
ନୂଆପଡା- ଖଡିଆଳ ଅଂଚଳର ଜନସାଧାରଣଙ୍କ ଦାବୀ ଏବଂ ଜିଲ୍ଲା ପ୍ରଶାସନର ସହଯୋଗ କ୍ରମେ କେନ୍ଦ୍ର ସରକାର ଗତ ୨୦୧୦ ମସିହାରେ ଖଡିଆଳ ଠାରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରିଥିଲେ । ଏହି କେନ୍ଦ୍ରୀୟ ବିଦ୍ୟାଳୟକୁ ୯ ବର୍ଷ ବିତି ଯାଇଥିଲେ ମଧ୍ୟ ତାର ନିଜସ୍ୱ ବିଲଡିଂ ଗୃହ ତିଆରି ହୋଇପାରିନାହିଁ । ଗତ ୯ ବର୍ଷ ତଳେ ଖଡିଆଳ ରାଜା ଆର୍ତତ୍ରାଣ ହାଇସ୍କୁଲର ଅତିରୀକ୍ତ ଶ୍ରେଣୀ କୋଠରୀରେ ସ୍ଥାନୀତ ହୋଇ ପାଠପଢା ଯାଉଛି । କେନ୍ଦ୍ରୀୟ ବିଦ୍ୟାଳୟକୁ ଜମି ଦେବା ପାଇଁ ୨୦୧୨ ମସିହାରୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସତ୍ୱେ ଜିଲ୍ଲା ପ୍ରଶାସନର ଆନ୍ତରିକତାର ଅଭାବ କାରଣରୁ ଆଜି ପର୍ଯ୍ୟନ୍ତ ଜମି ହସ୍ତାନ୍ତର ପ୍ରସ୍ତାବ ଫାଇଲ ତଳେ ଚାପି ହୋଇ ପଡି ରହିଛି । ଜିଲ୍ଲା ପ୍ରଶାସନ ଖଡିଆଳ ବ୍ଲକର ବାଦୀ ପଂଚାୟତରେ ୧୦ ଏକର ପରିମିତ ଜମି ଦେବା ଲାଗି ପ୍ରଥମେ ଆରଡିସି ପାଖକୁ ଖଡିଆଳ ତହସିଲଦାରଙ୍କ ତରଫରୁ ପ୍ରସ୍ତାବ ପଠାଯାଇଥିଲା । ପ୍ରସ୍ଥାବିତ ଜମି ୨ ଗୋଟି ମୌଜା ଯଥା ପଦମପୁର ଓ ବାଦୀ ଗ୍ରାମର ହୋଇଥିବା ବେଳେ ଗୋଟିଏ ମୌଜାର ବୋଲି ଭୂଲ ପ୍ରସ୍ତାବ ପଠାଯାଇଥିଲା । ଏହାକୁ ଆରଡିସି ଫେରାଇ ଦେବା ପରେ ଜିଲ୍ଲା ତରଫରୁ ମଧ୍ୟ ୨ ଗୋଟି ମୌଜାର ବୋଲି ପଠାଯାଇଥିଲା । ଏହି ପ୍ରସ୍ତାବକୁ ମଧ୍ୟ ଫେରାଇ ଦିଆଯାଇଥିଲା । କାରଣ ସେହି ପ୍ରସ୍ଥାବିତ ଜମିକୁ ସହରୀ ଯୋଜନା ଲାଗି ଦିଆଯାଇଥିବା କଥା ଉଲ୍ଲେଖ କରାଯାଇଥିଲା । ଜିଲ୍ଲା ପ୍ରଶାସନ ପୁଣି ଥରେ ସେତିକି ପରିମିତ ଜମି ଅନ୍ୟ ଜାଗାରେ ଦେଇ ସହରୀ ଯୋଜନା ପାଇଁ ରଖିଥିବା ପ୍ରସ୍ଥାବିତ ଜମିକୁ ଅଣସଂରକ୍ଷିତ କରିଥିଲେ ଏବଂ ଏହି ପ୍ରସ୍ଥାବ ପୁନଶ୍ଚ ପଠାଇଥିଲେ । ଏହାପରେ ପ୍ରସôାବିତ ଜମିରୁ କିଛି ଅଂଶ ଜଙ୍ଗଳ ଯୋଗ୍ୟ ଜମି ଥିବା ଦର୍ଶାଇ ଆରଡିସି ତରଫରୁ ପ୍ରସ୍ତାବକୁ ପୁଣି ଥରେ ଫେରାଇ ଦିଆଯାଇଥିଲା । ଜିଲ୍ଲା ପ୍ରଶାସନ ତରଫରୁ ଏହି ପ୍ରସ୍ତାବର ସୁଧାର କରି ପୁଣି ଥରେ ପଠାଯାଇଥିବା ବେଳେ ତାହା ପୁଣି ଆରଡିସି ଫେରସ୍ତ କରିଛନ୍ତି । ଏପରି ଦୋଛକିରେ କେନ୍ଦ୍ରୀୟ ବିଦ୍ୟାଳୟର ଜମି ସମସ୍ୟା ପଡି ରହିଛି । ଯାହାଫଳରେ ବିଦ୍ୟାଳୟ ପ୍ରଶାସନ ସହ ଛାତ୍ରଛାତ୍ରୀ ମାନେ ଅନେକ ଅସୁବିଧା ଭୋଗ କରୁଥିବା ଅଭିଯୋଗ କରିଛନ୍ତି । ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ତୁରନ୍ତ ଦୃଷ୍ଟି ଦେଇ ଜମିର ତୁରନ୍ତ ସମାଧାନ କରିବାକୁ ସାଧାରଣରେ ଦାବୀ ହେଉଛି ।