
ଗଞ୍ଜାମ,ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ଆରାଧ୍ୟ ଦେବୀ ମା ବୁଢ଼ୀ ଠାକୁରାଣୀଙ୍କ ସାତ ଦିନିଆ ଯାତ୍ରା ଗତକାଲି ଠାରୁ ଆରମ୍ଭ ହୋଇଛି । ଗତକାଲି ରାତି ୧ଟା ବେଳେ ସ୍ଥାୟୀ ମନ୍ଦିରରୁ ନିମନ୍ତ୍ରିତ ହୋଇ ପିତାଙ୍କ ଘରକୁ ଆସିଛନ୍ତି ମା ବୁଢ଼ୀ ଠାକୁରାଣୀ । ଠାକୁରାଣୀଙ୍କ ତଥାକଥିତ ପିତା ଦେଶୀ ବେହେରା (ପି. ଦୂର୍ଗାପ୍ରସାଦ) ଏବଂ ତାଙ୍କ ପତ୍ନୀ ମା ଦେବକୀ ଏକ ପଟୁଆରରେ ମାଙ୍କ ସ୍ଥାୟୀ ମନ୍ଦିରକୁ ଯାଇ ରାତି ସାଢ଼େ ୧୧ଟା ସମୟରେ ନିମନ୍ତ୍ରଣ କରିଥିଲେ । ଠାକୁରାଣୀଙ୍କ ମଥାରୁ ଇଟମଳା ମାଳ ଖସିବା ପରେ ମାତା ଦେବକୀ ଫୁଲ ଚାଙ୍ଗୁଡ଼ାରେ ଠାକୁରାଣୀଙ୍କ ଆଜ୍ଞାମାଳକୁ ତାଙ୍କ ଘରକୁ ଆଣି ନିକଟସ୍ଥ ଅସ୍ଥାୟୀ ମଣ୍ଡପରେ ଅବସ୍ଥାପିତ କରିଛନ୍ତି । ଏହି ଆଜ୍ଞାମାଳ ମାଟି ଘଟରେ ସ୍ଥାପନ କରାଯିବା ପରେ ଯାତ୍ରା ଆରମ୍ଭ ହୋଇଛି ।

ମା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା କଟକଣା ଲାଗି ମାତ୍ର ସପ୍ତାହ ପାଇଁ ଆୟୋଜନ ନେଇ ନିର୍ଦ୍ଦେଶ ରହିଛି । ପରସ୍ଥିତିକୁ ଦୃଷ୍ଟିରେ ଆବଶ୍ୟକ ପଡିଲେ ଏହି ଅବଧିକୁ ବୃଦ୍ଧି କରାଯାଇପାରେ ବୋଲି ପ୍ରଶାସନ ପକ୍ଷର ସୂଚନା ମିଳିଛି । ଶ୍ରଦ୍ଧାଳୁ ମାନେ ସମ ଦୂରତା ଓ କୋଭିଡ଼୍ ନିୟମ ମାନି ଧାଡ଼ିରେ ଯାଇ କେବଳ ଠାକୁରାଣୀଙ୍କ ଦର୍ଶନ କରିପାରିବେ । ଶ୍ରଦ୍ଧାଳୁ ମାନେ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା କିମ୍ବା ଭୋଗ ଲାଗି କରିପାରିବେ ନାହିଁ ।ସକାଳ ୫ଟା ଠାରୁ ପୂର୍ବାହ୍ନ ୧୦ଟା ଯାଏଁ ଏବଂ ଅପରାହ୍ନ ୪ଟା ଠାରୁ ରାତି ୯ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ମାନେ ବ୍ୟାରିକେଡରେ ଯାଇ ମାଙ୍କ ଦର୍ଶନ କରିପାରିବେ । ତେବେ ଦେବୀଙ୍କୁ ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରିପାରିବେ ନାହିଁ ବୋଲି ବ୍ରହ୍ମପୁର ମହାନଗର ନିଗମ (ବିଏମସି) ପକ୍ଷରୁ ସୂଚନା ଦିଆଯାଇଛି ।ପ୍ରକାଶ ଥାଉ କି, ଯାତ୍ରାରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଜନଗହଳିକୁ ଏଡାଇବା ପାଇଁ ଠାକୁରାଣୀଙ୍କ ସ୍ଥାୟୀ ମନ୍ଦିର ଠାରୁ ଅସ୍ଥାୟୀ ମଣ୍ଡପ ଦେଶୀ ବେହେରାଙ୍କ ଘର ପର୍ଯ୍ୟନ୍ତ ୧୪୪ ଧାରା ବଳବତର ରହିଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO