
ବାଲେଶ୍ୱର, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଚକହରି ଗ୍ରାମର ସୁବର୍ଣ୍ଣରେଖା ନଦୀ ପଠା ଝାଉଁ ବଣରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ହେଲେ ଶିଖରପୁର ପଚାଂୟତ ଚକହରି ଗ୍ରାମର ପୂର୍ଣ୍ଣଚନ୍ଦ୍ର ଦାସଙ୍କ ପତ୍ନୀ କାବେରୀ ଦାସ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ପୂର୍ଣ୍ଣଚନ୍ଦ୍ରଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ ରହିଥିବା ବେଳେ ଅନ୍ୟ ଜଣେ ମହିଳାଙ୍କ ସହିତ ତାଙ୍କର ଅବୈଧ ସମ୍ପର୍କ ରହିଥିଲା । ଏହାକୁ ନେଇ ଅନେକ ସମୟରେ ପରିବାରରେ ଅସନ୍ତୋଷ ଲାଗି ରହୁଥିଲା । ତେବେ ଆଜି ସକାଳେ ଗ୍ରାମବାସୀ ମାନେ ନଦୀପଠା ଝାଉଁ ଜଙ୍ଗଲରେ ଜଣେ ମହିଳାଙ୍କ ଅଧା ପୋଡ଼ା ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ପରେ ତାହା କାବେରୀଙ୍କର ଶବ ଥିବା ଜଣାପଡିଥିଲା । ଖବର ପାଇ ଜଳେଶ୍ୱର ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରିବା ସହ ଏହାକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି । ଅନ୍ୟପକ୍ଷରେ ତାଙ୍କ ସ୍ୱାମୀହିଁ ତାଙ୍କୁ ହତ୍ୟା କରିଥିବା କାବେରୀଙ୍କ ବାପାଘର ପକ୍ଷରୁ ଅଭିଯୋଗ ହୋଇଛି ।