ଜଟଣୀ – ଜଟଣୀ ଥାନା ଅଂଚଳରେ ବୁଧବାର ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି । ଏକ ମାସର ନବଜାତ ଶିଶୁ ପୁତ୍ରକୁ ପାଇବାକୁ ନେଇ ଦୁଇ ମାଙ୍କ ମଧ୍ୟରେ କଳହ ସୃଷ୍ଟି ହେବା ସହିତ ଘଟଣା ଥାନା ପର୍ଯ୍ୟନ୍ତ ଯାଇ ଶେଷରେ ଉକ୍ତ ଶିଶୁ ପୁତ୍ରକୁ ବୁଧବାର ଅପରାହ୍ନରେ ଖୋର୍ଦ୍ଧା ସିଡବ୍ଲୁସି ଉଦ୍ଧାର କରିଛି । ତେବେ ଉକ୍ତ ଶିଶୁ ପୁତ୍ରର ପ୍ରକୃତ ଜନ୍ମିତ ମା କିଏ ଏବଂ କାହିଁକି ବାଦ ବିବାଦ ସୃଷ୍ଟି ହେଲା ସେ ନେଇ ତଦନ୍ତ କରିବ ଜିଲା ଶିଶୁ ସୁରକ୍ଷା ବିଭାଗ ବୋଲି ଜିଲାପାଳ ସୂଚନା ଦେଇଛନ୍ତି ।
ବିଶେଷ ସୂତ୍ରରୁୁ ମିଳିଥିବା ସୂଚନାନୁସାରେ,ଗତ ମାସ ୧୪ ତାରିଖରେ ଏକ ନବଜାତ ଶିଶୁ ପୁତ୍ରକୁ ଜନ୍ମିତ ମା ଏବଂ ଅନ୍ୟ ଜଣେ ମହିଳା ମିଶି ଦୁହେଁ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଥିବା ଏକ ଗଛ ତଳେ ପକାଇବାକୁ ଯାଇଥିଲେ । ସେଠାରେ ଉପସ୍ଥିତ ଥିବା ମହିଳା ଜଣକ ଶିଶୁ ପୁତ୍ରକୁ ଫୋପାଡିବାକୁ ବାରଣ କରିଥିଲେ । ସାଥିରେ ଥିବା ମହିଳାଙ୍କ ଜଣେ ସଂପର୍କିୟ ଦମ୍ପତି ନିସନ୍ତାନ ଥିବାରୁ ଏହି ଶିଶୁ ପୁତ୍ରକୁ ତାଙ୍କୁ ଦେବା ପାଇଁ କହିଥିଲେ । ଜନ୍ମିତ ମା ଉକ୍ତ ଶିଶୁ ପୁତ୍ରକୁ ଘଟଣାସ୍ଥଳରେ ମହିଳାଙ୍କୁ ଦେଇ ସେଠାରୁ ଚମ୍ପଟ ମାରିଥିଲା । କିନ୍ତୁ କିଛି ଦିନର ବ୍ୟବଧାନ ପରେ ଉକ୍ତ ଶିଶୁ ପୁତ୍ରର ଜନ୍ମିତ ମା ଦେଇଥିବା ମହିଳାଙ୍କୁ ସାଂଗରେ ଧରି ତରାବୋଇ ସ୍ଥିତ ପାଳିତା ମା ନିକଟରେ ଶିଶୁ ପୁତ୍ରକୁ ନେବା ଲାଗି ଅଳି କରିଥିଲା । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥିଲା । ଶେଷରେ ଉଭୟେ ଜଟଣୀ ଥାନାକୁ ଆସିଥିଲେ । ଥାନାଧିକାରୀ ଖୋର୍ଦ୍ଧା ସିଡବ୍ଲୁ୍ୟସିକୁ ଜଣାଇଥିଲେ । ସିଡବ୍ଲୁ୍ୟସିର ମଣିଲାଲ ସାହୁ ଓ ଇତିଶ୍ରୀ ମହାରଣା ଜଟଣୀ ଥାନାରେ ପହଂଚି ଶିଶୁ ପୁତ୍ରକୁ ଉଦ୍ଧାର କରି ସିଡବ୍ଲୁ୍ୟସିକୁ ଆଣିଥିଲେ । ତେବେ ଏ ନେଇ ଖୋର୍ଦ୍ଧା ଜିଲାପାଳ ସିଡବ୍ଲୁ୍ୟସିକୁ ତଦନ୍ତ ପାଇଁ ନିଦେ୍ର୍ଧଶ ଦେଇଛନ୍ତି । ଅନ୍ୟପକ୍ଷରେ ଶିଶୁ ପୁତ୍ରର ଜନ୍ମିତ ମା ଅବିବାହିତରେ ମାତୃତ୍ୱ ଲାଭ କରିଥିବା ଆଲୋଚନା ହେଉଥିବା ବେଳେ ତଦନ୍ତ ପରେ ପ୍ରକୃତ ସତ୍ୟାସତ୍ୟ ଜଣାପଡିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି । ଏବେ ଶିଶୁ ପୁତ୍ରଟି ଖୋର୍ଦ୍ଧା ସିଡବ୍ଲୁ୍ୟସିରେ ଥିବା ଜଣାପଡିଛି ।