
ଭଦ୍ରକ, ପୂର୍ତ ଓ ଜନସ୍ୱାସ୍ଥ୍ୟ ବିଭାଗ ମଧ୍ୟରେ ସମନ୍ୱୟର ଅଭାବ । ଫଳରେ ସମସ୍ତ ଭିତିଭୂମୀ ଥାଇ ମଧ୍ୟ ଘରେ ପହଂଚିପାରୁନି ପାନୀୟ ଜଳ । ଏହାର ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକ ପୌରାଞ୍ଚଳ ୭ନମ୍ବର ୱାର୍ଡ ଗବସାହି ଠାରେ । ତଥ୍ୟ ଅନୁଯାୟୀ ପୂର୍ତ ବିଭାଗ ପକ୍ଷରୁ ଗତ କେଇ ମାସ ପୂର୍ବେ ମୋଟେଲ ଛକ ଠାରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ବାସଭବନ ପର୍ଯ୍ୟନ୍ତ ଯାଇଥିବା ଭିଆଇପି ରୋଡର ପ୍ରଶସ୍ତିକରଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ମୁଖ୍ୟ ରାସ୍ତାର ଉଭୟ ପାଶ୍ୱର୍କୁ ଖୋଳି କଂକ୍ରିଟକରଣ କରାଯିବା ସହ ରାସ୍ତାକୁ ଓସାର କରାଯାଇଥିଲା । କିନ୍ତୁ ରାସ୍ତା ଖୋଳିବା ସମୟରେ ପୂର୍ତ ବିଭାଗ ପକ୍ଷରୁ ଜନସ୍ୱାସ୍ଥ୍ୟ ବିଭାଗକୁ କୌଣସି ଖବର ଦିଆଯାଇ ନଥିଲା । ଫଳରେ କାର୍ଯ୍ୟାଦେଶ ପାଇଥିବା ଠିକାଦାର ମନ ଇଛା କାମ କରିଥିଲେ । ରାସ୍ତା ଖୋଳିବା ସମୟରେ ଅମୃତ ଯୋଜନାରେ ବିଛାଯାଇଥିବା ପାଣି ପାଇପ ଲାଇନ ବିଭିନ୍ନ ସ୍ଥାନରେ କ୍ଷତିଗ୍ରସ୍ତ ହୋଇଥିଲା । ମୁଖ୍ୟ ପାଇପଲାଇନରୁ ବିଭିନ୍ନ ଘରକୁ ଦିଆଯାଇଥିବା ସଂଯୋଗକୁ ଓପାଡ଼ି ଠିକାଦାର ଫୋପାଡ଼ି ଦେବା ସହ ଏହା ଉପରେ କଂକ୍ରିଟ କାର୍ଯ୍ୟ କରି କାମ ସାରି ଦେଇଥିଲେ । କିନ୍ତୁ ଅମୃତ ଯୋଜନାର ପାଣି ପାଇପ ଲାଇନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ସାରିଥିବାରୁ ବିଭାଗ ପକ୍ଷରୁ ପରୀକ୍ଷାମୂଳକ ଭାବେ ଜଳ ଯୋଗାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ କୌଣସି ହିତାଧିକାରୀଙ୍କ ଘରେ ପାଣି ପହଂଚିନଥିଲା । ବରଂ ପୂର୍ତ ବିଭାଗର ଦାୟିତ୍ୱହୀନ କାର୍ଯ୍ୟ ପାଇଁ ମୁଖ୍ୟ ପାଣି ପାଇପ ଲାଇନର ବିଭିନ୍ନ ସ୍ଥାନରୁ ପ୍ରବଳ ମାତ୍ରାରେ ପାଣି ଲିକ କରି ସଂପୃକ୍ତ ଅଞ୍ଚଳକୁ ଜଳାର୍ଣ୍ଣବ କରିଥିଲା । ତେବେ ଅମୃତ ଜଳ ଯୋଗାଣକୁ ଏହି ଖାରାଦିନେ ତ୍ୱରାନ୍ୱିତ କରିବାକୁ କଡା ନିଦେ୍ର୍ଧଶ ଥିବାରୁ, ଏବେ ଜନସ୍ୱାସ୍ଥ୍ୟ ବିଭାଗ ଯୁଦ୍ଧକାଳୀନ ଭିତିରେ ନିକଟରେ ନିର୍ମାଣ କରାଯାଇଥିବା ରାସ୍ତାକୁ ଲିକେଜ ଥିବା ସ୍ଥାନକୁ ପୁଣି ଖୋଳି ଜଳ ଯୋଗାଣ ପାଇଁ ଉଦ୍ୟମ ଜାରୀ ରଖିଛନ୍ତି । ବିଭାଗୀୟ ସମୟନ୍ୱର ଅଭାବ ପାଇଁ ୱାଡର଼୍ବାସୀଙ୍କୁ ପାନୀୟ ଜଳ ମିଳିବାରେ ବିଳମ୍ବ ହୋଇଥିବାବେଳେ, ଉଭୟ ଜନସ୍ୱାସ୍ଥ୍ୟ ଓ ପୂର୍ତ ବିଭାଗକୁ ଏଥି ପାଇଁ କ୍ଷତି ସହିବାକୁ ପଡ଼ିଛି ବୋଲି କୁହାଯାଉଛି । ସେହିପରି ଗତ ୨ବର୍ଷ ପୂର୍ବେ ଡ୍ରେନେଜ ବିଭାଗ ପକ୍ଷରୁ ଡ୍ରେନ କାର୍ଯ୍ୟ ନିର୍ମାଣ ସମୟରେ ଅନୁରୂପ ସମସ୍ୟା ସୃଷ୍ଟି ହୋଇଥିଲା । ଏଥିରେ ଉଭୟ ଜନସ୍ୱାସ୍ଥ୍ୟ ବିଭାଗର ପାଣି ପାଇପ ଓ ବିଏସଏନଏଲ ର ବିଭାଗର ବହୁ ପରିମାଣର କେବୁଲ ନଷ୍ଟ ହୋଇଯାଇଥିଲା । ଫଳରେ ଆଜି ପର୍ଯ୍ୟନ୍ତ ମଧ୍ୟ ଏହି ୱାଡର଼୍ରେ ବିଏସଏନଏଲ ସେବା ଶତପ୍ରତିଶତ ସ୍ୱାଭାବିକ୍ ହୋଇ ପାରି ନାହିଁ । ତେଣୁ କୌଣସି ନିର୍ମାଣ କାର୍ଯ୍ୟ ପୂର୍ବରୁ ବିଭାଗୀୟ ସମନ୍ୱୟ ରହିଲେ, ଏପରି ଘଟନ୍ତା ନାହିଁ ବୋଲି ମତପ୍ରକାଶ ପାଇଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO