲା ବଜାରରେ ଉପଲବ୍ଧ କରିବାକୁ ଅନୁରୋଧ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖିଛନ୍ତି । ସେ ଏହି ପତ୍ରରେ କହିଛନ୍ତି ଯେ ଏପରି ହେଲେ କ୍ରୟ କରିବାକୁ ସମର୍ଥ ଲୋକେ ନିଜେ ଟିକା କ୍ରୟ କରି ନେଇପାରିବେ । ଫଳରେ ଟିକା କିଣିବାକୁ ଅସମର୍ଥ ବର୍ଗଙ୍କ ପ୍ରତି ସରକାର ଧ୍ୟାନ ଦେଇ ପାରିବେ । ସେ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି ଯେ , ଏହି ଅଭୂତପୂର୍ବ କୋଭିଡ୍ ସଙ୍କଟ ମୁକାବିଲା ନିମନ୍ତେ କେନ୍ଦ୍ର ଓ ରାଜ୍ୟମାନେ ଏକ ଟିମ୍ ଭଳି କାମ କରିବା କଥାକୁ ମୁଁ ପୂର୍ଣ୍ଣ ସମର୍ଥନ କରୁଛି । ସ୍ୱାସ୍ଥ୍ୟକର୍ମୀ, ପ୍ରତ୍ୟକ୍ଷ ସେବା ଯୋଗାଣକାରୀ ଏବଂ ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ସମେତ ଏପର୍ଯ୍ୟନ୍ତ ଓଡ଼ିଶା ୪୭ ଲକ୍ଷ କୋଭିଡ୍ ଟିକା ଦେଇସାରିଛି । ଓଡ଼ିଶାରେ ଟିକାର ନଷ୍ଟ ହାର ମଧ୍ୟ ସମଗ୍ର ଦେଶ ତୁଳନାରେ ସର୍ବନିମ୍ନ । ଏହାଛଡ଼ା, ଦୈନିକ ୩ ଡୋଜ୍ ଟିକା ଦେବାକୁ ମଧ୍ୟ ଆମେ ସମର୍ଥ ।
ଟିକା ନେଇଥିବା ଲୋକମାନଙ୍କ ଠାରୁ ସକାରାତ୍ମକ ମତାମତ ମିଳୁଛି । କିନ୍ତୁ, ଚାହିଦା ମୁତାବକ ଟିକା ମିଳୁ ନ ଥିବାରୁ ଟିକାକରଣ ଅଗ୍ରଗତିରେ ବାଧା ଆସୁଛି । ଦୈନିକ ୩ ଲକ୍ଷ ଟିକାକରଣ ଲାଗି ଆମକୁ ୨୫ ଲକ୍ଷ ଟିକା ଯୋଗାଇ ଦେବାକୁ ଅନୁରୋଧ କରିଥିଲି । ରାଜ୍ୟର ସମସ୍ତ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କୁ ଟିକା ଦେବାକୁ ଆମକୁ ୧୬୦ ଦିନ ଲାଗିବ । କେନ୍ଦ୍ର ସରକାର ଟିକା ଯୋଗାଣ ବୃଦ୍ଧି ପାଇଁ ଯୋଜନା କରୁଥିବେ ବୋଲି ମୁଁ ସୁନିଶ୍ଚିତ ବୋଲି ସେ ପତ୍ରରେ ଉଲ୍ଲେଖ କରିଛନ୍ତି ।
ସେ ପତ୍ରରେ ଉଲ୍ଲେଖ କରିଛନ୍ତି ଯେବିଶ୍ୱର ବିଭିନ୍ନ ସରକାର ଓ ବିଶ୍ୱସନୀୟ ପ୍ରତିଷ୍ଠାନ ସବୁ ଅନୁମୋଦନ କରିଥିବା କୋଭିଡ୍ ଟିକାର ଯୋଗାଣ ମଧ୍ୟ ବୃଦ୍ଧି କରାଯାଉ । ଭାରତରେ ଟିକା ପ୍ରସ୍ତୁତି ପାଇଁ ବ୍ୟାପକ ସୁବିଧା ଥିବାରୁ ଟିକା ଉତ୍ପାଦନ ବୃଦ୍ଧି ନିମନ୍ତେ ସମ୍ପୃକ୍ତ କମ୍ପାନିଗୁଡ଼ିକୁ କେନ୍ଦ୍ର ଓ ରାଜ୍ୟ ସରକାର ସହଯୋଗ କରିବା ଉଚିତ ବୋଲି ସେ ପ୍ରସ୍ତାବ ଦେଇଛନ୍ତି ।
ସେ ଏହି ପତ୍ରରେ କୋଭିଡ୍ ସଂକ୍ରମଣ ହାର ସର୍ବାଧିକ ଥିବା ଅଳ୍ପ କେତୋଟି ମେଟ୍ରୋପଲିଟାନ୍ ସହରମାନଙ୍କରେ ବୟସ କଟକଣା ହଟାଯାଇ ଟିକାକରଣକୁ ପ୍ରାଥମିକତା ଦିଆଯିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମେଟ୍ରୋପଲିଟାନ୍ ସହର ଦେଶ ଅର୍ଥନୀତିର ପେଣ୍ଠ ହୋଇଥିବାରୁ କୌଣସି ପ୍ରକାର ଲକ୍ଡାଉନ୍ ଘୋଷଣା କରାଗଲେ ଶ୍ରମିକମାନେ ଗୃହାଭିମୁଖୀ ହେବେ ଓ ଦେଶର ବାକି ଅଂଚଳକୁ ଏହା ପ୍ରଭାବିତ କରିବବୋଲି ସେ କହିଛନ୍ତି ।