ଭୁବନେଶ୍ୱର, ପୁରୀର ନାଗା ସାଧୁ ବାବା ବୈଷ୍ଣବ ପୁରୀଙ୍କୁ ଯେଉଁଭଳି ଭାବେ ଓଡିଶା ରାଜ୍ୟ ପୋଲିସ ପ୍ରଥମେ ବେଆଇନ ଭାବେ ଗିରଫ କରିଲେ, ପରେ ପୁରୀରୁ ଚୌଦ୍ୱାର ଜେଲରେ ରଖି ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଲେ, ଏହା ପରେ ଏବେ ମାନସିକ ସ୍ଥିତି ଖରାପ ଦେଖାଇ ତାଙ୍କୁ ପାଗଳ ସଜାଇବାର ଯେଉଁ ଚକ୍ରାନ୍ତ ଚାଲିଛି ଏହା ବିରୋଧରେ ଜାତୀୟ ମାନବ ଅଧିକାର କମିଶନଙ୍କ ପାଖରେ ଅଭିଯୋଗ କରିଛି ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା ପରିଷଦ । ମାନବ ଅଧିକାର କମିଶନ ତୁରନ୍ତ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରି ନାଗା ସାଧୁଙ୍କୁ ମୁକ୍ତ କରିବା ସହିତ ନାଗା ସାଧୁଙ୍କ ବିରୋଧରେ ହୋଇଥିବ ମାନବିକ ଅଧୀକାର ଉଲଙ୍ଘନ, ନିର୍ଯ୍ୟାତନାରେ ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛି ପରିଷଦ । ଏହି ମାମଲାରେ ଓଡିଶା ପୋଲିସ ଡିଜି, ରାଜ୍ୟ ମାନବିକ ଅଧୀକାର କମିଶନ, ପୁରୀ ଏସପି, ରାଜ୍ୟ ଗୃହ ବିଭାଗର ସଚିବଙ୍କୁ ପକ୍ଷ୍ୟ ଭୁକ୍ତ କରାଯାଇଛି ।
ପରିଷଦ ପକ୍ଷରୁ ଅଭିଯୋଗରେ ଦର୍ଶାଯାଇଛି ଯେ ସେ ନାଗା ସାଧୁ ବାବା ବୈଷ୍ଣବ ପୁରୀ ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କର ହିନ୍ଦୁ ବିରୋଧୀ ନିଷ୍ପତିକୁ ବିରୋଧ କରୁଥିଲେ । ଯେତେବେଳେ ରାଜ୍ୟ ସରକାର ଶ୍ରୀମନ୍ଦିର ସୌନ୍ଦର୍ଯୀକରଣ ନାଁରେ ପୁରାତନ ଐତିହ୍ୟ ମଠ ଭାଙ୍ଗିଲେ ସେତେବେଳେ ସେହି ନାଗା ସାଧୁ ଜଣଙ୍କ ରାଜରାସ୍ତାରେ ଆନ୍ଦୋଳନ କରିଥିଲେ । ଯେତେବେଳେ ଓଡିଶା ସରକାର କରୋନା ପାଇଁ ରଥଯାତ୍ରା ବନ୍ଦ କରିବା ପାଇଁ ଚାହୁଁଥିଲେ ସେତେବେଳେ ଏହି ନାଗା ସାଧୁ ଜଣଙ୍କ ସରକାରଙ୍କୁ କଡା ଭାଷାରେ ସମାଲୋଚନା କରିଥିଲେ । ଏହି କାରଣରୁ ରାଜ୍ୟ ସରକାର, ଓଡିଶା ପୋଲିସ, ପୁରୀ ଜିଲ୍ଲା ପ୍ରଶାସନ ସେହି ନାଗା ସାଧୁଙ୍କୁ ବିଭିନ୍ନ ସମୟରେ ହଇରାଣ ହରକତ କରୁଥିଲେ । ଏପରିକି ପୁରୀ ସହର ଛାଡି ଚାଲିଯିବା ପାଇଁ ଓଡିଶା ପୋଲିସ ତାଙ୍କୁ ଧମକ ଦେଇଥିଲା । କିନ୍ତୁ ସ୍ଥାନୀୟ ଜନସାଧାରଣ, ଜଗନ୍ନାଥ ଭକ୍ତମାନଙ୍କର ସମର୍ଥନ ଥିଲା ସେହି ନାଗା ସାଧୁଙ୍କ ପ୍ରତି । ମାର୍ଚ୍ଚ ୧୪, ୨୦୨୧ ଦିନ ଶ୍ରୀମନ୍ଦିର ଭିତରେ ସାମାନ୍ୟ କୋଭିଡ ଗାଇଡ ଲାଇନ ଉଲଙ୍ଘନ ପାଇଁ ଶ୍ରୀମନ୍ଦିର ପୋଲିସ ସେହି ନାଗାସାଧୁଙ୍କ ଉପରେ ଆକ୍ରମଣ କରିଲା । ସେ ବିଷୟରେ ବିଭିନ୍ନ ଗଣମାଧ୍ୟମରେ ଖବର ମଧ୍ୟ ପ୍ରକାଶ ପାଇଥିଲା । ହେଲେ ଓଲଟି ପୋଲିସ ସେଦିନ ସେହି ନାଗା ସାଧୁଙ୍କୁ ବିଭିନ୍ନ ଦଫା ଲଗାଇ ଗିରଫ କରିଲା ।
ସାମାନ୍ୟ କୋଭିଡ ନିୟମ ଉଲଙ୍ଘନ ପାଇଁ ତାଙ୍କୁ ଗିରଫ କରି ତାଙ୍କୁ ପୋଲିସ ପୁରୀ ଜେଲରେ ୨୦ ଦିନ ରଖିିଲା । ଏହା ପରେ ତାଙ୍କର ଚିକିସ୍ତ୍ରା ହେବ ବୋଲି କହି ମିଛରେ ଡାକ୍ତରଖାନା ନେବ ବୋଲି କହି ତାଙ୍କୁ କଟକ ଚୌଦ୍ୱାର ଜେଲ ଅଣାଗଲା । ସେଠାରୁ ଏବେ ତାଙ୍କୁ କଟକ ମେଡିକାଲରେ ମାନସିକ ରୋଗୀ ଓାର୍ଡରେ ଚିକିସ୍ତ୍ରା କରାଯାଉଛି । ନାଗା ସାଧୁଙ୍କର ମାନସିକ ଅବସ୍ଥା ସମ୍ପୃର୍ଣ୍ଣ ଠିକ ଅଛି । ହେଲେ ପୋଲିସ ତାଙ୍କୁ ମାନସିକ ରୋଗୀ ଭଳି ବ୍ୟବହାର କରୁଛି ।