
ବାଲେଶ୍ୱର/ଭୁବନେଶ୍ୱର, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫- ଟି ଶାସନ ସଚିବ ଭି.କେ.ପାଣ୍ଡିଆନ, ପୂର୍ତ ଶାସନ ସଚିବ ଡ. କ୍ରିଷନ କୁମାରଙ୍କ ସହ ମଙ୍ଗଳବାର ଦିନ ବାଲେଶ୍ୱର ଗସ୍ତ କରି ସହରର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ପରିଦର୍ଶନ ଓ ସମୀକ୍ଷା କରିଥିଲେ । ଏହି ଗସ୍ତ ସମୟରେ ମୁଖ୍ୟ ଶାସନ ସଚିବ ମଧ୍ୟ ବାଲେଶ୍ୱର ଜିଲ୍ଲାରେ କୋଭିଡ୍ ସ୍ଥିତି ଏବଂ ଏହାର ପରିଚାଳନା ନିମନ୍ତେ ହୋଇଥିବା ପ୍ରସ୍ତୁତିର ସମୀକ୍ଷା କରିଥିଲେ । ଏହି ସର୍ବୋଚ୍ଚ ପ୍ରଶାସନିକ ଟିମ୍ ବାଲେଶ୍ୱରରେ ପହଂଚିବା ପରେ ପରେ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତୀ ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ଗହଣରେ କୁରୁଡା ଜଙ୍କସନ୍, କୁରୁଡାରୁ ତାମୁଳିଆ ପର୍ଯ୍ୟନ୍ତ ରାସ୍ତା, ତାମୁଳିଆରୁ ଷ୍ଟେସନ ଛକ ପର୍ଯ୍ୟନ୍ତ ରାସ୍ତା, ବାଲେଶ୍ୱର ବସ୍ଷ୍ଟାଣ୍ଡ, ସହଦେବ ଖୁଂଟାରୁ ରେମୁଣା ଗୋଲେଇ ପର୍ଯ୍ୟନ୍ତ ରାସ୍ତା, ଫକୀରମୋହନ ମେଡିକାଲ କଲେଜର ନିର୍ମାଣାଧୀନ ୬୫୦ ଶଯ୍ୟା ବିଶିଷ୍ଟ ଶିକ୍ଷାଦାନ ହସପିଟାଲ, ହରିପୁରରୁ ଦହପଡା ପର୍ଯ୍ୟନ୍ତ ବଳଙ୍ଗ ନଦୀତଟ ଓ ପାର୍କ ପାଇଁ ପ୍ରସ୍ତାବିତ ପ୍ରକଳ୍ପ ସମ୍ବନ୍ଧରେ ଆଲୋଚନା କରିଥିଲେ । ସେଠାରୁ ଫେରି ଲେବଲ କ୍ରସିଂ ୭୯ ଉପରେ ନିର୍ମାଣାଧୀନ ଓଭର ବ୍ରିଜ ଆଦି ସ୍ଥାନ ପରିଦର୍ଶନ କରିଥିଲେ । ପରେ ପରେ ମୁଖ୍ୟ ଶାସନ ସଚିବ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ସେଠାରେ କୋଭିଡ୍ ପରିଚାଳନାର ସମୀକ୍ଷା କରିଥିଲେ । ବାଲେଶ୍ୱର ଜିଲ୍ଲା ସ୍କୁଲ ଗସ୍ତ କରି ସାଇନସ ଲାବୋରଟୋରୀ ଏବଂ ବିଦ୍ୟାଳୟର ଶୈକ୍ଷିକ ପରିବେଶର ସମୀକ୍ଷା କରିଥିଲେ । ମୋ ସ୍କୁଲ ଅଭିଯାନରେ ସାମିଲ ହୋଇଥିବା ପୂର୍ବତନ ଛାତ୍ରମାନଙ୍କ ସହ ଆଲୋଚନା କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଶ୍ରୀ ମହାପାତ୍ର ବାଲେଶ୍ୱର ଜିଲ୍ଲା ସ୍କୁଲର ୧୯୫୨ ମସିହାରେ ଥିବା ଛାତ୍ର ତଥା ପୂର୍ବତନ ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ ପ୍ରବନ୍ଧକ ଶ୍ରୀ ତୁଳସୀ ରଞ୍ଜନ ମିଶ୍ରଙ୍କୁ ସାଧୁବାଦ ଜଣାଇଥିଲେ । ସୂଚନାଯୋଗ୍ୟ, ଶ୍ରୀ ମିଶ୍ର ମୋସ୍କୁଲ ଅଭିଯାନରେ ସାମିଲ ହୋଇ ବାଲେଶ୍ୱର ସହର ସ୍ଥିତ ୪ଟି ସ୍କୁଲକୁ ୮ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।ଗସ୍ତ ଓ ସମୀକ୍ଷା ପରେ ପରେ ସାମ୍ବାଦିକମାନଙ୍କର ପ୍ରଶ୍ନର ଉତର ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ ଯେ ବାଲେଶ୍ୱର ସହରର ଭିତିଭୂମି ଓ ସେବା ଯୋଗାଣ ବ୍ୟବସ୍ଥା ଆଦିର ପୂର୍ଣ୍ଣାଙ୍ଗ ବିକାଶ ନିମନ୍ତେ ରହିଥିବା ବିଭିନ୍ନ ଆବଶ୍ୟକତାର ଅନୁଧ୍ୟାନ ପାଇଁ ଆଜି ଏହି ଟିମ୍ ବାଲେଶ୍ୱର ଗସ୍ତ କରିଥିଲେ । ଏହି ଟିମ୍ ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀଙ୍କୁ ବାସ୍ତବ ସ୍ଥିତି ଓ ଆବଶ୍ୟକତା ବିଷୟରେ ପୂର୍ଣ୍ଣ ବିବରଣୀ ଦେବେ ।
ଏହି ଗସ୍ତ, ପରିଦର୍ଶନ ଓ ସମୀକ୍ଷା ସମୟରେ ଅତିରିକ୍ତ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ପୂର୍ବାଂଚଳ ଆରକ୍ଷୀ ମହାନିରୀକ୍ଷକ ଦୀପ୍ତେଶ ପଟ୍ଟନାୟକ, ବାଲେଶ୍ୱର ଏସ.ପି. ସୁଧାଂଶୁ ଶେଖର ମିଶ୍ର, ସିଡିଏମଓ ଡା.ଦୁଲାଳସେନ ଜଗଦ୍ଦେବ, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ନୀଲୁ ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗର
ଜିଲ୍ଲାସ୍ତରୀୟ ଅଧିକାରୀ ଓ ଯନ୍ତ୍ରୀମାନେ ଯୋଗ ଦେଇଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO