ରାଉରକେଲା, ସୁନ୍ଦରଗଡ଼ ଜିଲ୍ଲାରେ ବିଗତ କିଛି ଦିନ ହେଲା ପ୍ରଶାସନିକ ବାବୁ ବାବୁଆଣି ମାନଙ୍କୁ ନାଲି ବତୀ ମୋହ ସାଙ୍ଗକୁ ଆଜିକାଲି ଠିକାଦାର ମାନଙ୍କ ଗାଡି ଚଢିବାର ମୋହ ଛାଡିପାରିନଥିବା ଦେଖାଯାଇଛି । ତେବେ ଏନେଇ ମାନ୍ୟବର କୋର୍ଟଙ୍କ ରାୟ ଯାହା ଥାଉ କିମ୍ବା ମୁଖ୍ୟମନ୍ତ୍ରୀ ମୁଖ୍ୟ ଶାସନ ସଚିବଙ୍କ ଆଦେଶ ଥିଲେ ମଧ୍ୟ କାହାକୁ କିଛି ଫରକ ପଡୁନଥିବା ଦେଖାଯାଉଛି । କୁହାଯାଏ କୁଆଡେ ସୁନ୍ଦରଗଡ ଜିଲ୍ଲା କୋଷ୍ଟାଲ ଅଂଚଳ ଠାରୁ ଭାରି ଭଲ, ଏଠାକାର ନେତା ଓ ଜନତା ଭାରି ଭଲ, ଯାହା କିଛି କଲେ ମଧ୍ୟ ସବୁ କିଛି ଏଠି ଚଳିଯାଏ, ସେଥିଲାଗି ନିକଟରେ ଜଣେ ନୂତନ ଆଇଏଏସ ବାବୁ କୋଟି କୋଟି ଟଙ୍କାର ସରକାରୀ ଜମିକୁ ଅନ୍ୟ ନାମରେ କରିଦେଇ ପଳାଇଲେ । ପୂର୍ବତନ ଜଣେ ଆଇଏଏସ ୭୦ ଲକ୍ଷ ଟଙ୍କା ନିଜ ବାସଭବନ ସାଜସଜାରେ ଖର୍ଚ୍ଚ କଲେ, ଆଉ ଜଣେ ବାବୁ ସକାଳୁ ସଂଧ୍ୟା ଖାଲି ଚିଲମରେ ବ୍ୟସ୍ତ ରହି ଶେଷରେ ଏଠାରୁ ଗଲେ, କିନ୍ତୁ ସବୁ ଚଳିଗଲା, ସେଥିଲାଗି ବୋଧେ ଏଭଳି କାରବାର ଚାଲିଥିବା ନେଇ ସାଧାରଣରେ ଆଲୋଚନା ଚାଲିଛି । ସୁନ୍ଦରଗଡ ଜିଲ୍ଲାପାଳ ଚଢୁଥିବା ଗାଡି ନଂ ଓଡି୧୬ଇ – ୦୦୦୫ ସୁନ୍ଦରଗଡ ଜିଲ୍ଲାପାଳ କିମ୍ବା ପ୍ରଶାସନ ସହ କୌଣସି ସମ୍ପର୍କ ନାହିଁ । କିନ୍ତୁ ଗାଡି ଆଗରେ ଲେଖାଯାଇଛି ଜିଲ୍ଲାପାଳ ସୁନ୍ଦରଗଡ଼ । ଏହି ଗାଡିଟି ଜଣେ କେରଳି ଠିକାଦାର ବାବୁଙ୍କ ପତ୍ନୀଙ୍କ ନାମରେ ରହିଛି । ସମ୍ପୃକ୍ତ ଠିକାଦାର ବାବୁଙ୍କ ସହିତ ଏଠାକାର ଖଣି ମାଲିକ ଓ ପ୍ରଶାସନିକ ବାବୁ ବାବୁଆଣି ମାନଙ୍କର ଭଲ ସମ୍ପର୍କ ରହିଥିବା ନେଇ ଅତିତର ଅନେକ କଥା ପ୍ରମାଣ ଦିଏ । ତେବେ ପୂର୍ବତନ ଜଣେ ଜିଲ୍ଲାପାଳଙ୍କ ସମୟରେ ଏଭଳି କିଛି କାରନାମା ଲାଗି କିଛି ଦିନ ହେଲା ସେହି କେରଳି ଠିକାଦାର ବାବୁ ଫେରାର ହୋଇଯାଇଥିଲେ । ତେବେ ବର୍ତମାନର ଜିଲ୍ଲାପାଳଙ୍କ ସମୟରେ ଠିକାଦାର ବାବୁଙ୍କର ପୁଣି ଆର୍ବିଭାବ ହେବା ସହ ପୁଣି ପୁରୁଣା କାରବାର ଆରମ୍ଭ ହୋଇଥିବା କୁହାଯାଉଛି । ଯଦି ସରକାର ଜଣେ ଜିଲ୍ଲାପାଳଙ୍କୁ ଗାଡିଟିଏ ଦେବେନି, ସେ ଠିକାଦାରଙ୍କ ଗାଡି ଧରି ବୁଲିବେ ତେବେ ସେ କାହାର କାମ କରିବେ ତାହା ବର୍ତମାନ ବଡ ପ୍ରଶ୍ନବାଚୀ ହୋଇଛି । ସେହିଭଳି କଥାରେ ଅଛି ଘରର ମୁରବୀ ଯଦି ଭୁଲ ରାସ୍ତାରେ ଥାଏ ତେବେ ଅନ୍ୟମାନେ ମଧ୍ୟ ନିଜ ନିଜ ରାସ୍ତାରେ ରହିବେ ଓ ଭୁଲ୍ କରିବେ । ଯେଉଁଠି ଜିଲ୍ଲାପାଳ ଏଭଳି କାରବାରରେ ସମ୍ପୃକ୍ତ ନେଇ ଅଭିଯୋଗ ଉଠୁଛି, ସେଠି ରାଉରକେଲାର କିଛି ବାବୁ ମଧ୍ୟ ନିଜ ରାସ୍ତାରେ ଥିବା ଦେଖା ଯାଇଛି । ମାନ୍ୟବର କୋର୍ଟଙ୍କ ଆଦେଶ ପରେ ରାଜ୍ୟରେ କେଉଁ ମାନେ ନାଲିବତୀ, ହଳଦିଆ ବତୀ ବ୍ୟବହାର କରିବେ ତାହାର ବିସ୍ତୃତ ତାଲିକା ପ୍ରକାଶ ପାଇଲା, ସେହି ଘଟଣା ପରେ ରାଉରକେଲାର ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ ତାଙ୍କ ଗାଡିରୁ ଏଭଳି ଏକ ବତୀ ବାହାର ନକରିବାରୁ ଓକିଲଭାଇ ମାନେ ଯାଇ ସେଠାରେ ଶଙ୍ଖ ହୁଳହୁଳି ପକାଇ ସେହି ଗାଡିରୁ ନାଲି ବତୀ ବାହାର କରାଇଥିଲେ । ଏପରିକି ଜିଲ୍ଲାପାଳ ମଧ୍ୟ କୌଣସି ବତୀ ବ୍ୟବହାର କରୁନାହାନ୍ତି, ମୁଖ୍ୟଶାସନ ସଚିବଙ୍କ ଠାରୁ ବହୁ ପଦସ୍ତ ଅଫିସର ଏହାକୁ ଛାଡି ରହିଛନ୍ତି । ହେଲେ ହଠାତ ରାଉରକେଲାରେ ମହାନଗର ନିଗମ କମିଶନର, ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ପାନପୋଷଙ୍କ ଗାଡିରେ ହଳଦିଆ ବତୀ ମାନ ଲାଗିଥିବା ଦେଖାଯାଇଛି । ଏହାକୁ ଦେଖି ଆଉ କେତେଜଣ ଅଫିସର ମଧ୍ୟ ଏଭଳି ବତୀ ଲଗାଇବାକୁ ବ୍ୟବସ୍ଥା ଚଳାଇଥିବା ଖବର ମିଳିଛି । ତେବେ ହଳଦିଆ ବତୀ ପୁଲିସ ଲାଗି ଉଦ୍ଦିଷ୍ଟ । ଏହାକୁ ଏସପି, ଥାନା ବାଲା ବ୍ୟବହାର କରିବେ କିନ୍ତୁ ଏମାନଙ୍କ ଗାଡିରେ କଣ ଦରକାର ପଡିଲା ବୋଲି ଆଲୋଚନା ଚାଲିଛି । ଏହାକୁ ନେଇ ଏବେ ଲୋକେ ନାନା କଥା ଆଲୋଚନା କରୁଥିବା ବେଳେ ଆଜିକାଲି ଏଭଳି ବତୀର ମୋହ ବାବୁ ମାନେ ଛାଡି ପାରୁ ନାହାନ୍ତି, ବତୀ ନଥିଲେ ବାବୁ ଆସିଲେ ବୋଲି ଲୋକେ ରାସ୍ତା ଛାଡିବେ ଓ ଖାତିର ବାତିର ମଧ୍ୟ କିଛି ଅଲଗା ମିଳିବ ତେଣୁ ଏସବୁ ଚାଲିଥିବା କୁହାଯାଉଛି ।
