
କନ୍ଧମାଳ – ଗତ ରବିବାର ଦିନ ଭୋଜି କରିବାକୁ ଯାଇ ଜଣେ ଯୁବକ ନଦୀରେ ଭାସି ଯାଇଥିବା ବେଳେ ଆଜି ଘଟଣାସ୍ଥଳରୁ ପ୍ରାୟ ୫ କି.ମି. ଦୂର ମାର୍ଦେଜୁ ଗ୍ରାମ ନିକଟସ୍ଥ ନଦୀରୁ ତାଙ୍କର ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ଶବଟି ନଦୀ ମଝିରେ ଲାଗିଥିବା ଦେଖି ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି ଦମକଳବାହିନୀ ସହାୟତାରେ ପାଣିରୁ ଶବକୁ ଉଦ୍ଧାର କରିଥିଲା ।
ମିଳିଥିବା ସୂଚନା ଅନୁଯାୟୀ, ସହରର ୧୨ ଜଣ ଯୁବକ ଭୋଜି କରିବାକୁ ସଦର ଥାନା ଅନ୍ତର୍ଗତ ଦାମିଗାଁ ନିକଟସ୍ଥ ରାଣୀ ଖଣ୍ଡିକୁ ଯାଇଥିଲେ । ସେଠାରେ ରୋଷେଇବାସ ସରିବା ପରେ ଅପରାହ୍ନ ପ୍ରାୟ ୪ଟାରେ ଯୁବକମାନେ ଗାଧୋଇବାକୁ ଯାଇଥିଲେ । ଟାଉନଥାନା ଅନ୍ତର୍ଗତ ନାରାୟଣୀ ସାହିର ପାଣ୍ଡବ ସାହୁଙ୍କ ପୁଅ ଅମିତ୍ ସାହୁ (୨୨) ନଦୀ ମଧ୍ୟରେ ଗାଧୋଉଥିବା ବେଳେ ତାଙ୍କ ଗୋଡ ଖସି ଯାଇଥିଲା । ବର୍ଷା ଯୋଗୁଁ ନଦୀରେ ଅଧିକ ପାଣିସୁଅ ଥିବାରୁ ସେ ନଦୀ ସ୍ରୋତରେ ଭାସି ଯାଇଥିଲେ । ଅନ୍ୟ ସାଥୀମାନେ ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ ସୁଦ୍ଧା ବିଫଳ ହୋଇଥିଲେ । ଖବର ପାଇ ଦମକଳ ବାହିନୀ ସେଠାରେ ଦୁଇଦିନ କାଳ ପ୍ରାୟ ୧୫ କି.ମି. ପର୍ଯ୍ୟନ୍ତ ନଦୀରେ ଖୋଜା ଖୋଜି କରିଥିଲେ ମଧ୍ୟ ଅମିତଙ୍କ କୌଣସି ସନ୍ଧାନ ପାଇନଥିଲେ । ଆଜି ସଦର ଥାନା ପୋଲିସ ଏ ସଂକ୍ରାନ୍ତରେ ୧୧/୧୯ ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିବା ସହିତ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇ ଘଟଣାର ତଦନ୍ତ ଚଳାଇଛି । ତେବେ ଯେଉଁ ସାଙ୍ଗମାନଙ୍କ ସହ ଅମିତ ଭୋଜି କରିବାକୁ ଯାଇଥିଲା ଏହି ଘଟଣା ଘଟିବାପରେ ସେମାନଙ୍କ ମଧ୍ୟରୁ କେତେଜଣ ଫେରାର୍ ଥିବା ଏବଂ ଅମିତ ଜଣେ ଭଲ ପହଁରା ଜାଣିଥିବା ଯୁବକ କିଭଳି ପାଣିରେ ବୁଡି ମୃତ୍ୟୁ ବରଣ କଲା ତାହା ବର୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ମୃତ ଅମିତ ଯୁକ୍ତ ୩ର ଛାତ୍ର ଥିଲେ ତାଙ୍କ ବାପା ଜଣେ ବ୍ୟବସାୟୀ ଅଟନ୍ତି ।