ଅନ୍ୟପକ୍ଷରେ କୋଭିଡ୍ ସମୟରେ ଆଇନ ଶୃଙ୍ଖଳା ସମୟରେ ମାଜିଷ୍ଟେଟ ଡ୍ୟୁଟି ପଡୁଥିବାରୁ ଏହି ବତୀର ଆବଶ୍ୟକତା ରହିଛି ବୋଲି ଏହା ଲଗାଯାଇଥିବା କେତେକ ପ୍ରଶାସନିକ ବାବୁଙ୍କ ପାଖରେ ଥିବା କର୍ମଚାରୀ ମତ ଦେଇଛନ୍ତି । ତେବେ ରାଜ୍ୟର ଅନ୍ୟ ଜିଲ୍ଲାର ଅଧିକାରୀ ମାନଙ୍କର ଯଦି ଏଭଳି ବତୀର ଆବଶ୍ୟକତା ପଡୁନି ତେବେ ରାଉରକେଲାରେ କାହିଁକି ଏହି ଅଧିକାରୀ ମାନଙ୍କର ଦରକାର ପଡିଲା ତାହା ଆଲୋଚନା ଚାଲିଛି । ତେବେ ଇତିମଧ୍ୟରେ ରାଜ୍ୟର ମୁଖିଆ ମାନେ ରାଉରକେଲା ଗସ୍ତ କରିଛନ୍ତି ସେମାନଙ୍କର ମଧ୍ୟ ଏହା ଉପରେ ନଜର ପଡିଥିବ, ହେଲେ ସେମାନେ ମଧ୍ୟ ଏନେଇ ନୀରବ ।
ଯଦି ମାନ୍ୟବର କୋର୍ଟଙ୍କ ଆଦେଶ ସତ୍ୱେ ରାଉରକେଲା ପ୍ରଶାସନିକ ଅଧିକାରୀ ମାନଙ୍କ ଲାଗି କିଛି ନୂଆ ନିୟମ ସରକାର କରିଛନ୍ତି ତାହା ସର୍ବ ସାଧାରଣରେ ପ୍ରକାଶ କରିବାକୁ ନିବେଦନ କରାଯାଉଛି । ସେହିଭଳି ରାଉରକେଲା ଏଡିଏମଙ୍କ ଗାଡି ଓ କମିଶନରଙ୍କ ଗାଡି ଭଡ଼ାରେ ବ୍ୟବହାର ହେଉଛି । ଏସବୁ ଗାଡିର ପଞ୍ଜିକରଣରେ ଏଭଳି ବତୀ ଲାଗିବା ନେଇ କିଛି ଉଲ୍ଲେଖ ନାହିଁ, ଜଣେ ଆରଟିଓ ବିଭାଗର ଅବସରପ୍ରାପ୍ତ ଅଧିକାରୀଙ୍କ ମତରେ ଏହା ବେଆଇନ, ତେଣୁ ଏହାକୁ ପୁଲିସ କିମ୍ବା ଆରଟିଓ ଜବତ କରିପାରିବେ । ଯଦି ଲୋକେ କିଛି ଭୁଲ୍ କଲେ ସେମାନଙ୍କ ଗାଡି ଜବତ ସହ ଲମ୍ବା ଫାଇନ ଲାଗୁଛି, ତେବେ ବାବୁ ମାନଙ୍କୁ ଏସବୁ ଗାଡି କାହିଁକି ଦେଖାଯାଉନି ବୋଲି ପ୍ରଶ୍ନ ହେଉଛି । ସବୁ ବେଳେ ଶୃଙ୍ଖଳିତ ଶାସନ ବ୍ୟବସ୍ଥାରେ ପ୍ରଥମେ ସାସନାରେ ଥିବା ଲୋକେ ଆଗ ଶୃଙ୍ଖଳିତ ହେବା ଆବଶ୍ୟକ ନଚେତ ଲୋକେ ଆଙ୍ଗୁଳି ଉଠାଇବେ ଓ ଏହାଦ୍ୱାରା ରାଜ୍ୟ ମୁଖିଆଙ୍କ ଛବି ଖରାପ ହେବ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।